ସାଲେପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ସାମଜିକ ଗଣମାଧ୍ୟମରେ ଭାଇରାଲ କରିବା ଅଭିଯୋଗରେ ଉତ୍ତରପ୍ରଦେଶ ସିଙ୍ଗାବଲି ଥାନାର ଏକ ପୁଲିସ ଟିମ୍‌ କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡା ପଂଚାୟତର କୁସମ୍ବୀ ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାମ ସୟଦ ହସନ ଅହମ୍ମଦ। ସେ ରସିଦ୍‌ ଅହମ୍ମଦଙ୍କ ପୁଅ।

Advertisment

ସୂଚନା ଅନୁସାରେ ସୟଦ ହସନ ପ୍ରଧାନମନ୍ତ୍ରୀ ମୋଦୀ ଓ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ସହିତ ଉତ୍ତର ପ୍ରଦେଶ ସଂଘାବାଲି ଥାନା ଅଂଚଳର ବ୍ୟକ୍ତି ତଥା ବାଗପତ୍‌ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା କୁଲଦୀପ ପାଂଚାଳଙ୍କୁ ବେନାମୀ ମୋବାଇଲ ନମ୍ବରରେ ହତ୍ୟା ଧମକ ଦେଇଥିଲେ।

ଗିରଫ ହୋଇଥିବା ଯୁବକ ଜଣକ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ଯୋଗୀ, ଆରଏସଏସ ସଂଗଠନ, ବିଶ୍ୱହିନ୍ଦୁ ପରିଷଦ, ବଜରଂଗ ଦଳ, ଗୋରକ୍ଷକ ସଂଗଠନ ବିରୋଧରେ ବିବାଦୀୟ ମନ୍ତବ୍ୟ ଲେଖି ସାମାଜିକ ଗଣମାଧ୍ୟମରେ ଭାଇରାଲ କରୁଥିବା ନେଇ ବାଗପତ ଜିଲ୍ଲାର ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା କୁଲଦୀପ ସିଂଘାବଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯେଗକୁ ଭିତ୍ତିକରି ଉତ୍ତରପ୍ରଦେଶ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ପୁଲିସ ବେନାମୀ ମୋବାଇଲ ନମ୍ବରକୁ ଟ୍ରାକିଂ କରି ଅଭିଯୁକ୍ତ ଜଣକ ସାଲେପୁର ଅଂଚଳର ବୋଲି ଜାଣିବାକୁ ପାଇଥିଲା। ଉତ୍ତରପ୍ରଦେଶ ପୁଲିସ ଆଜି ସାଲେପୁର ଥାନାରେ ପହଂଚି ସ୍ଥାନୀୟ ପୁଲିସ ସହାୟତାରେ ସୟଦ ହସନଙ୍କୁ ଦଫା ୫୦୭, ୫୦୪, ୧୫୩ଏ, ୧୨୪ଏରେ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତ ହସନଙ୍କୁ ଆସନ୍ତାକାଲି ସାଲେପୁର କୋର୍ଟରେ ହାଜର କରାଯିବ। ଉତ୍ତର ପ୍ରଦେଶ ପୁଲିସ ରିମାଣ୍ଡରେ ନେବାପାଇଁ ଆବେଦନ କରିପାରେ।