ପୁଲିସ କବ୍‌ଜାରେ ‘ଷ୍ଟୋନ୍‌ମ୍ୟାନ୍‌’! : ଖବରୀ ସୂଚନା ଆଧାରରେ ଜିଲ୍ଲା ବାହାରୁ ଧରିଲା ପୁଲିସ

ଭୁଜାଲି କିମ୍ବା ଚାପଡ଼ରେ ଘଟାଇଛି ୩ଟି ଯାକ ହତ୍ୟାକାଣ୍ଡ, ଗୋପନ ସ୍ଥାନରେ ରଖି ପଚରାଉଚରା କରୁଛି ପୁଲିସ

କଟକ : କଟକରେ ୨୪ ଘଣ୍ଟା ଭିତରେ ୩ ଜଣଙ୍କୁ ହତ୍ୟା କରି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ‘ଷ୍ଟୋନ୍‌ମ୍ୟାନ’ ଶେଷରେ ପୁଲିସ ହାତରେ ଧରାପଡ଼ିଛି। କଟକ କମିସନରେଟ୍‌ ପୁଲିସ ଏକ ଖବରୀ ଜରିଆରେ ‘ଷ୍ଟୋନ୍‌ମ୍ୟାନ୍‌’ର ଠିକଣା ପାଇବାରେ ସଫଳ ହେବା ପରେ ତା’କୁ ଜିଲ୍ଲା ବାହାରୁ ଧରାଯାଇଛି ଏବଂ ଏକ ଗୋପନ ଜାଗାରେ ରଖାଯାଇ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ତେବେ ଏ ନେଇ ପୁଲିସ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆ ଯାଇନାହିଁ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ନରପିଶାଚ ରୂପୀ ‘ଷ୍ଟୋନ୍‌ମ୍ୟାନ’ର ବୟସ ୪୦ ବର୍ଷ ଭିତରେ। କିଛି ଦିନ ତଳେ କଟକରେ ସେ ତିନି ଜଣଙ୍କୁ ଚାପଡ଼ କିମ୍ବା ଭୁଜାଲିରେ ହାଣି ହତ୍ୟା କରିଥିଲା। ପ୍ରଥମେ ଗତ ୨୩ ତାରିଖ ଦିନ ମଙ୍ଗଳାବାଗ ଥାନା ରାଣୀହାଟ କେନାଲ ରୋଡ ନିକଟରେ ଥିବା ଏକ ଚା’ ଦୋକାନ ନିକଟରୁ ପ୍ରଥମେ ଗୋଧି କାଳିଆ ଓରଫ କୋଦଣ୍ତ ରାଉତର ମୃତଦେହ ମିଳିଥିଲା। ଗୋଧିଙ୍କୁ ଗଳକାଟି ପଥରରେ ଛେଚି ହତ୍ୟା କରାଯାଇଥିଲା। ଏହାର ୨୪ଘଣ୍ଟା ମଧ୍ୟରେ ସମାନ ଢଙ୍ଗରେ ଆଉ ଦୁଇ ଜଣ ନିରାଶ୍ରୟଙ୍କୁ ଓଏମ୍‌ପି ଓଭରବ୍ରିଜ୍‌ ତଳେ ଏବଂ ପାରଳା ମହାରାଜ ଉଦ୍ୟାନରେ ହତ୍ୟା କରାଯାଇଥିଲା। ୨୪ତାରିଖ ସକାଳୁ ପୁଲିସ ଓଏମ୍‌ପିରୁ ମୃତଦେହ ଜବତ କରିଥିଲା। ଦୁଇ ଦିନରେ ଏହି ସାଇକୋ କିଲର୍‌ ତିନିଟି ହତ୍ୟା କରିବାରୁ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା। କଟକ ଓ ଭୁବନେଶ୍ବରରେ ଏହାକୁ ନେଇ ଆତଙ୍କ ଖେଳି ଯାଇଥିବାବେଳେ ଉଭୟ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଏବଂ ଏବଂ ଷ୍ଟୋନ୍‌ମ୍ୟାନ୍‌କୁ ଧରିବା ଲାଗି ଦିନରାତି ଏକ କରି ଦେଇଥିଲା।

