ନବବଧୂକୁ କିରୋସିନି ଢ଼ାଳି ପୋଡ଼ି ହତ୍ୟା ଉଦ୍ୟମ: ସ୍ବାମୀ, ଶାଶୂ, ଶ୍ବଶୁରକୁ ଗିରଫ କଲା ପୁଲିସ୍

ରାୟଗଡ଼ା/ପଦ୍ମପୁର: ଯୌତୁକ ପାଇଁ ନବବଧୂକୁ ପୋଡ଼ି ହତ୍ୟା ଉଦ୍ୟମ କରିଛନ୍ତି ଶ୍ବଶୁର ଘର ଲୋକ। ସୌଭାଗ୍ୟବଶତଃ ନବବଧୂ ଖସି ଆସି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହେବା ପରେ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ବାୟାପୁରରେ। ଘଟଣାରେ ସଂପୃକ୍ତ ଅଭିଯୋଗରେ ପୁଲିସ୍ ସ୍ବାମୀ ସନ୍ତୋଷ ସାହୁ, ଶାଶୂ ରମା ସାହୁ ଓ ଶ୍ବଶୁର କାଳିଆ ସାହୁକୁ ଗିରଫ କରି ପୁଲିସ୍ କୋର୍ଟ ଚାଲାଣ କରିଛି।

ଗତ ବର୍ଷକ ତଳେ ପଦ୍ମପୁରର ସୁପ୍ରିୟା ସାହୁ ବାୟାପୁରର ସନ୍ତୋଷ ସାହୁଙ୍କୁ ବୌଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ଶ୍ବଶୁର ଘର ଲୋକ ଦାବି ମୁତାବକ ଯୌତୁକ ସୁପ୍ରିୟାଙ୍କ ପରିବାର ପକ୍ଷରୁ ଦିଆଯାଇଥିଲା। କିନ୍ତୁ ଅଧିକ ଯୌତୁକ ଦାବିରେ ଶ୍ବଶୁର ଘର ଲୋକ ସୁପ୍ରିୟାଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ। ଗତ ୬ ମାସରୁ ଉର୍ଧ୍ବ ସମୟ ଧରି ଶ୍ବଶୁର ଘର ଲୋକଙ୍କ ନିର୍ଯ୍ୟାତନା ସତ୍ତ୍ବେ ସୁପ୍ରିୟା ସବୁ ସହି ଘରେ ରହି ଆସୁଥିଲେ। ଗତକାଲି ସକାଳେ ଶ୍ବଶୁର ଘର ଲୋକ ସୁପ୍ରିୟାକୁ ପୁଣି ମାଡ଼ ମାରିବା ସହ କିରୋସିନି ଢ଼ାଳି ପୋଡ଼ିବାକୁ ଉଦ୍ୟମ କରୁଥିଲେ। ସ୍ବାମୀ, ଶାଶୁ, ଶ୍ବଶୁର ମିଳିତ ଭାବେ ଏକ ଘର ଭିତରେ ସୁପ୍ରିୟାକୁ କବାଟ ଦେଇ ଶରୀର ଉପରେ କିରୋସିନି ଢ଼ାଳି ଦେଇଥିଲେ। ଏହା ପରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ଠେଲାପେଲା କରି ସୁପ୍ରିୟା ଘର ଭିତରୁ ଖସି ଆସିଥିଲେ। ଦୌଡ଼ି ଆସି ସୁପ୍ରିୟା ପଦ୍ମପୁର ଥାନାରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସୁପ୍ରିୟାଙ୍କ ପରିବାର ଥାନାରେ ପହଞ୍ଚିବା ପରେ ଅଭିଯୋଗକ୍ରମେ ପୁଲିସ୍ ମାମଲା ରୁଜୁ କରିଥିଲା। ଥାନା ଅଧିକାରୀ ସଂଜୟ କୁମାର ନାୟକଙ୍କ ତତ୍ତ୍ବାବଧାନରେ ପୁଲିସ୍ ଟିମ୍ ବାୟାପୁରରେ ଚଢ଼ଉ କରି ସ୍ବାମୀ ସନ୍ତୋଷ, ଶାଶୁ ରମା, ଶ୍ବଶୁର କାଳିଆ ସାହୁକୁ ଗିରଫ କରିଥିଲେ। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଚନ୍ଦ୍ରଶେଖର ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର