ଯୋଡ଼ା : ସ୍ବାମୀସ୍ତ୍ରୀ ଝଗଡ଼ାକୁ ସମାଧାନ କରିବା ପରିବର୍ତ୍ତେ ଫାଣ୍ଡିରେ ଥିବା ପୁଲିସ କନେଷ୍ଟବଳ ସ୍ବାମୀଙ୍କୁ ଡକାଇ ନିସ୍ତୁକ ପିଟିଛନ୍ତି। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କୁ ପ୍ରଥମେ କମାରଯୋଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ଯୁବକଙ୍କ ହାତଗୋଡ଼ ସମେତ ଶରୀରର ବିଭିନ୍ନ ସ୍ଥାନରେ ଶକ୍ତ ଆଘାତ ଲାଗିଛି। ପୁଲିସର ଏପରି ବର୍ବରତା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ଫାଣ୍ଡିରେ। ଏନେଇ ଯୁବକଙ୍କ ପରିବାର ଲୋକେ ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି।

Advertisment

ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଯୋଡ଼ା ଥାନା ମୁଟୁଦା ଗ୍ରାମର ଅମିତ କୁମାର ସେଠୀ ଓ ତାଙ୍କ ପତ୍ନୀ ସୁପ୍ରିୟାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଅମିତ ସ୍ତ୍ରୀ ସୁପ୍ରିୟାଙ୍କୁ ମାର୍‌ପିଟ୍‌ କରିଥିଲେ। ଏନେଇ ସୁପ୍ରିୟା ଗତକାଲି ଅପରାହ୍‌ଣ ପ୍ରାୟ ୩ଟାବେଳେ ବିଲେଇପଦା ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ ଅମିତଙ୍କୁ ଡାକି ବୁଝାସୁଝା କରିବା ପରେ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ଭାବିଥିଲେ। କିନ୍ତୁ ଫାଣ୍ଡିରେ ଅବସ୍ଥାପିତ ଥିବା ପୁଲିସ କନେଷ୍ଟବଳ ଅମିତଙ୍କୁ ଡକାଇ ପ୍ରଥମେ ବୁଝାସୁଝା କରିଥିଲେ। ପରେ ଭିତରକୁ ନେଇ ନିସ୍ତୁକ ମାଡ଼ ମାରିବା ପରେ ଛାଡ଼ିଥିଲେ। ଅମିତ ଗୁରୁତର ଅବସ୍ଥାରେ ଘରକୁ ଫେରିବା ପରେ ପରିବାର ଲୋକେ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ଯୋଡ଼ା ଥାନା ପୁଲିସ ପ୍ରଥମେ ଡାକ୍ତରଖାନା ଯାଇ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲା। ପୁଲିସର ପରାମର୍ଶକ୍ରମେ ଅମିତଙ୍କୁ ପ୍ରଥମେ କମାରଯୋଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିଲେଇପଦା ଫାଣ୍ଡି ଯୋଡ଼ା ଥାନା ଅଧୀନରେ ରହିଛି। ଜଣେ କନେଷ୍ଟବଳଙ୍କୁ ବହୁଦିନ ହେଲା ଫାଣ୍ଡି ଦାୟିତ୍ୱ ଦିଆଯାଇଛି। କନେଷ୍ଟବଳ ଜଣଙ୍କ ଫାଣ୍ଡିକୁ ଆସୁଥିବା ଲୋକଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ସଂପୃକ୍ତ କନେଷ୍ଟବଳଙ୍କ ବିରୋଧରେ ଅମିତଙ୍କ ପରିବାର ଲୋକେ ଏସ୍‌ପିଙ୍କୁ ଫେରାଦ ହୋଇଛନ୍ତି। ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ‌କରିଛନ୍ତି।