ଚାଷୀ-ପୁଲିସ ମୁହାଁମୁହିଁ : ରାଜଧାନୀରେ ୬ ଶହରୁ ଅଧିକ ଚାଷୀ ଗିରଫ, ଅଟକ

ଭୁବନେଶ୍ବର : ରାଜଧାନୀରେ ଆଜି ଚାଷୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ପ୍ରତିବାଦ କରିବାକୁ ଆସିଥିବା ନେତାଙ୍କ ସମେତ ଶତାଧିକ ଚାଷୀଙ୍କୁ ବିକ୍ଷୋଭ ପ୍ରଦର୍ଶନ କରିବା ପୂର୍ବରୁ ପୁଲିସ ଟେକି ନେଇ ଅଟକ ରଖିଛି। ଚାଷୀଙ୍କ ବିକ୍ଷୋଭକୁ ଭଣ୍ଡୁର କରିବାରେ ପୁଲିସ ସଫଳ ହୋଇଛି। ଲୋୟର ପିଏମ୍‌ଜିରେ ଆଜି ଦିନତମାମ ଗିରଫଦାରୀ ଜାରି ରହିଥିଲା। ‌ତେବେ ପୁଲିସର ଏହି ଗିରଫଦାରୀକୁ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ପୁଲିସ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବାର ସୁଯୋଗ ଦେଉ ନ ଥିବାରୁ ଆଗାମୀ ଦିନରେ ଗାଁରେ ପ୍ରତିବାଦ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ଚାଷୀଙ୍କୁ ପେନସନ ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ରାଜଧାନୀରେ ବିକ୍ଷୋଭ ଆହ୍ବାନ କରାଯାଇଥିଲା। ଗତକାଲିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚାଷୀମାନେ ରାଜଧାନୀକୁ ଆସିବାକୁ ଆରମ୍ଭ କରିଥିଲେ। ମାତ୍ର ଜିଲ୍ଲାସ୍ତରରେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା। ଏହାସତ୍ବେ ଚାଷୀମାନେ ଟ୍ରେନ୍‌ରେ ରାଜଧାନୀରେ ପହଞ୍ଚିଥିଲେ।

ମାତ୍ର ପୁଲିସ ଏଥିପାଇଁ ଆଗୁଆ ପ୍ରସ୍ତୁତ ହୋଇ ରହିଥିଲା। ଷ୍ଟେସନ୍‌ରୁ ବାହାରିବା ପୂର୍ବରୁ ପୁଲିସ ସେମାନଙ୍କୁ ଅଟକାଇଥିଲା। ଯାହାକୁ ନେଇ ସେଠାରେ ପୁଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ପୁଲିସକୁ ଚକ୍‌ମା ଦେଇ ଲୋୟର ପିଏମ୍‌ଜିକୁ ଖସି ଆସିଥିବା ଚାଷୀଙ୍କୁ ମଧ୍ୟ ସେଠାରେ ନିସ୍ତାର ମିଳି ନ ଥିଲା। ପୁଲିସ ସେଠାରେ ବି ‌ଚାଷୀମାନଙ୍କୁ ଗିରଫ କରିଥିଲା। ଏହାର ପ୍ରତିବାଦରେ ଚାଷୀମାନେ ରାସ୍ତା ଉପରେ ‌ଶୋଇ ପ୍ରତିବାଦ କରିଥିଲେ। ମାତ୍ର ପୁଲିସ ଶୁଣି ନ ଥିଲା। ଏକାଧିକ ପର୍ଯ୍ୟାୟରେ ପୁଲିସ ଶହ ଶହ ଚାଷୀଙ୍କୁ ଗିରଫ କରିଥିଲା। କେବଳ ଷ୍ଟେସନ୍‌ ନୁହେଁ ରାଜପଥରେ ବିଭିନ୍ନ ବସ୍‌କୁ ଅଟକାଇ ସେଥିରେ ଆସୁଥିବା ଚାଷୀମାନଙ୍କୁ ଗିରଫ କରାଯାଇଥିଲା। ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କୁ ଚଣ୍ଡୀଖୋଲ ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କୁ ଖୋର୍ଧାରୁ ପୁଲିସ ଉଠାଇ ନେଇଛି।

ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଗଣମାଧ୍ୟମକୁ କହିଛନ୍ତି, ଯେଉଁଭଳି ଭାବେ ଚାଷୀଙ୍କ ଉପରେ ଅତ୍ୟାଚାର ହେଉଛି, ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଏହାର ଜବାବ ମିଳିବ। ରାଜ୍ୟ ସ‌ଂଯୋଜକ ଶେଷଦେବ ନନ୍ଦ କହିଛନ୍ତି, ଚାଷୀମାନେ ନିଜ ହକ୍ ପାଇଁ ରାଜଧାନୀକୁ ଆସୁଥିବା ବେଳେ ପୁଲିସ ସେମାନଙ୍କ ସଭା କରାଇ ଦେଉନାହିଁ। ଅଧା ବାଟରେ ଶତାଧିକ ଚାଷୀଙ୍କୁ ପୁଲିସ ଅଟକାଇ ରଖିଛି। ତେଣୁ ଆଗାମୀ ଦିନରେ ଗାଁ ଗାଁରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ଶ୍ରୀ ନନ୍ଦ କହିଛନ୍ତି।
ଅନ୍ୟପକ୍ଷରେ ଆଜି ରାଜଧାନୀରୁ ୬ଶହରୁ ଅଧିକ ଚାଷୀଙ୍କୁ ଗିରଫ କରାଯାଇଛି ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର