ଟେଣ୍ଡର୍‌ କିଣାକୁ ନେଇ ସୁପାରି କାରବାର : ମାରଣାସ୍ତ୍ର ଦେଖାଇ ୩ ଯୁବକଙ୍କୁ ଅପହରଣ

ସମୟ ପାର୍‌ ପରେ ଛାଡ଼ ପାଇଲେ, ଅଭିଯୁକ୍ତ ଗିରଫ, ମାଷ୍ଟର୍‌ମାଇଣ୍ଡ ଫେରାର୍‌

ବାଲେଶ୍ୱର : ବାଲେଶ୍ୱର ରେମୁଣା ଗୋଲେଇସ୍ଥିତ ଓମ୍‌ଫେଡ୍‌ ଡାଏରୀ ପ୍ଲାଣ୍ଟର ଟ୍ରାନ୍ସପୋର୍ଟ ଟେଣ୍ଡର କିଣିବାକୁ ଆସିଥିବା ଭୁବନେଶ୍ୱରର ୩ ଜଣ ଯୁବକଙ୍କୁ ଅପହରଣର ଶିକାର ହେବାକୁ ପଡ଼ିଛି। ଟେଣ୍ଡର୍‌ ପେପର୍‌ କିଣା ସମୟ ଶେଷ ହେବା ପରେ ସେମାନେ ଛାଡ଼ ପାଇଛନ୍ତି। ଏହି ଘଟଣାରେ ପୁଲିସ୍‌ ୪ ଜଣ ଅପହରଣକାରୀଙ୍କୁ ଗିରଫ କରିଥିବାବେଳେ ମାଷ୍ଟରମାଇଣ୍ଡ୍‌ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

ଏହି ୩ ଜଣ ଯୁବକ ହେଲେ, ତାପସ କୁମାର, ରୂପକ ମହାନ୍ତି ଓ ସତ୍ୟରଂଜନ ସାହୁ। ରେମୁଣାସ୍ଥିତ ଓମ୍‌ଫେଡ୍‌ ଡାଏରି ପ୍ଲାଣ୍ଟରେ ଟ୍ରାନ୍ସପୋର୍ଟ କାରବାର ପାଇଁ ଦୀର୍ଘ ତିନିବର୍ଷ ହେଲା ଟେଣ୍ଡର ମାଧ୍ୟମରେ ସେମାନେ ଗାଡ଼ି ଲଗାଇଥିଲେ। ଚଳିତବର୍ଷ ଉକ୍ତ ଟେଣ୍ଡରର ଅବଧି ପୂରିଯାଇଥିବାରୁ ୪ ତାରିଖରେ ପୁଣି ଟେଣ୍ଡର ଡକାଯିବାକୁ ଦିନଧାର୍ଯ୍ୟ ହୋଇଥିଲା। ଏଥିପାଇଁ ୨ ତାରିଖ ଦିନ ତାପସ, ରୂପକ ଓ ସତ୍ୟରଂଜନ ଟେଣ୍ଡର ପେପର୍‌ କିଣିବା ପାଇଁ ଏକ ଲାଲ ରଂଗର ସୁଇପ୍ଟ କାର୍‌ରେ ଓମ୍‌ଫେଡ୍‌ ପ୍ଲାଣ୍ଟକୁ ଆସୁଥିଲେ। ତେବେ ସେମାନଙ୍କୁ ଟେଣ୍ଡର ପେପର କିଣାଇ ନଦେବା ପାଇଁ ପ୍ଲାଣ୍ଟରେ ଟ୍ରାନ୍ସପୋର୍ଟ କାରବାରରେ ଗାଡ଼ି ଲଗାଇଥିବା ଗୌତମ ରାଉତ ଓ ତାଙ୍କ ଅନ୍ୟ ସହଯୋଗୀମାନେ ଯୋଜନା କରିଥିଲେ। ଉକ୍ତ ତିନିଜଣକୁ ବାଟରୁ ଅପହରଣ କରିନେବା ପାଇଁ ଅପରାଧୀମାନଙ୍କୁ ସୁପାରି ଦେଇଥିଲେ।

ସେହି ଅନୁସାରେ ଗିରଫ ହୋଇଥିବା ଉକ୍ତ ଅଭିଯୁକ୍ତମାନେ ୨ ତାରିଖ ପୂର୍ବାହ୍ନରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପୁରୁଣା କ୍ୟାମ୍ପସ୍‌ଠାରେ ତାପସ ଓ ତାଙ୍କ ବନ୍ଧୁମାନେ ଆସୁଥିବା ଗାଡ଼ି ଅଟକାଇଥିଲେ। ସେମାନଙ୍କୁ ଧମକଚମକ ଦେବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହାପରେ ମାରଣାସ୍ତ୍ର ଦେଖାଇ ସେଠାରୁ କାର୍‌ ସହ ସେମାନଙ୍କୁ ବୋଲେରୋରେ ରେମୁଣାରୁ ଉଦଳା ଓ ସେଠାରୁ ବାରିପଦା ନେଇଯାଇଥିଲେ। ଅପରାହ୍ନରେ ଟେଣ୍ଡର ପେପର କିଣିବା ସମୟ ସରିଯିବା ପରେ ଅପହରଣକାରୀମାନେ ସେମାନଙ୍କଠାରୁ ଟଙ୍କା, ସୁନାଚେନ୍‌ ଆଦି ଛଡ଼ାଇନେଇ ଛାଡ଼ିଦେଇଥିଲେ।

ତାପସ ଓ ତାଙ୍କ ସହଯୋଗୀମାନେ ବାଲେଶ୍ୱର ଫେରିବା ପରେ ଶିଳ୍ପାଞ୍ଚଳ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଅପହରଣରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ ସହ ଓଡି-୦୧-ସି-୭୯୫୪ର ବୋଲେରୋକୁ ପୁଲିସ୍‌ ଜବତ କରିଛି। ଅଭିଯୁକ୍ତମାନେ ହେଲେ; ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ତେଲେଙ୍ଗାସାହିର ନିଖିଲ ବେହେରା (୨୫), ଶିଳ୍ପାଞ୍ଚଳ ଥାନା ଅଧୀନ ଗଣେଶ୍ୱରପୁରର ବାନା ଓରଫ୍‌ ହୃଷିକେଶ ତ୍ରିପାଠୀ (୨୭), ରେମୁଣା ଥାନା ଅଧୀନ ମେଣ୍ଡ୍ରା ଗାଁର ବିଟୁ ଓରଫ୍‌ ଇନ୍ଦ୍ରମୋହନ ପ୍ରଧାନ (୩୨) ଓ ବୋଲେରୋ ଗାଡ଼ିର ଡ୍ରାଇଭର ବାଲେଶ୍ୱର ଟାଉନ୍‌ ଥାନା ସୁନହଟ୍‌ ଅଞ୍ଚଳର ସେଖ୍‌ ଜୁମୁନା (୩୨)। ସମସ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।

ଅନ୍ୟପକ୍ଷରେ ଏହି ଅପହରଣ ଘଟଣାର ମାଷ୍ଟରମାଇଣ୍ଡ ଖଇରା ଥାନା ଅଞ୍ଚଳର ଗୌତମ ରାଉତ ଓ ତାଙ୍କର ୨ ସହଯୋଗୀ ଥିବା ଗିରଫ ଅଭିଯୁକ୍ତମାନେ ମାନିଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ରେମୁଣା ଗୋଲେଇ ଫାଣ୍ଡି ଅଧିକାରୀ ଫକୀର ଚରଣ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର