ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଯୁବ ପଞ୍ଚାୟତ ପ୍ରେଡିଏର୍ ଗାଁରେ ଗତ ମାର୍ଚ୍ଚ ୨୦ରେ ଗଞ୍ଜେଇ ଚଢ଼ଉ ବେଳେ ପୁଲିସ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଯୁବ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଧୁ ମାଝୀ, ପ୍ରେଡିଏର ଗାଁର ଜିରୀମିୟ ମାଝି ଓ ଜୁଡ଼ାସ ରଇତ ।
ଏହି ଘଟଣାରେ ପୂର୍ବରୁ ୧୩ ଜଣ ଗିରଫ ହୋଇଥିଲେ। ଏହାକୁ ମିଶାଇ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି l ଘଟଣାରେ ସଂପୃକ୍ତ ଥିବା ଦୁଇଜଣ ଶିକ୍ଷକ ଓ ଅନ୍ୟ ଅଭିଯୁକ୍ତମାନେ ତୁରନ୍ତ ମୋହନା, ଅଡ଼ବା ଥାନା କିମ୍ବା ଏସ୍ପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିବାକୁ ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି। ଯଦି ଆତ୍ମସମର୍ପଣ ନ କରନ୍ତି ତେବେ ଅତିଶୀଘ୍ର ଏହି ମାସ ଶେଷ ସୁଦ୍ଧା ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି।
ଗତ ମାର୍ଚ୍ଚ ୨୦ ବିଳମ୍ବିତ ରାତିରେ ଗଞ୍ଜେଇ ଚଢ଼ଉ କରିବାକୁ ମୋହନା ପୁଲିସର ଏକ ଟିମ୍ ପ୍ରେଡିଏର୍ ଗ୍ରାମକୁ ଯାଇଥିଲେ। ଏହି ସମୟରେ ଗ୍ରାମବାସୀ ପୁଲିସ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ରା.ଉଦୟଗିରି ଏସ୍ଡିପିଓଙ୍କ ସମେତ ୨୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ l ପୁଲିସର ୬ଟି ଗାଡ଼ିକୁ ଭାଙ୍ଗି ଦିଆଯାଇଥିଲା। କିଛି ପୁଲିସ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ।