ଶିମିଳିପାଳରେ ବନରକ୍ଷୀଙ୍କୁ ଗୁଳି କରି ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀକୁ ବାନ୍ଧିଲା ପୁଲିସ

କଳାବାଡିଆ : ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ବାଉଁଶଖାଳ ବିଟ୍‌ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ଗୁଳିରେ ନିହତ ହୋଇଥିଲେ ବନରକ୍ଷୀ ବିମଳ ଜେନା। ମାସକ ପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମକରା ଟୁଡୁ (୨୭) ଓ ତାର ସହଯୋଗୀ ମାଝିଆ ଟୁଡୁ (୨୯)କୁ ଆଜି ଗିରଫ କରିଛି ବାଙ୍ଗିରିପୋଷି ପୁଲିସ। ଜେରା ବେଳେ ବନରକ୍ଷୀ ବିମଳଙ୍କୁ ଗୁଳି ମାରି ହତ୍ୟା କରିଛି ବୋଲି ମୁଖ୍ୟ ଅଭିଯୁକ୍ତ ମକରା ମାନିଥିବା କହିଛନ୍ତି ବାଙ୍ଗିରିପୋଷି ଥାନା ଅଧିକାରୀ କମଳାକାନ୍ତ ଦାସ। ଉଭୟଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ ହୋଇଛି। ଏହି ଦୁଇଜଣଙ୍କୁ ମିଶାଇ ଘଟଣାରେ ସଂପୃକ୍ତ ମୋଟ୍‌ ୧୦ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି।

ମୁଖ୍ୟ ଅଭିଯୁକ୍ତ ମକରା ଓ ତାର ସହଯୋଗୀ ମାଝିଆର ଘର ବାଙ୍ଗିରିପୋଷି ଥାନା ଯୁହା ଗାଁରେ। ଏହି ଘଟଣା ପରେ ଦୁହେଁ କେତେବେଳେ ଜଙ୍ଗଲ ତ କେତେବେଳେ ପଡୋଶୀଙ୍କ ଘରେ ରାତି ବିତାଉଥିବାରୁ ପୁଲିସ ସେମାନଙ୍କୁ ଧରି ପାରୁନଥିଲା। ତେବେ ମୟୂରଭଞ୍ଜର ନୂଆ ଏସ୍‌ପି ବି.ଗଙ୍ଗାଧର ଦାୟିତ୍ବ ଗ୍ରହଣ ଗ୍ରହଣ କଲା ପରେ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାରିପଦା ସଦର ଏସ୍‌ଡିପିଓ ପ୍ରକାଶ ଜେମ୍‌ସ ଟପୋ ଓ ଥାନା ଅଧିକାରୀ କମଳାକାନ୍ତ ଦାସ ଏକ ବିଶ୍ବସ୍ତ ସୂଚନାକୁ ଆଧାର କରି ଉଭୟଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରିଥିଲେ। ଦୁହେଁ ପେସାଦାର ଶିକାରୀ ବୋଲି ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଏମାନଙ୍କ ପାଖରୁ ବନ୍ଧୁକ ସହିତ ଗୁଳି ଜବତ ହୋଇଥିଲା।

ସମ୍ବନ୍ଧିତ ଖବର