କପ୍ତିପଦା: ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍ର ପର୍ଦ୍ଦାଫାସ୍ କରିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପୁଲିସ। ଗତ ୭ ତାରିଖ ପୂର୍ବାହ୍ନରେ କପ୍ତିପଦା ବଜାର ପଟ୍ଟନାୟକ ଔଷଧ ଦୋକାନ ସମ୍ମୁଖରୁ ବାଇକ୍ ଡିକି ଭାଙ୍ଗି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍ ଘଟଣାରେ ସଂପୃକ୍ତ ଏହି ଗ୍ୟାଙ୍ଗ୍ର ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଏ ଚକ୍ରବର୍ତ୍ତୀ ଓ ଶିବା ପ୍ରଧାନ। ସମ୍ପର୍କରେ ଉଭୟ ମାମୁ-ଭଣଜା ହୋଇଥିବା ବେଳେ ସେମାନେ ଯାଜପୁର ଜିଲ୍ଲା ବାରମାଣିଆ ଅଞ୍ଚଳରେ ରହି ଲୁଟ୍ର ନକ୍ସା ତିଆରି କରୁଥିଲେ। ସେମାନଙ୍କ ପାଖରୁ ୧ ଲକ୍ଷ ୫୩ ହଜାର ୮୮୦ ଟଙ୍କା, ୨ଟି ବାଇକ୍, ୩ଟି ମୋବାଇଲ୍, ଗାଡ଼ି ଚାବି ଭାଙ୍ଗିବାର ଏକ ମାଷ୍ଟର ଚାବି ଜବତ କରିଛି ପୁଲିସ।
ଏହି ଗ୍ୟାଙ୍ଗ୍ର ଅନ୍ୟ ସଦସ୍ୟମାନଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ଚଢ଼ଉ ଜାରି ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କପ୍ତିପଦା ଥାନା ଆଇଆଇସି ମିନତୀ ବିଶ୍ବାଳ। ସୂଚନାଯୋଗ୍ୟ, ଗେଣ୍ତାଗଡ଼ିଆ ଗ୍ରାମର ରଣଜିତ ରାଉତ କପ୍ତିପଦା ଏସ୍ବିଆଇ ଶାଖାରୁ ୨ ଲକ୍ଷ ୪୦ ହଜାର ଟଙ୍କା ଉଠାଇ ଗାଡ଼ି ଡିକିରେ ରଖି ପଟ୍ଟନାୟକ ଔଷଧ ଦୋକାନ ଯାଇଥିଲା ବେଳେ ଦୁର୍ବୃତ୍ତମାନେ ଡିକି ଭାଙ୍ଗି ଟଙ୍କା ବ୍ୟାଗ୍ ଧରି ଚମ୍ପଟ ମାରିଥିଲେ। ତେବେ ବଜାରର ଜଣେ ଦୋକାନୀଙ୍କ ସିସିଟିଭିରେ ୨ ଜଣ ଦୁର୍ବୃତ୍ତ ଟଙ୍କା ବ୍ୟାଗ୍ ଧରି ଚମ୍ପଟ ମାରୁଥିବାର ଚିତ୍ର ଉତ୍ତୋଳିତ ହୋଇଥିଲା।
ପୁଲିସ ସେମାନଙ୍କ ଫଟୋକୁ ଜିଲ୍ଲାର ବିଭିନ୍ନ ଥାନକୁ ପଠାଇବା ସହ ତଦନ୍ତ ଜାରି ରଖିଥିଲା। ଗତ ବୁଧବାର ରାଇରଙ୍ଗପୁର ପୁଲିସ ୨ ଜଣ ଯୁବକଙ୍କୁ ସନ୍ଦେହରେ ଅଟକ ରଖିବା ସହ ସିସିଟିଭିରୁ ଉତ୍ତୋଳିତ ଚିତ୍ର ସହ ସେମାନଙ୍କ ମୁହଁ ମେଳ ଖାଉଥିବାରୁ କପ୍ତିପଦା ପୁଲିସକୁ ଖବର କରିଥିଲା। ଗତକାଲି କପ୍ତିପଦା ପୁଲିସ ଅଟକ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଜେରା କରିବା ପରେ ସେମାନେ ସବୁ ସତ ଓଗାଳିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଏସ୍ଆଇ ଗୀତାଞ୍ଜଳି ଦାସ, ଶିରିଶ କୁମାର ନାୟକ ଉପସ୍ଥିତ ଥିଲେ।