କନ୍ଧମାଳରେ ପୁଲିସ-ମାଓବାଦୀ ମୁହାଁମୁହିଁ, ୨ ଦିନ ଧରି ଗୁଳି ବିନିମୟ

ବିପୁଳ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ

ଫୁଲବାଣୀ: କିଛିଦିନର ନିରବତା ପରେ ପୁଣି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କୁମ୍ଭହାରୁ ନିକଟସ୍ଥ ଜଙ୍ଗଲରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଗତ ଦୁଇଦିନ ଧରି ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି। ଶେଷରେ ମାଓବାଦୀ ଛତ୍ରଭଙ୍ଗ ଦେଇ ଘଟଣାସ୍ଥଳ ଛାଡ଼ି ଚାଲିଯିବା ପରେ ପୁଲିସ ସେଠାରୁ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ଜବତ କରିଛି। ଘଟଣାସ୍ଥଳରୁ ଗୋଟିଏ ୩୦୩ ରାଇଫଲ୍‌, ୩ଟି ୩୦୩ ଆମ୍ୟୁନିସନ୍‌, ଗୋଟିଏ ଏଚ୍‌ଡି କ୍ୟାଟ୍ରିଜ୍‌, ଗୋଟିଏ ଦେଶୀ ବନ୍ଧୁକ, ୪ଟି ଇନ୍‌ସାସ୍‌ ଆମ୍ୟୁନିସନ୍‌, ଗୋଟିଏ ମାଗାଜିନ୍‌, ୭ଟି ଡିଟୋନେଟର୍‌, କିଛି ମାଓ ପତ୍ରିକା, ଔଷଧ ଓ ପ୍ଲାଷ୍ଟିକ୍‌ ସାମଗ୍ରୀ ଜବତ ହୋଇଛି।

‌ଗୁଳି ବିନିମୟ ବେଳେ ଘଟଣାସ୍ଥଳରେ ୧୫ରୁ ୨୦ ଜଣ ଜଣ ମାଓବାଦୀ ଥିଲେ ଏବଂ ସେମାନେ କେକେବିଏନ୍‌ (କନ୍ଧମାଳ-କୋରାପୁଟ-ବଂଶଧାରା-ନାଗାବଳି) ଡିଭିଜନର ବୋଲି ପୁଲିସ ସୂଚନା ଦେଇଛି। ଗତ ୨୦ ତାରିଖରେ ଗୋଛାପଡ଼ା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଖବର ପାଇ କନ୍ଧମାଳ ପୁଲିସର ଆଣ୍ଟି ନକ୍ସଲ ଅପରେସନ ଟିମ୍‌ ଏସ୍‌ଓଜି ଏବଂ ଡିଭିଏଫ୍‌ ମିଳିତ ଭାବେ ଜଙ୍ଗଲରେ ଚଢ଼ଉ କରିଥିଲା। ଏସ୍‌ଓଜି ଏବଂ ଡିଭିଏଫ୍‌ ପୁଲିସ ଫୋର୍ସକୁ ନେଇ ଗଠିତ ଆଣ୍ଟି ନକ୍ସଲ୍‌ ଅପରେସନ୍‌ ଟିମ୍‌ କୁମ୍ଭହାରୁ ଗ୍ରାମ ନିକଟ ଜଙ୍ଗଲରେ ଚଢ଼ଉ କରିବା ସମୟରେ ସେଠାରେ ଥିବା ମାଓବାଦୀଙ୍କ ସହ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ପୁଲିସ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏହାର ଜବାବରେ ପୁଲିସ ମଧ୍ୟ ମାଓବାଦୀଙ୍କ ଉପରକୁ ଗୁଳି ଚଳାଇଥିଲା। ପୁଲିସ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲା।

ମାତ୍ର ମାଓବାଦୀମାନେ ପୁଲିସ ଉପରକୁ ଗୁଳି ବର୍ଷଣ କରିଥିଲେ। ପୁଲିସ ମଧ୍ୟ ମାଓବାଦୀମାନଙ୍କ ଉପରକୁ ଗୁଳିଚାଳନା କରିଥିଲା। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ନକ୍ସଲମାନେ ଚାଲିଯିବା ପରେ ପୁଲିସ ଟିମ୍‌ କୁମ୍ଭହାରୁ ଜଙ୍ଗଲରୁ ସେମାନଙ୍କ ଏକ ବିଶାଳ କ୍ୟାମ୍ପ୍‌ ଠାବ କରିଥିଲା। ସେଠାରୁ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି। ଗୋଛାପଡ଼ା ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲରେ ମାଓବାଦୀମାନେ ଉପସ୍ଥିତ ଥିବା ନେଇ ପୁଲିସ ପାଖରେ ପୂର୍ବରୁ ସୂଚନା ଥିଲା। ଆଣ୍ଟି ନକ୍ସଲ ଟିମ୍‌ ସେଠାରେ କମ୍ବିଂ ଅପରେସନ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର