କରୋନା କଟକଣା ବେଳେ ବିବାହ କରୁଥିବାରୁ ବର ସହ ପୁରୋହିତକୁ ଉଠାଇନେଲା ପୁଲିସ

ଫୁଲବାଣୀ: କରୋନା କଟକଣାକୁ ନ ମାନି ବିବାହ କରିବା ମହଙ୍ଗା ପଡିଛି | କଟକଣା ସତ୍ତ୍ୱେ ଆଡ଼ମ୍ବରପୂର୍ଣ୍ଣ ବିବାହ କରୁଥିବାରୁ ଉଭୟ ବର ଓ ପୁରୋହିତଙ୍କୁ ପୁଲିସ ବେଦୀରୁ ଉଠାଇଆଣି ଅଟକ ରଖିଛି | ବରଙ୍କ ସହ ତାଙ୍କ ଦାଦାଙ୍କୁ ମଧ୍ୟ ପୁଲିସ ଉଠାଇଆଣିଛି | ମିଳିଥିବା ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଲାଇନପଡା ଗାଁର ସଂଗ୍ରାମ ଦିଗାଲଙ୍କର ବାହାଘର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବାଲିପଡ଼ାରେ ହେଉଥିଲା | ଏ ବାବଦରେ ସୂଚନା ପାଇବା ପରେ ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ ଓ ତୁମୁଡିବନ୍ଧ ଆଇଆଇସି ବାବା ସରାଫ ବର ସଂଗ୍ରାମ ଦିଗାଲ, ତାଙ୍କ ଦାଦା ଓ ପୁରୋହିତ ମାଧବ ଦାଶଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି | ଏମାନଙ୍କ ନାମରେ ୨୭/୨୦ରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି | ଏହା ପୂର୍ବରୁ କନ୍ଧମାଳ ଜିଲ୍ଲାରୁ ମାର୍ଚ୍ଚ ୨୩ ତାରିଖରେ ଦୁଇ ଜଣ ବରଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା |

ମାର୍ଚ୍ଚ ୨୩ ରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ପଞ୍ଚାୟତର ନୂଆପଡା ଗ୍ରାମରେ ମୁରଲୀଧର ଭୁକ୍ତାଙ୍କ ପୁଅ ପରମେଶ୍ୱର ଭୁକ୍ତା ବିବାହ କରୁଥିଲେ | ଏହି ବିବାହ କାର୍ଯ୍ୟକ୍ରମରେ ୬୦ରୁ ୮୦ ଜଣ ସମ୍ପର୍କୀୟ ଓ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ | ଏହି ବିବାହ ବାବଦରେ ଫିରିଙ୍ଗିଆ ପୁଲିସ ପାଖରେ ପହଞ୍ଚିଥିଲା | ପ୍ରଶାସନର ବାରମ୍ବାର କଟକଣା ନେଇ ଘୋଷଣା ସତ୍ୱେ ଯୁବକ ଜଣକ ବିବାହ କରୁଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିଲା | ୧୪୪ ସିଆରପିସି ଅଧୀନରେ ତାଙ୍କୁ ଗିରଫ କରାଯାଇ ଥିବାବେଳେ ୨୫/୨୦ କେସ ନମ୍ବରରେ ପୁଲିସ ମାମଲା ରୁଜୁ କରିଥିଲା |

ସେହିପରି କରୋନା କଟକଣା ଥିବା ସତ୍ତ୍ୱେ ବିବାହ କରୁଥିବାରୁ ବିଜୁ କହ୍ନର ନାମକ ଆଉ ଜଣେ ବରଙ୍କୁ ମଧ୍ୟ ଗୋଛାପଡା ପୁଲିସ ଗିରଫ କରିଥିଲା | ସୂଚନା ମୁତାବକ ବିଜୁ କହ୍ନର ଗୋଛାପଡା ଥାନା ଅନ୍ତର୍ଗତ ଖଜୁରୀ ଗାଁରେ ବିବାହ କରୁଥିବାବେଳେ ପୁଲିସ ତାଙ୍କୁ ଓ ତାଙ୍କ ଭାଇଙ୍କୁ ଗିରଫ କରିଥିଲା |

ସମ୍ବନ୍ଧିତ ଖବର