ଭୁବନେଶ୍ୱର: ବିଭିନ୍ନ ଦାବିରେ ରାଜଧାନୀର ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କୁ ପୁଲିସ ଆଜି ଜୋରଜବରଦସ୍ତ ଆନ୍ଦୋଳନସ୍ଥଳରୁ ହଟାଇ ଦେଇଛି। ସଚିବାଳୟଠାରୁ ମାତ୍ର ଦେଢ଼ କି.ମି. ଦୂରରେ ଥିବା କ୍ୟାପିଟାଲ ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ରାସ୍ତା ଉପରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟାଣିଓଟାରି ଉଠାଇବା ସହ ସେମାନଙ୍କୁ ଗିରଫ କରିଛି। ବିଭିନ୍ନ ଦାବି ନେଇ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ୱର ସମେତ ପୁରୀ, ଜଗତ୍ସିଂହପୁର, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗୀର, ଆଠଗଡ଼, କେନ୍ଦୁଝର, ଆନନ୍ଦପୁର ପ୍ରଭୃତି ଅଞ୍ଚଳରେ ଏହି ଆନ୍ଦୋଳନ କରାଯାଉଥିବାବେଳେ ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କ୍ୟାପିଟାଲ ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଆନ୍ଦୋଳନ କରୁଥିବା କେବଳ ଶିକ୍ଷକ ନୁହନ୍ତି, ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ଖାରବେଳ ଥାନା ଅଧିକାରୀ ଏସିପି ଅନୁପ କାନୁନଗୋ ଦୁର୍ବ୍ୟବହାର କରିଥିବା ନେଇ କିଛି ଶିକ୍ଷୟିତ୍ରୀ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଶିକ୍ଷୟିତ୍ରୀମାନଙ୍କ କହିବା ଅନୁଯାୟୀ ଗତକାଲିଠାରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଚାଲିଥିଲା। ପୂର୍ବାହ୍ନ ୧୧ଟା ବେଳେ ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ ଧକ୍କା ମାରିବା ସହ ଘଉଡ଼ାଇଥିଲେ। ଆଇଆଇସିଙ୍କ ସହ କୌଣସି ମହିଳା ପୁଲିସ ନ ଥିଲେ। ପୁରୁଷ ପୁଲିସ ଶିକ୍ଷୟିତ୍ରୀଙ୍କୁ ଟଣା ଓଟରା କରିବା ସହ ଟେକି ନେଇଥିଲେ ଏବଂ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ତେଣୁ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ତୁରନ୍ତ ନିଳମ୍ବନ କରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଶିକ୍ଷୟିତ୍ରୀମାନେ ଦାବି କରିଛନ୍ତି। ତେବେ ଏହି ରିପୋର୍ଟ ଲେଖା ଯିବା ବେଳକୁ ମହିଳା ଥାନାରେ ଏ ନେଇ ମାମଲା ହୋଇ ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଶ୍ରୀ କାନୁନଗୋ ଶିକ୍ଷୟିତ୍ରୀମାନଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତେବେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଶିକ୍ଷକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗିରଫ ହୋଇଥିବା ଶିକ୍ଷକ ନେତା ଗୋଲକ ନାୟକଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଛାଡ଼ିବା ଦାବିରେ ଅଡ଼ି ବସିଥିଲେ ଅଧ୍ୟାପକ। ନ ହେଲେ ଚାଲୁ ରହିଥିବା ଯୁକ୍ତ୨ ପରୀକ୍ଷାରେ ବୁଧବାରଠାରୁ ଅସହଯୋଗ କରିବାକୁ ଧମକ ଦେଇଥିଲେ। ଏଭଳି ଧମକ ପରେ ଶିକ୍ଷକ ନେତା ଗୋଲକ ନାୟକଙ୍କ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଗିରଫ ହୋଇଥିବା ଶିକ୍ଷକ ନେତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ବେଳେ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ଆମେ ନିନ୍ଦା କରୁଛୁ। ପୁଲିସ ମାଡ଼ରେ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ମଞ୍ଚର ଅନ୍ୟତମ ଆବାହକ ପବିତ୍ର ମହାଲାଙ୍କ ହାତ ଭାଙ୍ଗିଯାଇଛି। ଏହା ପ୍ରତିବାଦରେ ବୁଧବାରଠାରୁ ବ୍ୟାପକ ଆନ୍ଦୋଳନ କରାଯିବ। ୫୭ଟି ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ହେବ। ପୁଲିସ ଜୁଲ୍ମ ପ୍ରତିବାଦରେ ବୁଧବାରଠାରୁ କଳାବ୍ୟାଜ୍ ପିନ୍ଧି ଅଧ୍ୟାପକମାନେ ଯୁକ୍ତ୨ ପରୀକ୍ଷା ପରିଚାଳନା କରିବେ। ଯଦି ଟାଳଟୁଳ ନୀତି ଅବଲମ୍ବନ କରାଯାଏ ତେବେ ଅଧ୍ୟାପକମାନେ ପରୀକ୍ଷା ପରିଚାଳନାରେ ଅସହଯୋଗ କରିବେ। ଏହାଛଡ଼ା ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ମୂଲ୍ୟାୟନକୁ ବର୍ଜନ କରାଯିବ। ଆଜି ମାଟ୍ରିକ୍ ପ୍ରଥମ ଦିନର ଖାତା ଦେଖା ବାଧାପ୍ରାପ୍ତ ହୋଇଛି। ଅଭିଜ୍ଞତା ନ ଥିବା ଶିକ୍ଷକ ଖାତା ଦେଖୁଛନ୍ତି। ଏଥିରେ ପରୀକ୍ଷାର୍ଥୀଙ୍କର ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ। ପୁରୀ, ନିମାପଡ଼ା, ନୟାଗଡ଼, ଯାଜପୁର, ବଲାଙ୍ଗିର, ନୂଆପଡ଼ା, ସୋନପୁର, କୋରାପୁଟ, ବୌଦ୍ଧ, ବାଲେଶ୍ୱର, କନ୍ଧମାଳ ପ୍ରଭୃତି ସ୍ଥାନରେ ଆନ୍ଦୋଳନ ସଫଳ ହୋଇଛି। ୬୦ ପ୍ରତିଶତ ଶିକ୍ଷକ ମୂଲ୍ୟାୟନରେ ସାମିଲ ହୋଇନାହାନ୍ତି।
ମିଳିତ ମଞ୍ଚର ଆନ୍ଦୋଳନ ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଆଜି କହିଛନ୍ତି ଯେ ପ୍ରଥମ ଦିନର ଖାତା ମୂଲ୍ୟାୟନ ସୁରୁଖୁରରେ ହୋଇଛି। କୌଣସି ସ୍ଥାନରେ ଅସୁବିଧା ହୋଇନି। ମାତ୍ର ୩ ହଜାର ବ୍ଲକଗ୍ରାଣ୍ଟ ଶିକ୍ଷକ ଖାତା ଦେଖାରେ ସାମିଲ ହୋଇନାହାନ୍ତି। ସେମାନଙ୍କ ବଦଳରେ ଅନ୍ୟ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି। ଖାତା ମୂଲ୍ୟାୟନ ଚାଲିଛି। ଠିକ୍ ସମୟରେ ଖାତାଦେଖା ସରିବ। ପରୀକ୍ଷା ଫଳ ମଧ୍ୟ ନିର୍ଧାରଣ ସମୟରେ ବାହାରିବ।
Sambad is now on WhatsApp
Join and get latest news updates delivered to you via WhatsApp
ସତ୍ୟପାଠ ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର: ସତ୍ୟପାଠ ଉଚ୍ଛେଦ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ସନ୍ଧ୍ୟାରେ ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ଏହି ନିଷ୍ପତ୍ତିକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ବିରୋଧ କରିଛି। ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଯେଉଁ ବିଜ୍ଞପ୍ତି ବାହାରିଛି ସେଥିରେ କିଛି ବି ନୂତନତ୍ୱ ନାହିଁ। ପୂର୍ବଭଳି ଶିକ୍ଷକମାନଙ୍କୁ ସତ୍ୟପାଠ ଦେବାକୁ ପଡ଼ିବ। କୋର୍ଟ ପେପର ବଦଳରେ କାଗଜରେ ଲେଖି ଦାଖଲ କରିବାକୁ କୁହାଯାଇଛି। ଏହାକୁ ଗ୍ରହଣ କରାଯାଉ ନାହିଁ। ୪୦,୬୦ ଓ ୭୫ ପ୍ରତିଶତ ବ୍ଲକଗ୍ରାଣ୍ଟ ଉଚ୍ଛେଦ ନେଇ ଏପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ। ଚାକିରି ସର୍ତ୍ତାବଳୀ ଓ ୭ମ ବେତନ କମିସନ ଲାଗୁ ହୋଇନି। ୨୦୧୫ର ବକେୟା ଦରମା ଏପର୍ଯ୍ୟନ୍ତ ମିଳିନି। ତେଣୁ ଆନ୍ଦୋଳନରୁ ଓହରିବୁ ନାହିଁ। ବୁଧବାର ମିଳିତ ମଞ୍ଚର ବୈଠକ ଡକାଯାଇଛି। ସେଥିରେ ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।