ତେବେ ପୁଲିସ ପାଇଁ ତା’କୁ ଧରିବାଏକ ବଡ଼ ଚାଲେଞ୍ଜ ହୋଇଥିଲା। ପୁଲିସ ସିସି କ୍ୟାମେରା ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିଲା। ବିଶେଷ କରି ଓଏମ୍‌ପି, କଲେଜ ଛକ, ରାଣୀହାଟ ଓ କଟକ ବଡ଼ ମେଡିକାଲ୍‌ ନିକଟରୁ ସିସି କ୍ୟାମେରା ଫୁଟେଜ ଜବତ କରି ଷ୍ଟୋନ୍‌ମ୍ୟାନର ଗତିବିଧି ସଂପର୍କରେ ପୁଲିସ ତନାଘନା କରିଥିଲା। ଆଉ ସବୁତକ ହତ୍ୟାକାଣ୍ଡ ଭୋର୍‌ ୪ରୁ ସାଢ଼େ ୪ଟା ମଧ୍ୟରେ ହୋଇଥିବା ଏବଂ ଷ୍ଟୋନ୍‌ମ୍ୟାନ୍‌ ଭୁଜାଲି କିମ୍ବା ଚାପଡ଼ରେ ଏପରି କାଣ୍ଡ ଭିଆଇଥିବା ସିସିକ୍ୟାମେରା ଫୁଟେଜ୍‌ରୁ ପୁଲିସ ଜାଣିବାକୁ ପାଇଥିଲା। ସେପଟେ ରସୁଲଗଡ଼ ଫରେନ୍‌ସିକ ସାଇନ୍ସ ଲାବୋରେଟୋରିରୁ ମିଳିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ, ସମସ୍ତ ହତ୍ୟାକାଣ୍ତ ଜଣେ ଲୋକ ଘଟାଇଛି। ଏଥିରେ ଚାପଡ଼ ଏବ˚ ଭୁଜାଲି ଭଳି ଧାରୁଆ ଅସ୍ତ୍ର ବ୍ୟବହୃତ ହେଇଥିବା ଜଣାପଡ଼ିଥିଲା। ସିସି କ୍ୟାମେରା ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣେ ଲୋକ ଏପରି ଘଟଣା ଘଟାଇଥିବା ସ୍ପଷ୍ଟ ହେବା ପରେ ସଂପୃକ୍ତ ହତ୍ୟାକାରୀ କିଏ ଏବଂ କେଉଁଠି ରହିଛି, ତାହା ଜାଣିବା ପୁଲିସ ପାଇଁ ମୁସ୍କିଲ୍‌ ହୋଇପଡ଼ିଥିଲା।

ଏଭଳି ସ୍ଥିତିରେ ହତ୍ୟାକାଣ୍ଡ ସଂପର୍କରେ ଗଣମାଧ୍ୟମରେ ଲଗାତର ଖବର ପ୍ରକାଶ ପାଇବା ପରେ ପଡେ଼ାଶୀ ଜିଲ୍ଲାରେ ଥିବା ଜଣେ ଖବରୀ ‘ଷ୍ଟୋନ୍‌ମ୍ୟାନ’ର ଠିକଣା ଏବ˚ ପୂର୍ବରୁ ଘଟାଇଥିବା କାର୍‌ସାଦି ସମ୍ପର୍କରେ ଜଣେ ବରିଷ୍ଠ ପୁଲିସ ଅଫିସରଙ୍କୁ ସୂଚନା ଦେଇଥିଲେ। ଏହି ଗୋପନୀୟ ତଥ୍ୟ ଆଧାରରେ ରବିବାର କମିସନରେଟ ପୁଲିସର ଏସିପି, ଇନ୍‌ସ୍ପେକ୍ଟର, ଏସ୍‌ଆଇ ଏବ˚ ସ୍ପେଶାଲ ସ୍କ୍ବାଡ୍‌ର ୧୨ ଜଣ କନ୍‌ଷ୍ଟେବଳଙ୍କୁ ନେଇ ଗଠିତ ୫ଟି ସ୍ବତନ୍ତ୍ର ଟିମ୍‌ କଟକ ଜିଲ୍ଲା ବାହାରକୁ ‘ଷ୍ଟୋନ୍‌ମ୍ୟାନ’କୁ ଧରିବାକୁ ଯାଇଥିଲା। ପୁଲିସ ଟିମ୍‌ ଯାଜପୁର, ଜଗତସି˚ହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗସି˚ହପୁର, ଖୋର୍ଧା, ଢେଙ୍କାନାଳ, ବାଲେଶ୍ବର ଇତ୍ୟାଦି ଅଞ୍ଚଳରେ ‘ଷ୍ଟୋନ୍‌ମ୍ୟାନ’ର ଘର ସମେତ କେତେକ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିଥିଲା। ସେଠାରୁ ସୂଚନା ପାଇ ପୁଲିସ ‘ଷ୍ଟୋନ୍‌ମ୍ୟାନ୍‌’କୁ ଧରିବାରେ ସଫଳ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର