ପଞ୍ଚାୟତ ପ୍ରତିନିଧିଙ୍କୁ ଟେକି ଫିଙ୍ଗିଦେଲା ପୁଲିସ

ମୟୂରଭଞ୍ଜ ଜିଲ୍ଲାପରିଷଦ ବୈଠକରେ ହଟ୍ଟଗୋଳ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ପରିଷଦ ବୈଠକ ଆଜି ରଣକ୍ଷେତ୍ର ପାଲଟିଛି। ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ପୁଲିସ ମରଣାନ୍ତକ ଆକ୍ରମଣ କରିବା ଫଳରେ ୩ ଜଣ ଜିଲ୍ଲାପରିଷଦ ସଦସ୍ୟ, ସଦସ୍ୟା ଆହତ ହୋଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜରେ ଭର୍ତ୍ତି ହୋଇଛନ୍ତି। ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ଜିଲ୍ଲାପାଳ କରିଥିବା ଦୁର୍ବ୍ୟବହାର ଓ ଅପମାନସୂଚକ ମନ୍ତବ୍ୟ ପାଇଁ ଆଜି ଜିଲ୍ଲା ପରିଷଦ ବୈଠକ ଆରମ୍ଭ ହେବାମାତ୍ରେ ଉପସ୍ଥିତ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ପ୍ରଥମେ କ୍ଷମା ମାଗିବାକୁ ଅଡ଼ି ବସିଥିଲେ। ମାତ୍ର ଜିଲ୍ଳାପାଳ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବାରୁ ପ୍ରତିନିଧିମାନେ ଗୃହ ମଧ୍ୟରେ ହଟଗୋଳ କରିଥିଲେ। ଏହାପରେ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା, ବ୍ଲକ୍‌ ଅଧ୍ୟକ୍ଷ, ଅଧ୍ୟକ୍ଷାମାନେ ଗୃହ ବାହାରକୁ ଆସି ଧାରଣାରେ ବସିଥିଲେ। ଏହି ସମୟରେ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା, ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି, ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ ଓ ବିଜେଡି ସମର୍ଥକମାନେ ଆନ୍ଦୋଳନକାରୀ ପ୍ରତିନିଧିଙ୍କ ଉପରେ ଚଢ଼ି ଚାଲିଯାଇଥିଲେ। ପରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ଉପରେ ଦମନଲୀଳା ଆରଂଭ କରିଦେଇଥିଲା। ପୁଲିସ ମାଡ଼ରେ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ୩ ଜଣ ଜିଲ୍ଲା ପରିଷଦ ସଦସ୍ୟ ହେଉଛନ୍ତି କୁସୁମୀ ୧୦ ନମ୍ବର ଜିଲ୍ଲାପରିଷଦ ଜୋନ୍‌ର ସାରିନା ହେମ୍ବ୍ରମ୍‌, ଶ୍ୟାମାଖୁଣ୍ଟା ୪୯ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ସଦସ୍ୟା ଗୀତା ହେମ୍ବ୍ରମ୍‌ ଏବଂ କରଞ୍ଜିଆ ୭ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ସଦସ୍ୟ ସମାଇ ପୂର୍ତ୍ତି। ଏମାନଙ୍କ ମଧ୍ୟରୁ ଗୀତା ହେମ୍ବ୍ରମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ପରେ ପୁଲିସ ଜୋରଜବରଦସ୍ତ ପ୍ରତିନିଧିମାନଙ୍କୁ ଟେକି ବାହାରକୁ ଫିଙ୍ଗିଦେଇଥିଲା। ଏହି ଘଟଣାରେ ସଦସ୍ୟା ଗୀତା ହେମ୍ବ୍ରମ୍‌ ଚେତାଶୂନ୍ୟ ହୋଇ ଯାଇଥିଲେ। ତୁରନ୍ତ ତାଙ୍କୁ ଓ ଅନ୍ୟ ୨ ଆହତଙ୍କୁ ମେଡିକାଲକୁ ନିଆଯାଇଥିଲା। ଏହାପରେ ଜିଲ୍ଳା ପରିଷଦ ବୈଠକ ଏକପ୍ରକାର ବାତିଲ୍‌ ହୋଇ ଯାଇଥିଲା। ଏହାର ଦୀର୍ଘ ସମୟ ପରେ ଜିଲ୍ଲାପାଳ ଏବଂ ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡିଙ୍କ ଉଦ୍ୟମରେ ମାତ୍ର ୫ ଜଣ ସଦସ୍ୟଙ୍କୁ ନେଇ ବୈଠକ କରାଯାଇଥିଲା। ବୈଠକରେ ଜିଲ୍ଲା ପରିଷଦ ସଭାପତି ଓ ଶତକଡ଼ା ୯୮ ପ୍ରତିଶତ ସଦସ୍ୟ ଅନୁପସ୍ଥିତ ଥିଲେ ମଧ୍ୟ ଜିଲ୍ଲାପାଳ ବୈଠକ କରିଥିଲେ।

ସମ୍ବନ୍ଧିତ ଖବର