ଜୟପୁର: ସ୍କୁଟି ମୁକୁଳାଇବା ପାଇଁ ଲାଞ୍ଚ ନେଇ ଜୟପୁର ଟାଉନ ଥାନା ଏଏସ୍ଆଇ ଅନିଲ ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅଭିଯୋଗକାରୀଙ୍କ ଠାରୁ ସିଧାସଳଖ ଟଙ୍କା ନେଇଥିବା ଏଏସ୍ଆଇଙ୍କ ସହଯୋଗୀ ତଥା କମ୍ବଳ ବ୍ୟବସାୟୀଙ୍କୁ ମଧ୍ୟ ଭିଜିଲାନ୍ସ ଅଟକ ରଖି ପଚରାଉଚରା କରୁଛି। ଟାଉନ ଥାନା ପରିସରରୁ ସ୍କୁଟି ଜବତ କରି ଉଭୟଙ୍କୁ ପଚରାଉଚୁରା କରାଯାଉଛି। ପୁଲିସ ଏଏସ୍ଆଇଙ୍କ ଥାନାସ୍ଥିତ ଟେବୁଲରେ ରହିଥିବା କାଗଜପତ୍ର, ସରକାରୀ କ୍ବାର୍ଟର୍ସ ଓ ନବରଙ୍ଗପୁରସ୍ଥିତ ଘରେ ଯାଞ୍ଚ ଚାଲିଥିବା ଜୟପୁର ଭିଜିଲାନ୍ସ ଏସ୍ପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ସୂଚନା ଦେଇଛନ୍ତି।
ଗତ ୫ତାରିଖ ରାତିରେ ଠିକାଦାର ରିଙ୍କେଶ ଗୌଡ଼ ଘରକୁ ଫେରିବା ସମୟରେ ପାଟ୍ରୋଲିଂ କରୁଥିବା ଏଏସ୍ଆଇ ଅନିଲ ନାୟକ ଅଟକାଇଥିଲେ। କାଗଜପତ୍ର ମାଗିବାରୁ ଗାଡ଼ିର ଇନ୍ଭଏସ୍ ରିଙ୍କେଶ ଦେଖାଇଥିଲେ। କାଗଜପତ୍ର ଠିକ୍ ନଥିବା ଦର୍ଶାଇ ୪ହଜାର ଟଙ୍କା ଲାଞ୍ଚ ମାଗିବା ସହ ଇନ୍ଭଏସ୍ ନେଇ ଚାଲି ଯାଇଥିଲେ। ଗତକାଲି ରାତିରେ ଘର ସମ୍ମୁଖରେ ରିଙ୍କେଶ ଫୋନ୍ରେ କଥାବାର୍ତ୍ତା କରିବା ସମୟରେ ପାଟ୍ରୋଲିଂ କରୁଥିବା ଏଏଏସ୍ ଅନିଲ ନାୟକଙ୍କ ହାବୁଡ଼ରେ ପୁଣି ପଡ଼ିଥିଲେ। ଏଥର କାଗଜପତ୍ର ଦେଖାଇବା ସହ ୫ହଜାର ଟଙ୍କା ଦେବାକୁ କହି ରିଙ୍କେଶଙ୍କ ସ୍କୁଟି ଅନିଲ ଥାନାକୁ ନେଇ ଯାଇଥିଲେ। ଏନେଇ ଆଜି ସକାଳେ ଭିଜିଲାନ୍ସ ଏସ୍ପିଙ୍କୁ ଅବଗତ କରାଇଥିଲେ ରିଙ୍କେଶ। ଏହାପରେ ଭିଜିଲାନ୍ସ ଯୋଜନା କରି ରସାୟନ ବୋଳା ଟଙ୍କା ଦେଇ ରିଙ୍କେଶଙ୍କୁ ପଠାଇଥିଲା। ରିଙ୍କେଶ ଫୋନ୍ କରିବାରୁ ଏଏସ୍ଆଇ ଅନିଲ ନାୟକ ସିଧାସଳଖ ଟଙ୍କା ନେବା ବଦଳରେ ପୁରୁଣା ଏସ୍ଡିପିଓ କାର୍ଯ୍ୟାଳୟ ସମ୍ମୁଖରେ କମ୍ବଳ ବ୍ୟବସାୟ କରୁଥିବା ମହମ୍ମଦ ନାଜରୁଲଙ୍କୁ ଦେବାକୁ କହିଥିଲେ। ଅପରାହ୍ନ ୪ଟାରେ ରିଙ୍କେଶ ଟଙ୍କା ନାଜରୁଲଙ୍କୁ ଦେଇଥିଲେ। ଟଙ୍କା ଧରିବା ପରେ ଭିଜିଲାନ୍ସ ଟିମ୍ ଚଢ଼ଉ କରି ଜବତ କରିଥିଲା। ପୁଲିସ ଏଏସ୍ଆଇଙ୍କ ନିର୍ଦ୍ଦେଶରେ ଟଙ୍କା ଗ୍ରହଣ କରିଥିବା ନାଜରୁଲ କହିବାରୁ ଅନିଲଙ୍କୁ ମଧ୍ୟ ଭିଜିଲାନ୍ସ ଟିମ୍ ଧରିଥିଲା। ଉଭୟଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା କରାଯାଉଛି। କମ୍ବଳ ବ୍ୟବସାୟୀ ପୂର୍ବରୁ ଲାଞ୍ଚ କାରବାରେ ସଂପୃକ୍ତି ରହିଛନ୍ତି ନା ନାହିଁ ଜାଣିବା ପାଇଁ ଯାଞ୍ଚ ଚାଲିଥିବା ଭିଜିଲାନ୍ସ ଏସ୍ପି କହିଛନ୍ତି।