ଭୁବନେଶ୍ବର : ନୂଆପଡ଼ା ଜିଲ୍ଲା ବୋଡ଼େନ୍ ଥାନାରେ ଆଦିବାସୀଙ୍କ ଉପରେ ପୁଲିସ୍ର ଅତ୍ୟାଚାର ପ୍ରସଙ୍ଗ ବିଧାନସଭାରେ ଉଠାଇ ଉଦ୍ବେଗ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଶୂନ୍ୟକାଳରେ ସେ କହିଲେ, ୨୦୨୨ ଜୁନ୍ ୨୧ ତାରିଖରେ ୩ ଜଣ ସିଆର୍ପିଏଫ୍ ଯବାନଙ୍କୁ ହତ୍ୟା କରାଯାଇଥିଲା। ବୋଡେନ୍ ଥାନା ଅଞ୍ଚଳରେ ସିଆର୍ପିଏଫ୍-ମାଓବାଦୀ ଗୁଳି ବିନିମୟ ବେଳେ ଏମିତି ଅଘଟଣ ଘଟିଥିଲା। ତା’ପରେ ସେହି ଗାଁରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଗଲା।
ସେମାନଙ୍କ ଉପରେ ଅତ୍ୟାଚାରର ପ୍ରତିବାଦରେ ଗତ ୧୮ ତାରିଖରେ ଖରିଆର ବିଧାୟକଙ୍କ ନେତୃତ୍ବରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ହୋଇଥିଲା। ଏଥିରେ ପ୍ରାୟ ୫ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ସେପଟେ ଗାଁ ଲୋକଙ୍କୁ ମାଓବାଦୀ ଡରାଉଛନ୍ତି। ଏପଟେ ପୁଲିସ ବାଡ଼ଉଛି। ଏମିତି ବାଡ଼େଇଲେ ସମସ୍ୟା ସମାଧାନ ହେବନି। ମାଓବାଦୀ ଚିନ୍ତାଧାରାକୁ ଦମନ କରିବା ପାଇଁ ସରକାର ଯେଉଁ ଚିନ୍ତା କରୁଛନ୍ତି, ତାହା ଫଳପ୍ରଦ ହେବନାହିଁ। ବରଂ ମାଓବାଦୀ ଆନ୍ଦୋଳନ ତେଜିବ। ବିଧାନସଭା ଚାଲିଥିଲା ବେଳେ ଆମେ ନିରବ ହୋଇ ବସିବା ଠିକ୍ ହେବ ନାହିଁ। ଏକ ଗୃହ କମିଟି ଗଠନ କରାଯାଉ। କମିଟି ସଦସ୍ୟମାନେ ସେଠାକୁ ଯାଇ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦିଅନ୍ତୁ। ଆଦିବାସୀଙ୍କ ଉପରେ ଅତ୍ୟାଚାର ଯୋଗୁ ସେଠି ଗାଁ ଖାଲି ହୋଇଗଲାଣି। ଏହି ଘଟଣାକୁ କେହି ସାଧାରଣ ନ ଭାବନ୍ତୁ। ବାଚସ୍ପତି ଏହାଉପରେ ରୁଲିଂ ଦେବାକୁ ଶ୍ରୀ ମିଶ୍ର ଦାବି କରିଥିଲେ। କଂଗ୍ରେସ ସଭ୍ୟମାନେ ଠିଆ ହୋଇପଡ଼ି ରୁଲିଂ ଦାବି କରିଥିଲେ। ଏହି ଘଟଣାକୁ ଅନୁଧ୍ୟାନ କରି ଆବଶ୍ୟକ ରୁଲିଂ ଦେବେ ବୋଲି ବାଚସ୍ପତି କହିଥଲେ।