ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରାରେ ଖାକି ବର୍ଦିର ବର୍ବରତା ସାମନାକୁ ଆସିଛି। ରାସ୍ତାରେ ଉଲଗ୍ନ କରି ଜଣେ ବ୍ୟକ୍ତିଙ୍କୁ ମାଡ଼ ମରାଯାଇଛି। ମାଡ଼ରେ ତାଙ୍କ ଶରୀର ବିଭିନ୍ନ ସ୍ଥାନ ଫାଟିଯାଇଛି। ପାଖରେ ପୁଲିସ ଗାଡ଼ି ରହିଛି ଏବଂ ନିଜକୁ ପୁଲିସ ଅଧିକାରୀର ପରିଚୟ ଦେଇ ଧମକ ଦେବା ସହ ତାଙ୍କୁ ନିସ୍ତୁକ ପିଟୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ମାମଲାରେ ତାଳିପକାଇବାକୁ ସଂପୃକ୍ତ ପୁଲିସ ଅଧିକାରୀ ଆଜି ଦିନତମାମ ଉଦ୍ୟମ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏମିତିକି ସଂପୃକ୍ତ ମଦ ବେପାରୀଙ୍କୁ ଉଠାଇ ନେଇ ମୁହଁ ନଖୋଲିବା ପାଇଁ ଧମକ ଦେଇ ରଫାଦଫା କରିଥିବା ଜଣାପଡ଼ିଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ଚୋରା ମଦ ବେପାରୀଙ୍କ ଘରେ ଗତକାଲି ପୂର୍ବାହ୍ଣରେ ପୁଲିସ ଚଢ଼ଉ କରିଥିଲା। ମାତ୍ର ତାଙ୍କ ଘରୁ ମଦ ମିଳିନଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସଂପୃକ୍ତ ଥାନା ଅଧିକାରୀ ମଦ ବେପାରୀଙ୍କୁ ତାଙ୍କ ଘରେ ପ୍ରବଳ ମାଡ଼ ମାରିଥିଲେ। ଘର ସମ୍ମୁଖରେ ଥିବା ତାଙ୍କ ବାଇକ୍ଟିକୁ ଭାଙ୍ଗି ଦେଇଥିଲେ। ପରେ ପୁଲିସ ଗାଡ଼ିରେ ବସାଇ ନେଇ ରାସ୍ତାରେ ଉଲଗ୍ନ କରି ମାଡ଼ମାରିଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ। ଏ ଭିଡିଓଟି ଆଜି ଭାଇରାଲ ହେବା ପରେ ପୁଲିସ୍ର ବର୍ବର ମାନସିକତା ସାମନାକୁ ଆସିଛି। ମାଡ଼ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ଏକାଧିକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ସେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ନିସ୍ତୁକ ପିଟିବା ପରେ ପୁଲିସ୍ ତାଙ୍କୁ ସେଠାରେ ଛାଡ଼ି ଚାଲିଯାଇଥିଲା। ମାଡ଼ ଭୟରେ ସମ୍ପୃକ୍ତ ପରିବାର ମୁହଁ ଖୋଲିବାକୁ ନିରାପଦ ମଣୁ ନାହାନ୍ତି। ଲକ୍ଡାଉନ୍ ଯୋଗୁଁ ଗ୍ରାମବାସୀ ମଧ୍ୟ କେହି ପ୍ରତିବାଦ କରିବାକୁ ସାହସ କରୁନାହାନ୍ତି। ଏନେଇ ଆନନ୍ଦପୁର ଏସ୍ଡିପିଓ ଦିଲୀପ ବାଗଙ୍କୁ ପଚାରିବାରୁ କହିଥିଲେ, ଏହି ଭିଡିଓ ଭାଇରାଲ ହେବା ପରେ ସେ ତଦନ୍ତ କରିବାକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ। ତାଙ୍କୁ ପୁଲିସ୍ ମାଡ଼ ମାରିଥିବା ନେଇ କୌଣସି ପ୍ରମାଣ ମିଳିନାହିଁ।