ଶ୍ରୀମନ୍ଦିର ଫଟୋ ଭାଇରାଲ କରି ପୁଲିସ ଏଏସ୍‌ଆଇ ନିଲମ୍ବିତ

ପୁରୀ : ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିରକୁ ମୋବାଇଲ୍ ମନା। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ କଡ଼ା ନିର୍ଦେଶ ବି ଜାରି କରିଛି। କଡ଼ା କଟକଣା ସତ୍ତ୍ବେ ଜଣେ ପୁଲିସ ଅଧିକାରୀ ଶ୍ରୀମନ୍ଦିର ପ୍ରଶାସନର ଏହି ଆଇନକୁ ଭଙ୍ଗ କରିଛନ୍ତି। ମହାଳୟା ଶ୍ରାଦ୍ଧ ପକାଇବା ସମୟରେ ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ଏହାକୁ ସୋସିଆଲ୍ ମିଡ଼ିଆରେ ଭାଇରାଲ କରିଛନ୍ତି। ଗଣମାଧ୍ୟମରେ ଏହି ଖବର ପ୍ରକାଶ ପରେ ସୋସିଆଲ ମିଡ଼ିଆରୁ ଶ୍ରୀମନ୍ଦିର ଫଟୋକୁ ଡିଲିଟ୍ କରିଦିଆଯାଇଛି ସତ, କିନ୍ତୁ ଏହି ଭୁଲ ପାଇଁ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ମୂଲ୍ୟ ଦେବାକୁ ପଡ଼ିଛି। ପୁଲିସ ଡିଜିଙ୍କ ନିର୍ଦେଶକ୍ରମେ ପୁରୀ ଆରକ୍ଷୀ ଅଧିକ୍ଷକ ଡ. ସାର୍ଥକ ଷଡ଼ଙ୍ଗୀ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଅଧିକାରୀ ଜଣକ ହେଲେ ପୁରୀ ସମୁଦ୍ରକୂଳ ଥାନାର ଏଏସ୍‌ଆଇ ଦିଲ୍ଲୀପ ପଣ୍ଡା। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ବାହାରେ ଓ ଭିତରେ ମାଳମାଳ ପୁଲିସଙ୍କୁ ନିୟୋଜିତ କରାଯାଇଛି। ଯେଉଁଠି ସାମାନ୍ୟ କିଛି ଜିନିଷ ନେଲେ ଭକ୍ତଙ୍କୁ ଧାଡ଼ିରୁ ବାହାର କରି ଦିଆଯାଉଛି ସେଠି ସଂପୃକ୍ତ ପୁଲିସ ଅଧିକାରୀ କିଭଳି ଏବଂ କେଉଁ ପରିସ୍ଥିତିରେ ମୋବାଇଲ୍ ନେଇ ଫଟୋ ଉଠାଇଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ମୁତାବକ, ଆଜି ପବିତ୍ର ମହାଳୟା ଶ୍ରାଦ୍ଧ ଥିବାରୁ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଏଏସ୍‌ଆଇ ଶ୍ରୀ ପଣ୍ଡା ସକାଳେ ଶ୍ରୀମନ୍ଦିରକୁ ଯାଇଥିଲେ। ଧୋତି ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯାଇ ବାଇଶି ପାହାଚରେ ପିଣ୍ଡଦାନ କରିଥିଲେ। ଏହି ସମୟରେ ଶ୍ରୀ ପଣ୍ଡାଙ୍କ ସହ ପରିବାର ଲୋକେ ବି ଥିଲେ। ପୁଲିସ ଚାକିରି କରିଥିବାରୁ ଶ୍ରୀ ପଣ୍ଡା କଡ଼ା ସୁରକ୍ଷା ବଳୟକୁ ଭାଙ୍ଗି ନିଜ ସାଙ୍ଗରେ ମୋବାଇଲ୍ ନେଇ ଯାଇଥିଲେ। ସୁରକ୍ଷା ଦାୟିତ୍ବରେ ଥିବା ଶ୍ରୀଜଗନ୍ନାଥ ‌ମନ୍ଦିର ପୁଲିସ ବି ବିନା ଯାଞ୍ଚରେ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ି ଦେଇଥିଲା। ଶ୍ରୀ ପଣ୍ଡା ବାଇଶି ପାହାଚରେ ପିଣ୍ଡ ଦାନ ସମୟରେ ଭିତର ବେଢ଼ାରୁ ଶ୍ରୀମନ୍ଦିରର ସଂପୂର୍ଣ୍ଣ ଫଟୋ ନିଜ ମୋବାଇଲରେ ଉଠାଇଛନ୍ତି। ଏଥିରେ କିଛି ସେଲ୍‌ଫି ଫଟୋ ଥିବାବେଳେ ଆଉ କିଛି ଫଟୋ ଅନ୍ୟ କେହି ବ୍ୟକ୍ତି ଉଠାଇଥିବା ସ୍ପଷ୍ଟ ହେଉଛି। ବାଇଶି ପାହାଚ, ଆନନ୍ଦ ବଜାର ଉପରୁ ଶ୍ରୀମନ୍ଦିରର ଫଟୋ ଉଠାଇବା ପରେ ଶ୍ରୀ ପଣ୍ଡା ପତିତପାବନଙ୍କ ପାଖରେ ବି ଫଟୋ ଉଠାଇଛନ୍ତି। ପରେ ଏହି ଫଟୋଗୁଡ଼ିକୁ ଶ୍ରୀ ପଣ୍ଡା ନିଜ ଫେସବୁକ୍‌ ଆକାଉଣ୍ଟରେ ଛାଡ଼ି ଦେଇଥିଲେ। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଡିଜି, ଆଇଜିଙ୍କ ନିକଟରେ ଏହି ଖବର ପହଞ୍ଚିବା ପରେ ତାଙ୍କ ନିର୍ଦେଶ କ୍ରମେ ପୁରୀ ଆରକ୍ଷୀ ଅଧିକ୍ଷକ ଡ. ସାର୍ଥକ ଷଡ଼ଙ୍ଗୀ ଏଏସ୍‌ଆଇ ଶ୍ରୀ ପଣ୍ଡାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧିତ ଖବର