ଭୁବନେଶ୍ବର: ବହୁଚର୍ଚ୍ଚିତ ମମିତା ମାମଲାରେ ପୁଲିସର ଭୂମିକା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଯାଜପୁର ଜିଲ୍ଲା ସ୍ମିତାରାଣୀ ମାମଲା ଏବେ ବି ଲୋକଙ୍କ ସନ୍ଦେହ ବଳୟ ଭିତରୁ ବାହାରି ପାରିନାହିଁ। ନୟାଗଡ ଜିଲ୍ଲାର ପରୀଠାରୁ ଆରମ୍ଭ କରି ମାହାଙ୍ଗା ଡବଲ୍ ମର୍ଡର ହତ୍ୟାକାଣ୍ଡ ଯାଏ ଏମିତି ମାଳ ମାଳ ଅପରାଧ ଘଟିଛି; ଯେଉଁଥିରେ ପୁଲିସ ସାଧାରଣ ଲୋକଙ୍କ ବିଶ୍ବାସ ଜିଣିବା ମୁସ୍କିଲ୍ ହୋଇଯାଇଛି। ଏପରିକି ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣାରେ ଅଭିଯୁକ୍ତର ବୟାନକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଓ ସାମାଜିକ ଗଣମାଧ୍ୟମରେ ପୁଲିସ କଡ଼ା ସମାଲୋଚନାର ଶିକାର ହେଲାଣି। ଠିକ୍ ଏମିତି ସମୟରେ ବାଲେଶ୍ବର ପୁଲିସ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପ୍ରଦର୍ଶନ କରିଥିବା ବର୍ବରତା ତଥା ଅମାନବିକତା ସବୁ ସୀମା ଟପିଯାଇଛି। ଏହି ପ୍ରସଙ୍ଗକୁ ନେଇ ସାରା ଓଡ଼ିଶାରେ ଆଜି କମ୍ପନ ସୃଷ୍ଟି ହୋଇଛି।
ରାଜ୍ୟ ମାନବାଧିକାର କମିସନ ନିଜ ଆଡୁ ମାମଲା ରୁଜୁ କରି ରିପୋର୍ଟ ତଲବ କରିଥିବା ବେଳେ ‘ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ’ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି। ସାମ୍ବାଦିକଙ୍କ ଉପରେ ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଜାତୀୟସ୍ତରର ସାମ୍ବାଦିକମାନେ ନିନ୍ଦା କରିଛନ୍ତି ଏବଂ ଗୃହ ମନ୍ତ୍ରାଳୟ ତୁରନ୍ତ ହସ୍ତକ୍ଷେପ ପାଇଁ ନିବେଦନ କରାଯାଇଛି।
ଏପଟେ ନିଜ ଆଡୁ ହସ୍ତକ୍ଷେପ କରି ରାଜ୍ୟ ମାନବାଧିକାର କମିସନ କହିଛନ୍ତି, ପୂର୍ବାଞ୍ଚଳ ଆଇଜି ସଂପୂର୍ଣ୍ଣ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦିଅନ୍ତୁ। ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ବି ଏହି ପ୍ରସଙ୍ଗକୁ ନେଇ ଅଭିଯୋଗ ପହଞ୍ଚିଛି। ତେବେ ସାମ୍ବାଦିକଙ୍କ ପ୍ରତି ପୁଲିସର ଆଚରଣ ପ୍ରତିବାଦର ନିଆଁ ବ୍ୟାପିବାରେ ଲାଗିଛି। ଭଦ୍ରକ, ଫୁଲବାଣୀ, ରାୟଗଡ଼ା, ଧର୍ମଶାଳା, ମାଲାକାନଗିରି, ବାଲେଶ୍ବର, କେନ୍ଦ୍ରାପଡା, ଭୁବନେଶ୍ବର ସମେତ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଘଟଣାକୁ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଡିଜିଙ୍କୁ ସାମ୍ବାଦିକମାନେ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏସବୁ ଭିତରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଆଜି ଏକ ବଡ଼ ବୟାନ ରଖିଛନ୍ତି। ଟ୍ବିଟ୍ କରି ଘଟଣାକୁ ନିନ୍ଦା କରିବା ସହିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନୀଳଗିରି ସାମ୍ବାଦିକଙ୍କ ପ୍ରତି ଅଶୋଭନୀୟ, ଅସଭ୍ୟ ବ୍ୟବହାର କରାଯାଇଛି। ନୀଳଗିରି ଆଇଆଇସିଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରାଯାଉ। ଯେହେତୁ ବାଲେଶ୍ବରରେ ଏଭଳି ଘଟଣା ଘଟିଛି ଏବଂ ଏସ୍ପିଙ୍କ କାର୍ଯ୍ୟାଳୟ ପାଖରେ; ତେଣୁ ଏସ୍ପିଙ୍କ ଉପରେ ବି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।
କାହା ଆଶୀର୍ବାଦରେ ପୁଲିସର ଏତେ ଆସ୍ପର୍ଦ୍ଧା
ରାଜ୍ୟସାରା ପ୍ରତିବାଦ; ଗୃହ ମନ୍ତ୍ରାଳୟରେ ବି କଥା ପହଞ୍ଚାଇଲେ ଜାତୀୟସ୍ତରର ସାମ୍ବାଦିକ
ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିସନ, ଆଇଜିଙ୍କଠାରୁ ରିପୋର୍ଟ ତଲବ
ଆଇଆଇସି, ଏସ୍ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କର: ବିଜୟ
ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ ଓଡ଼ିଶାରେ ଗୋଡ଼ରେ କଡ଼ା ବନ୍ଧା ହୋଇ ଅପରାଧୀଙ୍କୁ ମଧ୍ୟ ରଖାଯାଇନାହିଁ। ସାମ୍ବାଦିକ ଲୋକନାଥ କ’ଣ ଅପରାଧୀ? ଉଭୟ ଏସ୍ପି ଓ ଆଇଆଇସି ଏହି ଘଟଣା ପାଇଁ ଉତ୍ତରଦାୟୀ। ହାବିଲଦାରଙ୍କୁ ନିଲମ୍ବନ କରି ପୁଲିସ ବାବୁମାନେ ପୁଣି ଭୁଲ୍ କରିଛନ୍ତି। ପ୍ରଥମ ଅଭିଯୁକ୍ତ ହେଉଛି ଆଇଆଇସି, ଦ୍ବିତୀୟରେ ବାଲେଶ୍ବର ଏସ୍ପି। ୨ଜଣ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଆଇନକୁ ନେଇ ପୁଲିସ ଖେଳ ନ ଖେଳୁ ବୋଲି ସେ ସତର୍କ କରାଇ ଦେଇଛନ୍ତି।
ଏପଟେ ରାଜନୈତିକ ପର୍ଯ୍ୟବେକ୍ଷକ, ଗଣମାଧ୍ୟମ ପ୍ରତିନିଧି, ପୂର୍ବତନ ପ୍ରଶାସକ, ଆଇନଜୀବୀ ସବୁଠାରେ ପୁଲିସର କାର୍ଯ୍ୟକୁ ସମାଲୋଚନା କରାଯାଇଛି। ପ୍ରଶ୍ନ ଉଠୁଛି, କାହା ଛତ୍ରଛାୟାରେ ରହି ବାଲେଶ୍ବରରେ ପୁଲିସ ଏଭଳି କାର୍ଯ୍ୟ କଲା? ଜିଲ୍ଲା ଏସ୍ପି ସୁଧାଂଶୁ ଶେଖର ମିଶ୍ର ଏ ପ୍ରସଙ୍ଗରେ ଜାଣିବା ପରେ କାହିଁକି ତତ୍କାଳ କାର୍ଯ୍ୟାନୁଷ୍ଠାନ କଲେ ନାହିଁ? କେଉଁ ଅପରାଧରେ ଲୋକନାଥଙ୍କୁ ବେଡ଼ି ପକାଗଲା ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ‘ସବୁ ପ୍ରଶ୍ନର ଉତ୍ତର କ’ଣ ଦେଇହେବ’ ବୋଲି ଏସ୍ପିଙ୍କ ପାଲଟା ପ୍ରଶ୍ନ ତାଙ୍କ ଅସମ୍ବେଦନଶୀଳତାକୁ ସୂଚାଉ ନାହିଁ କି? କେଉଁ ପରିସ୍ଥିତିରେ ଦୌପଦ୍ରୀ ଦାସଙ୍କ ଭଳି ବିବାଦୀୟ ପୁଲିସ ଅଧିକାରୀଙ୍କୁ ଥାନାଧିକାରୀ ଭାବେ ରଖାଯାଉଛି? ଦ୍ରୌପଦୀଙ୍କ ବିରୋଧରେ ପୂର୍ବରୁ ଏକାଧିକ ଅଭିଯୋଗ ରହିଛି। ବଟି ଆଦାୟରୁ ଆରମ୍ଭ କରି ଦୁର୍ବ୍ୟବହାର ପର୍ଯ୍ୟନ୍ତ ସବୁକଥା ଲୋକେ ଗଣମାଧ୍ୟମ ସାମ୍ନାକୁ ଆସି କହିଲେଣି। ଟମକା ଥାନାରେ ଥିବା ସମୟରେ ସେ କ୍ରୋମାଇଟ୍ ବେଆଇନ୍ ପରିବହନ ପ୍ରସଙ୍ଗକୁ ନେଇ ସ୍ଥାନୀୟ ଅଞ୍ଚଳ ଚର୍ଚ୍ଚାରେ ଥିଲା।
ନୀଳଗିରିରେ ବ୍ରାଉନସୁଗାର ମାଫିଆମାନେ ବେଧଡ଼କ କାରବାର କରୁଥିଲା ବେଳେ ସ୍ଥାନୀୟ ପୁଲିସ ଅସମ୍ଭବ ନିରବତା ଅବଲମ୍ବନ କରି ଆସୁଥିଲା। ବେଆଇନ ଭାବେ ଲଘୁ ବନଜାତ ଦ୍ରବ୍ୟ ଓ ମୋରମ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ସହ ପୁଲିସର ସଂପର୍କ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ବାଲେଶ୍ବର ଏସ୍ପି କାହିଁକି ଦ୍ରୌପଦୀଙ୍କୁ ସୁରକ୍ଷା ଦେଇଥିଲେ? ପୁଲିସ ମୁଖ୍ୟାଳୟ ଏ ସଂପର୍କରେ ଜାଣିଥିଲେ ନା ନାହିଁ? ଦ୍ରୌପଦୀଙ୍କୁ ନିଲମ୍ବନ କରାଯିବା ସହିତ ତାଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିବା ବଦଳରେ ତାଙ୍କୁ ମୁଖ୍ୟାଳୟକୁ ବଦଳି କରି ପୁଲିସ କି ବାର୍ତ୍ତା ଦେବାକୁ ଚାହୁଁଛି? ଆଇଆଇସିଙ୍କୁୁ କିଏ ସୁରକ୍ଷା ଦେଉଛି? ପୁଲିସ ଡିଜି ଓ ରାଜ୍ୟ ଗୃହ ବିଭାଗ କାହିଁକି ତତ୍ପରତା ଦେଖାଉନାହାନ୍ତି? ତଳିଆ କର୍ମଚାରୀ ବୋଲି କଣ ହାବିଲଦାରଙ୍କୁ ସସପେଣ୍ଡ କରାଯିବ ଏବଂ ବଡ଼ ଅଫିସର ବୋଲି ଆଇଆଇସିଙ୍କୁ କେବଳ ବଦଳି କରାଯିବ? ପୁଲିସ ବିଭାଗରେ ଇଏ କେମିତିକା ନ୍ୟାୟ? କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଥାନାକୁ ଡାକି ଧକ୍କା ମାରିବା ଓ ହସ୍ପିଟାଲରେ ଗୋଡ଼ରେ ବେଡ଼ି ପକାଇବା କଣ ଛୋଟ ଅପରାଧ କି? ଏମିତି ମାଳ ମାଳ ପ୍ରଶ୍ନ ଆଜି ବିଭିନ୍ନ ମହଲକୁ ଆନ୍ଦୋଳିତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/fs654h5f6shfh32f2s312h3hhfhs.jpg)