‘କରୋନା ଯୁଦ୍ଧରେ ପୁଲିସ ହିଁ ଅସଲ ଯୋଦ୍ଧା’ : ନବୀନଙ୍କୁ ପତ୍ର ଲେଖିଲେ ୭ ପୂର୍ବତନ ପୁଲିସ ଡିଜି

ଭୁବନେଶ୍ବର: କୋଭିଡ୍-୧୯ ମୁକାବିଲାରେ ପ୍ରତ୍ୟେକସ୍ତରରେ ଆପ୍ରାଣ ଉଦ୍ୟମ ଚାଲିଛି। ସାଧାରଣ ଲୋକ ଘରେ ରହି ଯୁଦ୍ଧ କରୁଥିବା ବେଳେ ଜରୁରୀକାଳୀନ ସେବାରେ ଥିବା କର୍ମଚାରୀ ଜୀବନକୁ ବିପନ୍ନ କରି ଯୋଦ୍ଧା ପାଲଟିଛି। ତେବେ ଏହି ଯୁଦ୍ଧରେ ଅସଲ ଯୋଦ୍ଧା ପୁଲିସ ବୋଲି କହିଛନ୍ତି ସାତଜଣ ପୂର୍ବତନ ପୁଲିସ ଡିଜି। ଏହି ମର୍ମରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପ୍ରସଂଶାପତ୍ର ଲେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅକ୍ଷରେ ଅକ୍ଷରେ ପାଳନ କରି ସଫଳ କରାଇଥିବାରୁ ପୁଲିସ ବାହିନୀ ପ୍ରସଂଶାର ପାତ୍ର ବୋଲି ସେମାନେ ଲେଖିଛନ୍ତି। ଚିଠି ଲେଖିଥିବା ପୂର୍ବତନ ପୁଲିସ ଡିଜିମାନେ ହେଉଛନ୍ତି, ଶରତ ଚନ୍ଦ୍ର ମିଶ୍ର, ଅମିୟ ଭୂଷଣ ତ୍ରିପାଠୀ, ନିମାଇଁ ଚରଣ ପାଢ଼ୀ, ବିପିନ ବିହାରୀ ମିଶ୍ର, ସୁଚିତ ଦାସ, ଗୋପାଳ ଚନ୍ଦ୍ର ନନ୍ଦ ଓ ମନମୋହନ ପ୍ରହରାଜ। ପୂର୍ବତନ ବରିଷ୍ଠ ଅଧିକାରୀମାନଙ୍କର ଏଭଳି ପତ୍ର ରାଜ୍ୟ ପୁଲିସର ମନୋବଳ ବଢ଼ାଇବ ବୋଲି କୁହାଯାଉଛି।

ପତ୍ରରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋଚିତ ଓ ଦୂରଦୃଷ୍ଟିସଂପନ୍ନ ତାଲାବନ୍ଦ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ପୁଲିସ ବିଭାଗ ଅକ୍ଲାନ୍ତ ପରିଶ୍ରମ କରି ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଉଛି। ପୁଲିସ ବିଭାଗର ନିରନ୍ତର ପ୍ରୟାସ ଯୋଗୁଁ ଅତ୍ୟାବଶ୍ୟକ ସଂସ୍ଥାଗୁଡ଼ିକୁ ସ୍ବାଭାବିକ ଭାବେ କାମ କରୁଛି। ଲୋକେ ପନିପରିବା, ତେଜରାତି ଓ ଔଷଧ ପାଇ ପାରୁଛନ୍ତି। ପୁଲିସର ଏଭଳି ପ୍ରୟାସ ହୋଇ ନଥିଲେ ଜନସାଧାରଣ ହଇରାଣ ହେବା ସହ ତାଲାବନ୍ଦ ସଫଳ ହେବା‌ ଏକପ୍ରକାର ଅସମ୍ଭବ ହୋଇଥାନ୍ତା ବୋଲି ସେମାନେ କହିଛନ୍ତି।

ଏହାବ୍ୟତୀତ ପୁଲିସ କର୍ମଚାରୀମାନେ ଖାଦ୍ୟ ବଣ୍ଟନ କରିବା ସହ ବରିଷ୍ଠ ନାଗରିକଙ୍କ ଘର ପାଖରେ ସେବା ପହଞ୍ଚାଉଛନ୍ତି। ଫଳରେ ସେମାନେ ଜନସାଧାରଣଙ୍କ ଆଦରର ପାତ୍ର ହୋଇଛନ୍ତି। ଅତୀତରେ କେବେ ଜନସାଧାରଣ ପୁଲିସକୁ ଏହି ପରିମାଣରେ ଆଦର ଓ ଭରସା କରିଥିବା ଉଦାହରଣ ନାହିଁ। ଭାରତର କେତେକ ସହରରେ ହଜାର ହଜାର ଶ୍ରମିକ ବିଦ୍ରୋହ କରିଥିବାର ଦୁଃଖଦ ଚିତ୍ର ଦେଖିବାକୁ ମିଳିଥିଲା। କିନ୍ତୁ ରାଜ୍ୟ ସରକାର ଓ ପୁଲିସ ବିଭାଗର ସମନ୍ବୟ ଓ ସୁପରିଚାଳନା ଯୋଗୁ ଏଭଳି ସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିଛି ବୋଲି ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି। ସବୁଠାରୁ ବଡ଼ ସଫଳତା ହୋଇଛି ଡାଏଲ-୧୦୦। ସମସ୍ୟା ଯାହା ବି ହେଉ, ଏହି ବ୍ୟବସ୍ଥାରେ ସମସ୍ତ ସମାଧାନ ରହିଛି। ପୁଲିସ ଇତିହାସରେ ପ୍ରଥମଥର ପାଇଁ ଏଭଳି ଏକ ସୁପରିକଳ୍ପିତ ବ୍ୟବସ୍ଥା ଦେଖିବାକୁ ମିଳିଛି। ଲୋକମାନେ ଏହାକୁ ଭରସା କରିଛନ୍ତି।

କୋଭିଡ୍-୧୯ ପୃଥିବୀକୁ ଏକ ଅନିଶ୍ଚିତ ଭବିଷ୍ୟତକୁ ଠେଲି ଦେଇଛି। ତେଣୁ ଆଗାମୀ ପରିସ୍ଥିତିର ସମୁଖୀନ ହେବା ପାଇଁ ପୁଲିସ ବାହିନୀର ମନୋବଳକୁ ଉଚ୍ଚ ରଖିବା ପାଇଁ ଓ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନ ନିଆଯିବା ପାଇଁ ସେମାନେ ଗୁରୁତ୍ବ ଦେଇଛନ୍ତି। ଏହାଛଡ଼ା ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍‌ ଅଫିସର୍‌ ସଂଘ ମଧ୍ୟ ଡିଜି ଅଭୟ ଓ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୃଥକ୍‌ ପତ୍ର ଲେଖି ସେମାନଙ୍କ ନେତୃତ୍ବର ପ୍ରସଂଶା କରିଛନ୍ତି। ସମସ୍ତ କର୍ମଚାରୀ, ଯେଉଁମାନେ ରାସ୍ତାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଏଭଳି ଏକ ପରିସ୍ଥିତିରେ କର୍ତ୍ତବ୍ୟ କରିବା ସହ କର୍ତ୍ତବ୍ୟ ବାହାରେ ଯାଇ ସେବା କରୁଛନ୍ତି, ସେମାନଙ୍କୁ ସାଧୁବାଦ ଜଣାଇବାକୁ ସେମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର