ଖାକିରେ ଲାଗିଲା ଦାଗ: ପୁଲିସ ଏଏସଆଇ ସହ ତିନି ଗଂଜେଇ ମାଫିଆ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗଂଜେଇର ଗନ୍ତାଘର। ତେବେ ମାଲକାନଗିରି ଜିଲ୍ଲାରୁ ବାହାର ରାଜ୍ୟକୁ ଜିଲ୍ଲାର ବେକାର ଯୁବକମାନଙ୍କ ସହ କିଛି ସାଧୁ ପୁଲିସ ମଧ୍ୟ ସାମିଲ ହୋଇ ଅଧିକା ଟଂକାକ ରୋଜଗାର କରିବା ଆଶାରେ ଏହି ବ୍ୟବସାୟରେ ମାତିଛନ୍ତି। ମାଲକାନଗିରି ଜିଲ୍ଲା ପୁଲିସ ଏବେ ଏଭଳି ଏକ ଘଟଣାର ପର୍ଦାଫାସ କରି ଜଣେ ପୁଲିସ ଏଏସଆଇ ସମେତ ତିନି ଜଣ ଅନ୍ୟ ଯୁବକମାନଙ୍କୁ ମଧ୍ୟ ଗିରଫ କରିଛି। ଏମାନଙ୍କ ଠାରୁ ୪୨୦ କିଲୋ ଗଂଜେଇ ଜବତ କରିବା ସହ ୧୦ ହଜାର ଟଂକା ନଗଦ,ଗୋଟିଏ ଲ୍ୟାପଟପ,ଗୋଟିଏ କାର,ଦୁଇଟି ମଟର ସାଇକେଲ ଏବଂ ମୋବାଇଲ ଜବତ କରିଛି।

ବିଶେଷ ସୂତ୍ରରୁ ମାଲକାନଗିରି ଜିଲ୍ଲା ପୁଲିସ ଖବର ପାଇଥିଲା ଯେ ଜଣେ ପୁଲିସ ଅଧିକାରୀ କିଛି ଗଂଜେଇ ମାଫିଆଙ୍କ ସହ ମିଶି ଗଂଜେଇ ବେପାରରେ ମାତିଛନ୍ତି। ତୁରନ୍ତ ଏକ ସ୍କ୍ବାଡ ଗଠନ କରାଯାଇ ଏହି ଗଂଜେଇ ମାଫିଆମାନଙ୍କୁ ଧରିବା ନେଇ ଲାଗି ପଡିଥିଲେ। ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲୀ ଆଉଟପୋଷ୍ଟର ଏଏସଆଇ ଜୟଦାଶ ଖରା ନିଜେ ମାଲକାନଗିରି ଆସି ଗଂଜେଇ ଚାଲାଣ କରିବା ନେଇ ଗାଡି ଖୋଜୁଥିଲେ। ତାଂକର ତିନି ସହଯୋଗୀ ହେଲେ କାଲିମେଳା ଥାନା ଅନ୍ତର୍ଗତ ଏମଭି-୬୯ର ସୁକାନ୍ତ ମିସ୍ତ୍ରୀ,ଏମଭି-୭୯ ଥାନା ଅନ୍ତର୍ଗତ ଏମଭି-୭୨ ଗ୍ରାମର ମିଲନ ମଣ୍ଡଳ ଏବଂ ଜ୍ୟୋତି ହୀରା। ଏମାନେ ମାଲକାନଗିରି ଗୋଟିଏ ସ୍ଥାନରେ ଗଂଜେଇ ଲୁଚାଇ ରଖିଥିଲେ।ସେଠାରୁ ଗଂଜେଇକୁ ଛତିଶଗଡ ରାସ୍ତାରେ ପାର କରିବାକୁ ଚାହୁଁଥିଲେ।

ତେବେ ଏହି ଖବର ପୁଲିସକୁ ମିଳିବା ପରେ ଦୁଇ ଏସଡିପିଓ ଶୁଭେନ୍ଦୁ ପାତ୍ର ଏବଂ ଅଂଶୁମାନ ଦ୍ବିବେଦୀ ଏମାନଙ୍କୁ ଧରିବା ପାଇଁ ଏକ ପ୍ଲାନ ପ୍ରସ୍ତୁତ କରିଥିଲେ। ସେହି ପ୍ଲାନରେ ଏଏସଆଇ ଜୟଦାଶଙ୍କ ସହ କଥାବାର୍ତ୍ତା କରିଥିଲେ।ଜୟଦାଶ ଏମାନଙ୍କ ପାଲରେ ପଡିଯାଇଥିଲେ।ତୁରନ୍ତ ପୁଲିସ ଜୟଦାଶ ସହ ଅନ୍ୟ ତିନି ଜଣ ମାଫିଆଙ୍କୁ ଗିରଫ କରିଥିଲା।ତେବେ ଖାକି ପୋଷାକରେ ଦାଗ ଲାଗିଥିଲେ ମଧ୍ୟ ପୁଲିସ ଛାଡିନଥିଲା। ବେନିୟମ କାମ କିମ୍ବା ବେଆଇନ କାମ କଲେ ଯିଏ ହେଇଥାନ୍ତୁ ନା କାହିଁକି ସେ କୋର୍ଟ ଚାଲାଣ ହେବ।ତେବେ ଏଏସଆଇ ଜୟଦାଶ ଖରା କେବେ ଠାରୁ ଗଂଜେଇ ବ୍ୟବସାୟ କରୁଥିଲେ ପୁଲିସ ଜାଣିନଥିଲେ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଛି।ଜୟଦାଶ କର୍ତ୍ତନପାଲୀ ଥାନାରେ ନରହି ମାଲକାନଗିରିରେ କାହିଁକି ବୁଲୁଛନ୍ତି ସେନେଇ ପୁଲିସ ସଂଦେହ କରି ତଦନ୍ତ ଆରମ୍ଭ କରିଥିଲା।ଯାହାଫଳରେ ପୁଲିସକୁ ହତବାକ କଲାଭଳି ଖବର ମିଳିଥିଲା। ଜୟଦାଶଙ୍କ ସମେତ ଅନ୍ୟ ତିନି ଜଣକୁ ଆଜି ମାଲକାନଗିରି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର