ପାର୍ବଣ ପାଇଁ ପୁଲିସର ବଢୁଛି ଚିନ୍ତା, ଜେଲ୍‌ରୁ ବାହାରି ଗ୍ୟାଙ୍ଗଷ୍ଟର୍ ସହଯୋଗୀଙ୍କ ମେଳି

କଟକ: ପାର୍ବଣ ଋତୁ ପାଖେଇ ଆସୁଛି। ଏଭଳି ସ୍ଥିତିରେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ, ଟିଟୋ, ସକିଲ, ତପୁର ସହଯୋଗୀମାନେ ଜେଲ୍‌ରୁ ବାହାରିବା ପୁଲିସ ପାଇଁ ଚିନ୍ତା ବଢାଇଛି। ଧଳସାମନ୍ତ ସହଯୋଗୀ ବାପୁନି ଓ ଚନ୍ଦନ, ଟିଟୋର ସହଯୋଗୀ ଟୁଟୁନି ଓ ସତ୍ୟବ୍ରତ, ସକିଲର ସହଯୋଗୀ ଅଫ୍‌ସର ଓ କାଦିର, ତପୁର ସହଯୋଗୀ ତାଡ଼ିଆ ଏବଂ ନିଜର ଗ୍ୟାଙ୍ଗ ଗଢ଼ିଥିବା ଗୁଗୁ ଏବେ ଜେଲ୍ ବାହାରେ ଅଛନ୍ତି। ଦୁଇବର୍ଷ ହେବ କରୋନା କଟକଣା ଥିବାରୁ ପାର୍ବଣ ଉତ୍ସବ ମୁଖର ହେଉ ନଥିଲା। କିନ୍ତୁ ଏଥର ପାର୍ବଣ ପୂର୍ବ ଭଳି ଜାକଜମକରେ ପାଳନ ହେବାକୁ ଯାଉଥିବାରୁ ଗ୍ୟାଙ୍ଗଷ୍ଟରଙ୍କ ସହଯୋଗୀ ମେଳି ବାନ୍ଧୁଥିବାର ଖବର ମିଳିଛି।

ବିଭିନ୍ନ ସ୍ଥାନରେ ଅପରାଧ ଘଟାଇ ସେମାନେ ଜେଲ ଯାଇଥିଲେ। ‌ଜେଲରୁ ବାହାରିବା ପରେ ପୁଣି ଅପରାଧ ଘଟାଇବା ଲାଗି ଯୋଜନା ଚଳାଇଥିବା ସଂପର୍କରେ ପୁଲିସକୁ ଖବର ମିଳିଛି। ବିଶେଷ କରି ବଡ଼ ଧରଣର ବଟି ଆଦାୟ ରାକେଟ ପାଇଁ ସେମାନେ କ୍ଷେତ୍ର ପସ୍ତୁତ କରୁଛନ୍ତି। ଏଥିପାଇଁ ବିଭିନ୍ନ ଗୋଷ୍ଠୀ ହାତ ମିଳାଇଥିବାରୁ ଏହାର ମୁକାବିଲା ପୁଲିସ ପାଇଁ ବଡ଼ ଧରଣର ଚାଲେଞ୍ଜ ହେବାକୁ ଯାଉଛି। ଜଣେ ପୁଲିସ ଅଧିକାରୀ ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଏହି ଅପରାଧୀମାନଙ୍କ ଗତବିଧି ଉପରେ ନଜର ରଖିବା ଲାଗି ଗୁଇନ୍ଦା ନେଟୱାର୍କକୁ ସକ୍ରିୟ କରାଯାଇଛି। ନିଦ୍ଦିଷ୍ଟ ସୂଚନା ମିଳିବା ମାତ୍ରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ। କୌଣସି ପରିସ୍ଥିତିରେ ସହରକୁ ଅଶାନ୍ତ ହେବାକୁ ଦିଆଯିବ ନାହିଁ।

ଗ୍ୟାଙ୍ଗଷ୍ଟର ଟିଟୋର ଖାସ୍ ସହଯୋଗୀ ଟୁଟୁନି ଓରଫ ଅଶୋକ ବେହେରା ୨୦୧୮ ଏପ୍ରିଲ ୬ରେ ପୁଲିସ ଏନ୍‌କାଉଣ୍ଟର ଶିକାର ହୋଇଥିଲା। ଜଗତପୁର ନର୍ଥ ଡିଭିଜନ୍‌ ଟିଟୋ ନିୟନ୍ତ୍ରଣରେ ରହୁଥିବା ବେଳେ ଟୁଟୁନି ଟେଣ୍ଡର ଫିକ୍ସିଂ ପଛର କାର୍ପଟଦାର୍ ବୋଲି କୁହାଯାଉଛି। ସେହିଭଳି ଧଳସାମନ୍ତ ପାଇଁ ବାପୁନି ଏବେ ଜଗତପୁରରେ ପୁଣି ଥରେ ସକ୍ରିୟ ଥିବା କୁହାଯାଉଛି। ମଧୁପାଟଣା ତିନିଘରିଆର ଦୁର୍ଦ୍ଦାନ୍ତ ଅପରାଧୀ ସୁଭାଶିଷ ଖୁଣ୍ଟିଆ ଓରଫ ଗୁଗୁ ବିରୋଧରେ ୨୦୧୯ ନଭେମ୍ବର ୧୧ରେ ଏନଏସଏ ଲାଗିଥିଲା। ୨୦୨୦ ଜୁଲାଇ ୨୭ ତାରିଖରେ ଗୁଗୁକୁ ଏନ୍‌ଏସ୍‌ଏରେ ଅଟକ ପାଇଁ କମିସନରେଟ୍‌ ପୁଲିସ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଥିଲେ। ଗୁଗୁ ଉଭୟ କଟକ ଓ କଳାହାଣ୍ତି ଜିଲ୍ଲାକୁ ନିଜ ନିୟନ୍ତ୍ରଣରେ ରଖିଛି।

ସଦର ଗଙ୍ଗେଶ୍ବର ଗଡ଼ର ଦୁର୍ଦ୍ଦାନ୍ତ ଅପରାଧୀ ବା ଵାନ ମ୍ୟାନ ଆର୍ମି କୁହାଯାଉଥିବା ପୁପୁନ ଓରଫ ବିକ୍ରମ ପାତ୍ର ବିରୋଧରେ ୧୯ଟି ମାମଲା ଥିବା ବେଳେ ହତ୍ୟାକାଣ୍ଡ, ବନ୍ଧୁକ କାରବାର, ଦାଦାବଟିରେ ସେ ସମ୍ପୃକ୍ତ ରହିଛି। କନ୍ଦରପୁରର ପ୍ରଶାନ୍ତ ଦାସ ଓରଫ ତପୁର ସହଯୋଗୀ ବ୍ରହ୍ମପୁର ବଡ଼ବଜାର ଲିପୁ ଓରଫ ତାଡ଼ିଆ ଓରଫ ସୁଧାକର ପାତ୍ର ମଧ୍ୟ ଜେଲ ବାହାରେ। ଜେଲ୍‌ରେ ଥିବା ତପୁ ପାଇଁ ତାଡ଼ିଆ ଦାଦାବଟି ଆଦାୟ କରୁଥିବାରୁ ଏହାକୁ ନେଇ ପୁଲିସ ଚିନ୍ତାରେ ପଡ଼ିଯାଇଛି। ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲର ଖାସ ସହଯୋଗୀ ମଙ୍ଗଳାବାଗ ଗହ୍ମାଡିଆର ଜନ୍ ଓରଫ ସେକ୍ ଅଫସର୍ ଏବେ ଜେଲ୍ ବାହାରେ। ବକ୍ସିବଜାର ଆନନ୍ଦ ସ୍ପୋର୍ଟସ୍ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ସେ ଗିରଫ ହୋଇଥିଲା। ଜେଲ୍‌ରେ ଥିବା ସକିଲ୍ ପାଇଁ ବଟି ସଂଗ୍ରହ କରୁଛି ଅଫସର୍। ପୁରୀଘାଟ ଉପର ତେଲେଙ୍ଗାବଜାର ଅପର୍ତ୍ତି ଦାସକୁ ୨୦୧୧ରେ ଏନଏସଏ ଦିଆଯାଇଥିଲା। କମିସନରେଟ୍ ପୁଲିସର ସମସ୍ତ ଥାନାରେ ଅପର୍ତ୍ତି ବିରୋଧରେ ସଂଗିନ ମାମଲା ରହିଛି। ଉପର ତେଲେଙ୍ଗାବଜାର ଜିତୁ ମଣ୍ଡଳ ବି ଜେଲ୍ ବାହାରେ। ଉଭୟଙ୍କ ବିରୋଧରେ ୨୦ରୁ ଅଧିକ ମାମଲା ରହିଛି। ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ସହଯୋଗୀ ମଙ୍ଗଳାବାଗ ମାଛୁଆ ବଜାର ଚନ୍ଦନ ବେହେରା ଏବେ ଜେଲ୍ ବାହାରେ। ଗ୍ୟାଙ୍ଗଷ୍ଟର ସକିଲର ସହଯୋଗୀ କଂସେଇ ଗଳିର ସେକ୍ କାଦିର ବି ଏବେ ବାହାରେ। ଯଦିଓ କାଦିର ଏବେ ସକିଲ ଗ୍ୟାଙ୍ଗ ସହିତ ସମ୍ପର୍କ ପୂର୍ବ ଭଳି ରଖିନାହିଁ, କାଦିର ନିଜ ଢଙ୍ଗରେ ଅପରାଧୀକ ନେଟଵାର୍କ ଲମ୍ବାଇବାକୁ ଯୋଜନା କରୁଥିବା କୁହାଯାଉଛି। ଜେଲ୍ ବାହାରେ ଥିବା ଗ୍ୟାଙ୍ଗଷ୍ଟରଙ୍କ ସହଯୋଗୀଙ୍କ ଉପରେ ପୁଲିସ ସ୍ବତନ୍ତ୍ର ନଜର ରଖିଥିବା କୁହାଯାଉଥିବା ବେଳେ ଆଗକୁ ଏମାନଙ୍କ ପ୍ରତି କିଭଳି ଆଭିମୁଖ୍ୟ ରଖିବ, ତାହା ଉପରେ ନଜର ରହିଛି।

ସମ୍ବନ୍ଧିତ ଖବର