ପୁରୀ : ପୁରୀ ସହର ବଡ଼ଦାଣ୍ଡର ବଡ଼ଶଙ୍ଖ ପରିବାର ମାର୍କେଟରେ କୋଭିଡ୍ କଟକଣାକୁ ଲାଗୁ କରିବାକୁ ଯାଇ ପୁଲିସ ଲାଠିଚାର୍ଜ କରିଛି। ଏହି ଲାଠିଚାର୍ଜରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଥିବା ବେଳେ ସାମ୍ବାଦିକ ମଧ୍ୟ ବାଦ୍ ପଡ଼ିନାହାନ୍ତି।
ମିଳିଥିବା ସୂଚନା ଅନୁସାରେ, କୋଭିଡ଼ କଟକଣା ଉଲ୍ଲଂଘନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ପରେ ବୁଧବାର ପୁଲିସର ଉଗ୍ରରୂପ ବଡ଼ଶଙ୍ଖ ପରିବା ମାର୍କେଟରେ ଦେଖିବାକୁ ମିଳିଥିଲା। ବୁଧବାର କିଛି ପୁଲିସ ଅଧିକାରୀ ସଦଳବଳ ବଡ଼ଶଙ୍ଖ ପରିବା ମାର୍କେଟରେ ପହଞ୍ଚିଥିଲେ। ଏଠାରେ ପରିବା ବ୍ୟବସାୟୀମାନଙ୍କ ମଧ୍ୟରେ ୩୦ ଫୁଟ୍ ଦୂରତା ରକ୍ଷା କରିବାକୁ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ପୁଲିସ ଜୁଲମ୍ ଥିଲା। ମାତ୍ର ଏହି ନିୟମ ପାଳନ ସମ୍ଭବ ନୁହେଁ ବୋଲି କହି କେତେକ ବ୍ୟବସାୟୀ ପ୍ରତିବାଦ କରିଥିଲେ। ଏହି ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଏବଂ ଏଥିରେ ଦୀପକ କୁମାର ସାହୁ ନାମକ ଜଣେ ପରିବା ବ୍ୟବସାୟୀ ଆହତ ହୋଇଥିଲେ। ଆହତ ପରିବା ବ୍ୟବସାୟୀ ଦୀପକଙ୍କୁ ପୁଲିସ ଚିକିତ୍ସା ନିମନ୍ତେ ଡାକ୍ତରଖାନା ନେବା ସମୟରେ ବ୍ୟବସାୟୀମାନେ ପ୍ରତିବାଦ କରିଥିଲେ। ଏହି ଘଟଣାକୁ ନେଇ ପୁଲିସ ଲାଠି ଚାଳନା କରିବା ସହ ୪ ଜଣ ବ୍ୟବସାୟୀଙ୍କୁ ଗାଡ଼ିରେ ଭର୍ତ୍ତିକରି ଥାନାକୁ ନେବାକୁ ଉଦ୍ୟମ କରିଥିଲା।
ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଦତ୍ତାତ୍ରୟ ନାୟକ ନାମକ ଜଣେ ସାମ୍ବାଦିକ ଏହି ଘଟଣାର ଫଟୋ ଉଠାଉଥିବାବେଳେ ପୁଲିସ ତାଙ୍କୁ ମଧ୍ୟ ମାଡ଼ ମାରିଥିଲା। ପରେ ଅନ୍ୟ ସାମ୍ବାଦିକମାନେ ସୂଚନା ପାଇ ସେଠାରେ ପହଞ୍ଚିବା ପରେ ପୁଲିସ ଶ୍ରୀନାୟକଙ୍କୁ ଛାଡ଼ିଥିଲା। ଏସ୍ପିଙ୍କ ସହ ବ୍ୟବସୀୟ ସଂଘର ଆଲୋଚନା ପରେ ପୁଲିସ ଧରିନେଇଥିବା ୪ଜଣ ବ୍ୟବସାୟୀମାନଙ୍କୁ ମଧ୍ୟ ଛାଡ଼ି ଦେଇଥିଲା।
ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ଏସ୍ପି ଡ. କେ ବିଶାଳ ସିଂହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ, ପ୍ରଦୀପ୍ତ ନାୟକ ନାମକ ଜଣେ ମାନବାଧିକାର କର୍ମୀ ବୁଧବାର ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/puri-2.jpg)