ମାନବିକତାରେ ଲକ୍‌ଡାଉନ୍‌: ଅସୁସ୍ଥ ପୁଅକୁ ଡାକ୍ତରଖାନା ନେବା ବେଳେ ସାମ୍ବାଦିକଙ୍କୁ ପୁଲିସର ମାଡ଼

ଥାନା ଘେରି ପ୍ରତିବାଦ ଜଣାଇଲେ ୫୦ରୁ ଉର୍ଦ୍ଧ୍ବ ସାମ୍ବାଦିକ

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ ହୋଇଛି। ମାନବିକତାରେ ଲକ୍‌ଡାଉନ୍‌ ହୋଇନି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ କିଛି ଉଦ୍‌ଭ୍ରାନ୍ତ ପୁଲିସ ଅଧିକାରୀଙ୍କ ଅମାନବୀୟ କାଣ୍ଡ ପାଇଁ ପୂରା ବିଭାଗ ନିନ୍ଦିତ ହେଉଛି। କରୋନା ଯୋଦ୍ଧା ରୂପେ ପ୍ରଶଂସା ସାଉଁଟୁଥିବା ପୁଲିସ ମୁହଁରେ କାଳି ବୋଳି ହୋଇଯାଉଛି। ଆଜି ନିଜ ଅସୁସ୍ଥ ପୁଅକୁ ଡାକ୍ତରଖାନା ନେବା ବେଳେ ‘ସମ୍ବାଦ’ର କେନ୍ଦୁଝର ଜିଲ୍ଲା ପ୍ରତିନିଧିଙ୍କୁ ଜଣେ ପୁଲିସ ଏସ୍‌ଆଇ ରାସ୍ତାରେ ଦୀର୍ଘ ସମୟ ଧରି ଅଟକାଇ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରିବା ଘଟଣା ସମଗ୍ର ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

‘ସମ୍ବାଦ’ର କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁ

ପୁଲିସର ଏଭଳି ବର୍ବର ଏବଂ ଅମାନବୀୟ କାଣ୍ଡ ପ୍ରତିବାଦରେ ଆଜି କେନ୍ଦୁଝରର ୫୦ରୁ ଊର୍ଦ୍ଧ୍ବ ସାମ୍ବାଦିକ ଟାଉନ୍‌ ଥାନା ଘେରାଉ କରି ଘଟଣାର ତୀବ୍ର ପ୍ରତିବାଦ କରିଛନ୍ତି। ଏଥିସହ ରାଜ୍ୟବ୍ୟାପି ସାମ୍ବାଦିକଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ହସ୍ତଗତ ରିପୋର୍ଟରୁ ପ୍ରକାଶ, ସାମ୍ବାଦିକ ଶ୍ରୀ ସ୍ବାଇଁଙ୍କର ୪ବର୍ଷର ପୁଅର ଦେହ ଗତ ତିନି ଦିନ ଧରି ଅସୁସ୍ଥ ଥିଲା।  ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅଜୟ ମହାନ୍ତି ଶିଶୁଟିର ଚିକିତ୍ସା କରୁଥିଲେ। ଗତକାଲି ହଠାତ୍‌ ରାତିରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ଟେଲିଫୋନ ଯୋଗ‌େ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଦେଇଥିଲେ ହେଁ ଅବସ୍ଥାରେ ସୁଧାର ଆସି ନଥିଲା। ଆଜି ସକାଳ ୮ଟା ସମୟରେ ଶ୍ରୀ ସ୍ବାଇଁ ନିଜ କାର୍ ଯୋଗେ ଅସୁସ୍ଥ ଶିଶୁ ପୁତ୍ରକୁ ଧରି ଡାକ୍ତରଖାନା ଯାଉଥିବା ବେଳେ  ବାଟରେ ଅଜନ୍ତା ହୋଟେଲ ସମ୍ମୁଖରେ ସବ୍‌ଇନସପେକ୍ଟର ଆଶୁତୋଷ ମହାନ୍ତି ଗାଡ଼ି ଅଟକାଇଥିଲେ। ଶ୍ରୀ ସ୍ବାଇଁ ନିଜର ପରିଚୟ ଦେଇ ଅସୁବିଧା ବିଷୟରେ ଅବଗତ କରିବା ସତ୍ତ୍ବେ  ପୁଲିସ ଅଧିକାରୀ ଜଣକ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏଭଳିକି ଧକ୍କା ମାରିବା ସହ ବାଡ଼ିରେ ପିଟିବାକୁ ପଛାଇ ନଥିଲେ। ଅସୁସ୍ଥ ପୁଅକୁ ଡାକ୍ତରଖାନା ତୁରନ୍ତ ନେବାର ଆବଶ୍ୟକତା ଥିବାରୁ ତାଙ୍କ ପାଖରେ ନେହୁରା ହୋଇଥିଲେ ମଧ୍ୟ ଅଧିକରୁ ଅଧିକ ଉଗ୍ର ହୋଇ ମାନବିକତାରେ ସମସ୍ତ ସୀମାକୁ ଲଂଘିଥିଲେ ପୁଲିସ ବାବୁ। ଇତିମଧ୍ୟରେ ଖବରପାଇ ଥାନା ଅଧିକାରୀ ଅମିତ କୁମାର ଭୂୟାଁ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ସ୍ବାଇଁଙ୍କୁ ପୁଅକୁ ନେଇ ଡାକ୍ତରଖାନା ଯିବାକୁ ଦେଇଥିଲେ।

