ବିଦେଶୀ କେଁରୁ ଶ୍ରୀମନ୍ଦିରରେ ଗଣ୍ଡଗୋଳ : ସିଂହଦ୍ବାରରେ ସେବକ-ଯବାନ ପିଟାପିଟି

ପୁରୀ :‌ ବିଦେଶୀ ଭକ୍ତଙ୍କୁ କେନ୍ଦ୍ର କରି ଆଜି ଶ୍ରୀମନ୍ଦିର ସମ୍ମୁଖରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ବେଳେ ଭିତରଚ୍ଛୁ ସେବାୟତ ଓ ଯବାନ ପିଟାପିଟି ହୋଇଛନ୍ତି। ଏଥିରେ ଭିତରଚ୍ଛୁ ସେବାୟତ ଭବାନୀ ଶଙ୍କର ମହାପାତ୍ରଙ୍କ ମୁହଁ ଓ ନାକ ଫାଟି ରକ୍ତସ୍ରାବ ହୋଇଥିବାବେଳେ ଏ ସଂପର୍କରେ ସିଂହଦ୍ବାର ଥାନାରେ ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୮ଟାରେ ପଶ୍ଚିମବଙ୍ଗର ଆଇନଜୀବୀ ସୌମେନ୍ଦ୍ର ପାଇଲ୍ ତାଙ୍କ ସ୍ତ୍ରୀ ଓ ସଂପର୍କୀୟଙ୍କ ସହ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ଯିବା ସମୟରେ ସୁରକ୍ଷା ଦାୟିତ୍ବରେ ଥିବା ଷଷ୍ଠ ବାଟାଲିଆନ୍‌ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଅଟକାଇଥିଲେ। ଭକ୍ତମାନେ ବିଦେଶୀ ଭଳି ଦିଶୁଥିବାରୁ ସେମାନଙ୍କ ପରିଚୟପତ୍ର ମାଗିଥିଲେ। କିନ୍ତୁ କେହି ପରିଚୟପତ୍ର ଦେଖାଇ ପାରିନଥିଲେ। ଏଣୁ ସୁରକ୍ଷାକର୍ମୀମାନେ ସେମାନଙ୍କୁ ମନ୍ଦିର ଭିତରକୁ ଦର୍ଶନ ପାଇଁ ଛାଡ଼ିନଥିଲେ। ପରେ ପଶ୍ଚିମବଙ୍ଗର ଏହି ଭକ୍ତମାନେ ଭିତରଚ୍ଛୁ ସେବାୟତ ଶ୍ରୀ ମହାପାତ୍ରଙ୍କୁ ସାଙ୍ଗରେ ନେଇ ଆସିଥିଲେ। ଏହି ସମୟରେ ସୁରକ୍ଷା କର୍ମୀମାନେ ପୁନର୍ବାର ପରିଚୟପତ୍ର ମାଗିଥିଲେ। ଏହାକୁ କେନ୍ଦ୍ର କରି ଭିତରଚ୍ଛୁ ସେବାୟତ ଶ୍ରୀ ମହାପାତ୍ର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ କଥା ଠେଲାପେଲା ଓ ମାଡ଼ଗୋଳ ପର୍ଯ୍ୟନ୍ତ ଯାଇଥିଲା। ମାଡଗୋଳ ଭିତରେ ଭିତରଚ୍ଛୁ ସେବାୟତ ଶ୍ରୀ ମହାପାତ୍ରଙ୍କ ଓଠ ଓ ନାକ ଫାଟି ରକ୍ତ ବାହାରିଥିଲା। ଶ୍ରୀ ମହାପାତ୍ର ତାଙ୍କ ନିଯୋଗର କର୍ମକର୍ତାଙ୍କୁ ଡାକି ଏ ସଂପର୍କରେ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଷଷ୍ଠ ବାଟାଲିଆନର ବିଶ୍ବଜିତ ପରିଜା ମଧ୍ୟ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ମାଡ଼ଗୋଳର ସଂପୂର୍ଣ୍ଣ ଭିଡିଓ ସିସିଟିଭିରେ ରେକର୍ଡିଂ ହୋଇଥିବାରୁ ପୁଲିସ ଏହା ଆଧାରରେ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଭିତରଚ୍ଛୁ ସେବାୟତ କହିଛନ୍ତି ଯେ, ଏହି ଘଟଣା ଆସନ୍ତାକାଲିର ପହିଲି ନୀତିକୁ କୌଣସି ପ୍ରଭାବ ପକାଇବନି।

ସମ୍ବନ୍ଧିତ ଖବର