ରାୟଗଡ଼ା: ଆଉ କିଛି ସମୟ ପରେ ପାଇଥାନ୍ତେ ଡିଜିପି ଡିସ୍କ ଆୱାର୍ଡ। ପୁରସ୍କୃତ କରିଥାନ୍ତେ ରାଜ୍ୟ ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ପୁରସ୍କାର କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ରିଜର୍ଭ ବାରାକରେ ଅସୁସ୍ଥ ହୋଇ ପଡ଼ିଲେ ଏଏସଆଇ କିଶୋର ଚନ୍ଦ୍ର ବେହେରା। ଚିକିତ୍ସା ପାଇଁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ବେହେରାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଡିଜିପି ଆୱାର୍ଡ ପାଇଁ ମନୋନୀତ ପୁଲିସ ଅଧିକାରୀଙ୍କ ଅକାଳ ବିୟୋଗ ସମ୍ପର୍କିତ ଖବର ପୁଲିସ ବିଭାଗକୁ ସ୍ତବ୍ଧ କରି ଦେଇଥିଲା। ଖବର ପାଇ ଡିଜିପି ସୁନୀଲ ବଂଶଲ, ଭୁବନେଶ୍ୱର ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବହୁ ପୁଲିସ ଅଧିକାରୀ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଗଞ୍ଜେଇ ଚୋର ଚାଲାଣ ରୋକିବା ଓ ଆଇନ ଶୃଙ୍ଖଳା ପରିସ୍ଥିତି ମାମଲା ପରିଚାଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଏଏସଆଇ ବେହେରା। ଯେଉଁଥି ପାଇଁ ଚଳିତ ବର୍ଷ କିଶୋର ବେହେରା ଦୁଇଟି ଆୱାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସର୍କଲ ସହ ରାଜ୍ୟସ୍ତରୀୟ ଡିଜିପି ଡିସ୍କ ଆୱାର୍ଡ ପାଇଁ କିଶୋର ମନୋନୀତ ହୋଇଥିଲେ। ଯାହାକୁ ନେଇ ପରିବାର ଲୋକ, ସମ୍ପର୍କୀୟଙ୍କ ସମେତ ବିଭାଗୀୟ ଅଧିକାରୀ ଖୁସି ଅନୁଭବ କରିଥିଲେ।
୮୭ତମ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ଡିଜିପି ପୁରସ୍କୃତ କରିବାକୁ ଥିବାରୁ ଗୁରୁବାର ପୂର୍ବାହ୍ନରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ କିଶୋର। ବିଷମକଟକ ଏସଡିପିଓ ଆକାଶ ସାହୁଙ୍କ ସହ କିଶୋର ଭୁବନେଶ୍ୱର ଯାଇ ଅପରାହ୍ନରେ ପହଞ୍ଚିଥିଲେ। ରିଜର୍ଭ ପୁଲିସ ବାରାକରେ ରାତ୍ରି ଯାପନ ପରେ ସକାଳେ ଆୱାର୍ଡ ପ୍ରଦାନ ଉତ୍ସବକୁ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ କିଶୋର। ଗାଧୋଇବା ପାଇଁ ବାଥରୁମ ଯାଇଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ। ବାରାକରେ ଥିବା ଅନ୍ୟ ସହଯୋଗୀ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଗଞ୍ଜାମ ଜିଲ୍ଲାର ଆସିକାକୁ ପଠାଇ ଦିଆଯାଇଛି। ପରିବାର ଲୋକ ଖବର ପାଇ ଭାଙ୍ଗି ପଡିବା ସହ କିଶୋରଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାନ୍ତି। ରାୟଗଡ଼ା ଜିଲ୍ଲା ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଗାଡ଼ିରେ କିଶୋରଙ୍କ ସ୍ତ୍ରୀ, ପୁଅକୁ ଆସିକା ପଠାଯାଇଛି। ଜଣେ ଦକ୍ଷ ଅଫିସର ଭାବେ ବିଭାଗରେ ନାମ କମାଇଥିବା କିଶୋରଙ୍କ ବିୟୋଗରେ ଡିଆଇଜି ରାଜେଶ ପଣ୍ଡିତ, ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା, ଜିଲ୍ଲାପାଳ ସରୋଜ ମିଶ୍ର ପ୍ରମୁଖ ବହୁ ଅଧିକାରୀ ଶୋକବ୍ୟକ୍ତ କରିଛନ୍ତି।