ବୌଦ୍ଧ/ଫୁଲବାଣୀ : ମାରପିଟ୍ ଘଟଣାକୁ ରଫାଦଫା କରିବାକୁ ନେଇ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନାର ଜଣେ ଏଏସଆଇ ଲାଞ୍ଚ ନେବା ମାମଲାର ରାୟ ଆଜି ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନସ ଜଜ୍ ଭଗବାନ ପ୍ରଧାନ ଦୋଷୀ ସାବ୍ୟସ୍ତ ପୁଲିସ ଏଏସଆଇ ଜମ୍ବେଶ୍ବର ଦୀପଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ୭ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅର୍ଥ ଅନାଦେୟ ହେଲେ ଶ୍ରୀଦୀପଙ୍କୁ ଆହୁରି ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ କୁହାଯାଇଛି।

Advertisment

ଗତ ୨୦୧୫ ମସିହା ଫେବୃଆରି ୯ରେ ବାଉଁଶୁଣୀ ଥାନା ଜଡାପାଲର ଲାଲମଣି ନାୟକ ଓ ଅଗସ୍ତି ମଲ୍ଲିକଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରଥମେ ଝଗଡା ଓ ମାରପିଟ ହୋଇଥିଲା। ତା ପରଦିନ ଏନେଇ ଅଗସ୍ତି ଥାନାକୁ ଆସି ଅଭିଯୋଗ କରିଥିଲେ। ଏଏସଆଇ ଶ୍ରୀଦୀପ ଲାଲମଣିଙ୍କୁ ଥାନାକୁ ଡକାଇ ତାଙ୍କ ନାମରେ ଅଗସ୍ତି ଅଭିଯୋଗ କରିଥିବା କଥା କହିଥିଲେ। ସେ ମାମଲାକୁ ରଫାଦଫା କରିବା ନିମନ୍ତେ ଲାଲମଣିଙ୍କୁ ୧୦ହଜାର ଟଙ୍କା ଦେବାକୁ କହିଥିଲେ। ନ ହେଲେ ଗିରଫ କରି କୋର୍ଟ ଚାଲାଣ କରି ଦେବାକୁ ଧମକ ଦେଇଥିଲେ। ‌ଗିରଫରୁ ବର୍ତ୍ତିବା ପାଇଁ ଲାଲମଣି ଶେଷରେ ୭ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ। ୧୨ ତାରିଖରେ ଏକଥା ଲାଲମଣି ଭିଜିଲାନସ ବିଭାଗକୁ ଜଣାଇଥିଲେ। ଯୋଜନା ମୁତାବକ ୧୩ ତାରିଖରେ ବାଉଁଶୁଣୀ ଭେଟେନାରି ଛକରେ ଲାଲମଣିଙ୍କଠାରୁ ପୁଲିସ ଏଏସଆଇ ଶ୍ରୀଦୀପ ୭ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନସ ଟିମ୍ ପହଞ୍ଚିଥିଲା। ଲାଞ୍ଚ ଟଙ୍କା ଜବତ କରିବା ସହ ପୁଲିସ ଏଏସଆଇ ଶ୍ରୀଦୀପଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ସମୁଦାୟ ୯ ଜଣ ସାକ୍ଷ୍ୟ ପ୍ରଦାନ କରିଥିବା ବେଳେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେଶ କୁମାର ମହାପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।