‘ମୋ ସରକାର ଯୋଜନା’କୁ ଉପହାସ : ମଙ୍ଗୁ ମଠ ମହନ୍ତଙ୍କୁ ଭେଟିବା ଜିଦ୍‌ ଯୋଗୁଁ ସାଧୁଙ୍କୁ ଧକ୍କା ମାରି ନେଲା ପୁଲିସ

ପୁରୀ : ଲୋକଙ୍କ ପ୍ରତି ପୁଲିସର ବ୍ୟବହାର କେମିତି ରହୁଛି ତାକୁ ନେଇ ଡିଜି ବିଜୟ କୁମାର ଶର୍ମା ନିଜେ ସ‌ାଧାରଣ ଲୋକଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଥାନାକୁ ଯାଉଥିବା ଲୋକ ତାଙ୍କ ଅନୁଭୂତି ବଖାଣିବେ। ପୁଲିସର ବ୍ୟବହାରକୁ ନେଇ ଜନତା ହିଁ ନମ୍ବର ଦେବେ। ମୋ ସରକାର ଯୋଜନାକୁ ଲୋକାଭିମୁଖୀ କରିବାକୁ ପୁଲିସ ଏଭଳି ପ୍ରୟାସ କରୁଛି।

କିନ୍ତୁ ସାଧାରଣ ଜନତାଙ୍କୁ ପୁଲିସର ବ୍ୟବହାର ବ୍ରିଟିସ୍‌ ଅମଳର ରହିଯାଇଛି। ଆଜି ପୁରୀରେ ଜଣେ ସାଧୁଙ୍କୁ ପୁଲିସର ଦୁର୍ବ୍ୟବହାର କଥାକୁ ନେଇ ସହରରେ ଚର୍ଚ୍ଚା ଜୋରଧରିଛି। ପୁଲିସବାବୁ ଜଣକ ସାଧୁଙ୍କୁ ଗଳା ଧକ୍କା ଦେଉଛନ୍ତି। ତାଙ୍କ ବେକକୁ ଧରି ତଣ୍ଟିଆ ଦେଇ ବାହାରକୁ ଆଣୁଛନ୍ତି। ଏ ଦୃଶ୍ୟ ଥାନା ଭିତରେ ନୁହେଁ, ବରଂ ସର୍ବସାଧାରଣରେ ସିଂହଦ୍ବାର ସମ୍ମୁଖରେ ଘଟିଛି। ସାଧୁଙ୍କୁ ଗଳାଧକ୍କା ମାରୁଥିବା ପୁଲିସର ରୁକ୍ଷ ବ୍ୟବହାରକୁ ନେଇ ଚର୍ଚ୍ଚା ଜୋର ଧରିଛି।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ସାଧୁଙ୍କ ସେମିତି କିଛି ଅପରାଧ ନଥିଲା। ଗେରୁଆ ବସ୍ତ୍ର ଧାରଣ କରିଥିବା ବାବା ଜଣକ ସିଂହଦ୍ବାର ସମ୍ମୁଖରେ ଥିବା ମଙ୍ଗୁ ମଠର ମହନ୍ତଙ୍କୁ ଭେଟିବାକୁ ଯାଉଥିଲେ। ପୁଲିସ ତାଙ୍କୁ ଯିବାକୁ ବାରଣ କରିଥିଲା। ମାତ୍ର ସାଧୁ ଜଣକ ମହନ୍ତଙ୍କୁ ସାକ୍ଷାତ କରିବାକୁ ଜିଦ୍ କରିଥିଲେ। ଏତିକିରେ ପୁଲିସ ବାବୁଙ୍କ ରାଗ ପ୍ରଚଣ୍ଡ ହୋଇଥିଲା। ସେ ସାଧୁଙ୍କୁ ନିଜ କାରନାମା ଦେଖା‌ଇଥିଲେ। ସାଧୁଙ୍କୁ ଗଳା ଧକ୍କା ଦେଇ ବେକକୁ ଭିଡ଼ି ଧରି ଟାଣି ଟାଣି ନେଇଥିଲେ। ପ‌ରେ ତାଙ୍କୁ ନେଇ ସିଂହଦ୍ବାର ଫାଣ୍ଡିରେ ଅଟକ ରଖିଥିଲେ। କିଛି ଅପରାଧ ନଥାଇ ପୁଲିସ ଜଣେ ସାଧୁଙ୍କୁ ‌ଯେଉଁ ଭଳି ଗଳାଧକ୍କା ଦେଲେ ତାକୁ ଜନସାଧାରଣ ନାପସନ୍ଦ କରିଛନ୍ତି। ‘ମୋ ସରକାର ଯୋଜନା’ରେ ଏହି ପୁଲିସଙ୍କ ବିରୋଧରେ କି ଭଳି କାର୍ଯ୍ୟନୁଷ୍ଠାନ ହେଉଛି, ତାକୁ ଦେଖିବା ପାଇଁ ପୁରୀ ସହରବାସୀ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର