ଫାଣ୍ତିରେ ପଶି ଚୋରା ମଦ ବ୍ୟବସାୟୀଙ୍କୁ ଛଡ଼ାଇ ନେବା ଘଟଣା: ୩ ଜଣଙ୍କୁ ଉଠାଇଲା ପୁଲିସ, ମୁଖ୍ୟ ଅଭିଯୁକ୍ତ ଫେରାର୍

ଜଳେଶ୍ବର: ଜଳେଶ୍ବର ବ୍ଲକ୍ ରାଇବଣିଆ ଥାନା ଅନ୍ତର୍ଗତ କୁଶଗଡ଼ ଫାଣ୍ତିରୁ ଗତକାଲି ଜଣେ ଚୋରା ମଦ ବ୍ୟବସାୟୀଙ୍କୁ ଫିଲ୍ମ ଷ୍ଟାଇଲରେ ତାଙ୍କର ୩୦ରୁ ଊର୍ଦ୍ଧ୍ବ ସହଯୋଗୀ ଛଡ଼ାଇ ନେବା ଘଟଣାରେ ୩ଜଣଙ୍କୁ ବାନ୍ଧିଛି ରାଇବଣିଆ ପୁଲିସ। ସୂଚନା ଅନୁସାରେ, ରାଇବଣିଆ ଥାନା ଆଇଆଇସି ଗୋପାଳଚନ୍ଦ୍ର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଫାଣ୍ତି ଅଧିକାରୀ ସନ୍ତୋଷ କୁମାର କର ଗତକାଲି ରାତିରେ ଅଭିଯୁକ୍ତମାନଙ୍କ ଘରେ ଚଢ଼ଉ କରି ୩ ଜଣକୁ ଗିରଫ କରିଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ଫେରାର ମୁଖ୍ୟ ଅଭିଯୁକ୍ତର ବାପା ରତିକାନ୍ତ ଜେନା, ଭୋଳ ଗ୍ରାମର ଗୁରୁଚରଣ ମହାନ୍ତ ଓ ମରାଡ଼ିହା ଗ୍ରାମର ସାଗର ବିନ୍ଧାଣୀ। ରାଇବଣିଆ ଥାନାରେ ଏମାନଙ୍କ ନାଁରେ ଆଇପିସିର ଧାରା ୩୪୧, ୨୯୪, ୩୨୩ , ୩୦୭, ୩୫୩ , ୫୦୬ ଓ ୩୪ ଅନୁଯାୟୀ ୬୦/୨୧ରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ଗିରଫ ୩ ଅଭିଯୁକ୍ତଙ୍କୁ ଆଜି ଜଳେଶ୍ବର ସ୍ଥିତ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଛି। ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଦୁଇଭାଇ ରାଜେଶ, ଉମେଶ ଓ ଅନ୍ୟ ସହଯୋଗୀଙ୍କୁ ଗିରଫ କରିପାରିନି ପୁଲିସ। ସେପଟେ ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀ ସିଂ ପ୍ରକାଶ କରିଛନ୍ତି।

କଟକସ୍ଥିତ ଅବକାରୀ ବିଭାଗର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଏଏସଆଇ ବ୍ରଜକିଶୋର ବିନ୍ଧାଣୀ ଙ୍କ ଲିଖିତ ଅଭିଯୋଗ କ୍ରମେ ରୁଜୁ ହୋଇଥିବା ଏହି ମାମଲାରେ ରାଇବଣିଆ ଥାନା ଅନ୍ତର୍ଗତ ବରଡିହା ପଂଚାୟତ ଶାଳବଣୀ ଗ୍ରାମର ବାସିନ୍ଦା ରତିକାନ୍ତ ଜେନାଙ୍କ ବଡ଼ପୁଅ ରାଜେଶ ଓ ସାନପୁଅ ଉମେଶ ଦୁହେଁ ଚୋରା ମଦ ବ୍ୟବସାୟୀ ଭାବେ ମୁଖ୍ୟ ଅଭିଯୁକ୍ତ ଥିବା ସ୍ଥଳେ ଅନ୍ୟ ୩୦ ରୁ ଉର୍ଦ୍ଧ୍ବ ତାଙ୍କ ସମର୍ଥକ ପ୍ରମୁଖ ଅଭିଯୁକ୍ତ ଅଛନ୍ତି।

ସମ୍ବନ୍ଧିତ ଖବର