ସାମ୍ବାଦିକଙ୍କୁ ମାଡ଼ ମାରିଥିବା ସବ୍‌ଇନସପେକ୍ଟର ଆଶୁତୋଷ ମହାନ୍ତି

ସକାଳୁ ଏହି ଖବର ସହରରେ ପ୍ରଚାର ହେବା ପରେ କେନ୍ଦୁଝର ଜିଲ୍ଲା ସଦରମହକୁମାରେ କାର୍ଯ୍ୟରତ ୫୦ରୁ ଊର୍ଦ୍ଧ୍ବ ଗଣମାମାଧ୍ୟମ ପ୍ରତିନିଧି କାଳୀପଡ଼ିଆରେ ଏକାଠି ହେବା ପରେ ଟାଉନ ଥାନାକୁ ଆସିଥିଲେ। ସେଠା‌ରେ ପୁଲିସର  ଅମାନବୀୟ କାଣ୍ଡର ପ୍ରତିବାଦ ଜଣାଇ ଥାନା ଘେରାଉ କରିବା ସହିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।  ଏହି ସମୟରେ  ଟାଉନ୍‌ ଥାନାରେ କେନ୍ଦୁଝର ପ୍ରେସ କ୍ଲବ ସଭାପତି ସତ୍ୟନାରାୟଣ ମିଶ୍ର, ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ତଥା ପ୍ରେସ କ୍ଲବର କାର୍ଯ୍ୟକାରୀ ସଭାପତି ଦୀପକ ମିଶ୍ର ,ସମ୍ପାଦକ ଜିତେନ୍ଦ୍ର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଧୀରେନ୍ଦ୍ର ରାଉତ, ବରିଷ୍ଠ ସାମ୍ବାଦିକ ପ୍ରଣୟ ପାଣି, ମାନସ ରଂଜନ ତ୍ରିପାଠୀ, ପ୍ରଦୀପ ମହାନ୍ତି, ରଂଜନ ତ୍ରିପାଠୀ, ସୁଧାଂଶୁ ସାହୁ, ଜୟକୃଷ୍ଣ ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।  ଥାନା ଅଧିକାରୀ ଅମିତ କୁମାର ଭୂୟାଁ ପ୍ରଥମେ ସାମ୍ବାଦିକଙ୍କ ସହ ଆଲୋଚନା କରିବା ପରେ ଏସ୍‌ଡିପିଓ ପ୍ରକାଶ ଜେମସ ଟପୋ ପହଞ୍ଚି ଆଲୋଚନା କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ମଧ୍ୟ ସବଇନ୍ସପେକ୍ଟର ଆଶୁତୋଷ ମହାନ୍ତି  ଭିଡିଓ ସାମ୍ବାଦିକ ତନ୍ମୟ ପାଲ ନାମକଙ୍କୁ ଦୁର୍ବ୍ୟବହାର କରି ତାଙ୍କ କ୍ୟାମେରା ଫିଙ୍ଗିବା ଭଳି କାଣ୍ଡ ଘଟାଇଥିଲେ । ସେତେବେଳେ ବି ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ଦିଆଯାଇଥିଲା।  ଏ ସମ୍ପର୍କରେ କେନ୍ଦୁଝର ପ୍ରେସ୍ କ୍ଲବ ସଭାପତି ସତ୍ୟନାରାୟଣ  ମିଶ୍ର କହିଛନ୍ତି ଜଣେ ପୁଲିସ ସବଇନ୍ସପେକ୍ଟରଙ୍କ ଯୋଗୁଁ  ପ୍ରେସ୍‌-ପୁଲିସ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହି ଘଟଣାରେ ଏସ୍‌ପି ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ସଦର ଏସ୍‌ଡିପିଓ ପ୍ରକାଶ ଜେମସ ଟପୋ କହିଛନ୍ତି ଯେ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଏ ନେଇ ସମସ୍ତ ଦିଗକୁ ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି । ସାମ୍ବାଦିକ ଏବଂ ସାଧାରଣ ଲୋକଙ୍କ ପ୍ରତି ସଂପୃକ୍ତ ଏସ୍‌ଆଇଙ୍କ ବ୍ୟବହାରରେ ପରିବର୍ତ୍ତନ ନ ଆସିଲେ ଉଚ୍ଚସ୍ତରରେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି  ବରିଷ୍ଠ ସାମ୍ବାଦିକ ଦୀପକ ମିଶ୍ର କହିଛନ୍ତି।

 

ସମ୍ବନ୍ଧିତ ଖବର