ଟ୍ରାକ୍ଟର୍‌ ଫେରାଇବା ପାଇଁ ଲାଞ୍ଚ ନେବା ମହଙ୍ଗା ପଡ଼ିଲା : ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍‌ଆଇ

ଦଶପଲ୍ଲା : ଏକ ବାଲି ବୋଝେଇ ଟ୍ରାକ୍ଟର୍‌ ରିଲିଜ୍ କରିବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଣିଗୋଛା ଥାନା ଏଏସ୍‌ଆଇ ଲଳିତ କୁମାର ବେହେରା। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ ଜରାଯିବା ସହ ତାଙ୍କ ପୈତୃକ ଗ୍ରାମ କନ୍ଧମାଳ ଜିଲ୍ଲା ଫୁଲବାଣୀସ୍ଥିତ ଫୁଲବାଣୀ ସାହିରେ ଚଢ଼ଉ କରାଯାଉଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ବାଣିଗୋଛା ଥାନା ଅଧୀନସ୍ଥ କୁଲୁରୁକୁମ୍ପା ଗ୍ରାମର ସୁଶାନ୍ତ ମୁଦୁଲିଙ୍କ ଜବତ ବାଲିଭର୍ତ୍ତି ଟ୍ରାକ୍ଟରକୁ ଛାଡ଼ିବା ପାଇଁ ଶ୍ରୀ ବେହେରା ଟଙ୍କା ଦାବି କରିଥିଲେ। ଏହାକୁ ନେଇ ଶ୍ରୀ ମୁଦୁଲି ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟା ସମୟରେ ସ୍ଥାନୀୟ ରଙ୍ଗମାଟିଆ ନିକଟସ୍ଥ ରାଜପୁତ ହୋଟେଲଠାରେ ଏଏସ୍‌ଆଇ ଶ୍ରୀ ବେହେରା ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଛପି ରହିଥିବା ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ କାବୁ କରିଥିଲେ। ଡିଏସ୍‌ପି ଶିଶିର କୁମାର ଭୋଇଙ୍କ ନେତୃତ୍ବରେ ଇନ୍ସପେକ୍ଟର ମନୋରଂଜନ କହଁର, ମନୋରଂଜନ ପାଇକରାୟ ଏବଂ ଚନ୍ଦ୍ରକଳା ଜେନା ଚଢ଼ଉରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର