ସମ୍ବଲପୁର : ଏକା ଯାଉଥିଲେ ସାବଧାନ। ହାଇୱେରେ ମାତିଛନ୍ତି ଲୁଟେରା। ମାରଣାସ୍ତ୍ର ଦେଖାଇ ଲୁଟି ନେଉଛନ୍ତି ଟଙ୍କା ଓ ଅଳଙ୍କାର। ବିରୋଧ କଲେ ଆକ୍ରମଣ ବି କରୁଛନ୍ତି। ସମ୍ବଲପୁର ସହରର ରାସ୍ତା ଏବେ ଅପରାଧୀଙ୍କ ଚରା ଭୂଇଁ ପାଲଟି ଗଲାଣି। ହାଇୱେ ଲୁଟେରା ସହରର ରାସ୍ତାରେ ରାଜ୍ କରୁଥିବା ଦେଖିବାକୁ ମିଳୁଛି। ଲୁଟେରାମାନେ ବାଇକ୍ ଚାଳକଙ୍କ ଠାରୁ ଆରମ୍ଭ କରି ଟ୍ରକ୍ ପର୍ଯ୍ୟନ୍ତ ଲୁଟି ନେଉଥିବା ନିକଟରେ ଦେଖିବାକୁ ମିଳିଛି। ଅଇଁଠାପାଲି ଥାନା ଅଞ୍ଚଳରେ ଦୌରାତ୍ମ୍ୟ ମଚାଇଥିବା ଏକ ହାଇୱେ ଲୁଟେରା ଗ୍ୟାଙ୍ଗ୍କୁ ପୁଲିସ ମଙ୍ଗଳବାର ଧରିବାରେ ସଫଳ ହୋଇଛି। ଗ୍ୟାଙ୍ଗ୍ର ଜଣେ ନାବାଳକ ବ୍ୟତୀତ ୩ ଜଣଙ୍କୁ ପୁଲିସ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ସୋମବାର ରାତି ସୁନ୍ଦରଗଡ଼ର ସୁରଜ କୁମାର ପଟେଲ୍ ଅଇଁଠାପାଲି ବସ୍ଷ୍ଟାଣ୍ଡରେ ବସ୍କୁ ଅପେକ୍ଷା କରିଥିଲେ। ଏତିକି ବେଳେ ୨ଟି ବାଇକ୍ରେ ୪ ଦୁର୍ବୃତ୍ତ ଆସି ତାଙ୍କୁ ଛୁରି ଦେଖାଇ ମୋବାଇଲ୍ ଲୁଟ୍ କରି ନେଇ ଯାଇଥିଲେ। ଏ ନେଇ ମଙ୍ଗଳବାର ସୁରଜ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେଭଳି ସୋମବାର ରାତି ପାଖାପାଖି ୧୨ଟା ସମୟରେ ହାଟପଡ଼ାର ସୁରଥ ସାହୁ ଓ ତାଙ୍କ ସମ୍ପର୍କୀୟ ଭାଇ ଦେବରଞ୍ଜନ ନାୟକ ବାଇକ୍(ଓଡି ୧୫ପି ୪୮୫୯)ରେ ମାଝୀପାଲି ଯାଉଥିଲେ। ପରଧିଆପାଲି ଛକ ନିକଟରେ ୪ ଜଣ ଦୁର୍ବୃତ୍ତ ଦେବରଞ୍ଜନଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ସେମାନଙ୍କ ପାଖରୁ ୨ଟି ସୁନା ଚେନ୍, ୭୦୦ ଟଙ୍କା ଏବଂ ବାଇକ୍ ଲୁଟି ଫେରାର୍ ହୋଇଯାଇଥିଲେ।
ଏ ନେଇ ସୁରଥ ମଙ୍ଗଳବାର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୨ଟି ଅଭିଯୋଗ ପରେ ପୁଲିସ ୨ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତ୍ବରିତ ପଦକ୍ଷେପ ଗ୍ରହଣ କରିବା ସହ ଅଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଉକ୍ତ ଲୁଟେରା ଗ୍ୟାଙ୍ଗ୍କୁ ଧରିବାରେ ପୁଲିସ ସଫଳ ହୋଇଥିଲା। ଏହି ଗ୍ୟାଙ୍ଗ୍ର ୪ ଜଣଙ୍କୁ ପୁଲିସ ଧରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା କହିଛି। ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଅଇଁଠାପାଲି କେନାଲ୍ପଡ଼ାର ଅବିନାଶ ମୁଣ୍ଡା(୨୧), ବଡ଼ପଡ଼ାର ରାମଜାନୀ ମୁଣ୍ଡା(୩୦) ଓ ଦେହେରିପାଲିର ମଧୁସୂଦନ ମୁଣ୍ଡା(୩୩)। ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ପାଖରୁ ପୁଲିସ ଲୁଟ୍ ହୋଇଥିବା ବାଇକ୍ ସମେତ ନମ୍ବର ନଥିବା ଆଉ ୨ଟି ବାଇକ୍, ୪ଟି ମୋବାଇଲ୍ ଫୋନ୍, ୨ଟି ସୁନା ଚେନ୍, ନଗଦ ୬୦୦ ଟଙ୍କା ଓ ୨ଟି ଛୁରି ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/sambalpur-loot.jpg)