ସେବାୟତଙ୍କୁ ପୁଲିସ୍‌ର ମାଡ଼, ଆରଡ଼ି ପୀଠରେ ଉତ୍ତେଜନା

ଆରଡି : ଆରଡ଼ିର ବାବା ଆଖଣ୍ତଳମଣିଙ୍କ ମନ୍ଦିରରେ ଆଜି ଜଣେ ସେବାୟତଙ୍କୁ ମାଡ଼ ମରାଯିବା ଘଟଣାକୁ କେନ୍ଦ୍ରକରି ଉ‌େତ୍ତଜନା ଦେଖାଦେଇଛି। ମାଡ଼ ମାରିଥିବା ପୁଲିସ୍‌ କନେଷ୍ଟବଳଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ଆରଡ଼ି ପୀଠରେ ଦୈନଦିନ ନୀତିକାନ୍ତି ସହ ଗଣେଶ ପୂଜା ନୀତି ଚାଲିଥିଲା। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଲାଗି ରହିଥିଲା। ସକାଳ ୧୦ଟାରେ ମଣିବାବାଙ୍କ ପଅଡ଼ଖିଆ ଅନ୍ନନୀତି ଭୋଗ ଲାଗି ହେଉଥିବା ସମୟରେ ସେବାୟତ ସ˚ଜୟ ପଣ୍ତା ମନ୍ଦିରରୁ ଫେରୁଥିଲେ। ଏହି ସମୟରେ ଆରଡି ଫାଣ୍ତିର କନେଷ୍ଟବଳ ମୋହନ ପୁହାଣ ଶ୍ରଦ୍ଧାଳୁଙ୍କ ଭିଡ଼ ଘଟଣାକୁ ନେଇ ସଂଜୟଙ୍କୁ ମାଡ଼ ମାରିଥିଲେ। ସେଠାରେ ଉପସ୍ଥିତ ଥିବା କିଛି ସେବାୟତ ହସ୍ତ‌େକ୍ଷପ କରିବା ପରେ ମୋହନ ଘଟଣାସ୍ଥଳରୁ ପଳାଇଥିଲେ।

ଏହି ଘଟଣାକୁ ନେଇ ମନ୍ଦିର ସେବାୟତଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ ମନ୍ଦିରର ସେବାପୂଜା ଆଦି ବନ୍ଦ କରି ଦେଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ, ମନ୍ଦିର ଟ୍ରଷ୍ଟି ତଥା ଉପ-ଜିଲ୍ଲାପାଳ ପୀତାମ୍ବର ସାମଲ ଘଟଣାର ତଦନ୍ତ କରିବା ପାଇଁ ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ପୃକ୍ତ କନେଷ୍ଟବଳ ଶ୍ରୀ ପୁହାଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର