ଶୁଳିଆପଦା/ଉଦଳା(୧)/ଉଦଳା : ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଏକ ବାଇକ୍ ଉଦ୍ଧାର ଘଟଣାର ଛାନ୍ଭିନ୍ ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ। ଶୁକ୍ରବାର ସକାଳେ ମୟୂରଭଞ୍ଜ ଜିଲ୍ଲା ଉଦଳା କଲେଜ ନିକଟ ଜଙ୍ଗଲରୁ ପୁଲିସ ଉଦ୍ଧାର କରିଥିଲା ଏକ ବାଇକ୍। ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଥିବା ଏହି ବାଇକ୍କୁ ଦେଖି ପୁଲିସ ଭ୍ରମରେ ପଡ଼ିବା ସହ ଏହା କୌଣସି ଚୋରା ବାଇକ୍ ବୋଲି ସନ୍ଦେହ କରିଥିଲା। ତେବେ ବାଇକ୍ରେ ପୁଲିସ ଲେଖା ଯାଇଥିବାରୁ ଉଦଳା ପୁଲିସ ଛାନ୍ଭିନ୍ କରିବା ପରେ ଓଡି୦୫-ଏଜି-୩୮୪୩ ନମ୍ବର ବିଶିଷ୍ଟ ଏହି ଧଳା ରଙ୍ଗର ଆପାଚି ବାଇକ୍ର ମାଲିକାନା ଜିଲ୍ଲା ଏସ୍ପିଙ୍କ ନାଁରେ ଥିବା ଜଣାପଡ଼ିଥିଲା। ଏହିଠାରୁ ଖୋଲିଥିଲା ଘଟଣାର ଗୁମର।
ସୂଚନା ଅନୁଯାୟୀ, ଗତକାଲି ଶୁଳିଆପଦା ଥାନା କୁଜିଡ଼ିହିଠାରେ ଦ୍ରୁତଗତିରେ ଆସୁଥିବା ଜଣେ ସ୍କୁଟର ଚାଳକଙ୍କ ସହ ଏକ ବାଛୁରୀର ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଜୋର୍ରେ ହୋଇଥିଲା ଯେ ବାଛୁରୀଟି ଛିଟ୍କି ପଡି ପାଖରେ ଯାଉଥିବା ବୁଧୁନି ସିଂ (୬୫) ନାମ୍ନୀ ଜଣେ ବୃଦ୍ଧାଙ୍କ ଉପରେ ପିଟି ହୋଇଥିଲା ଏବଂ ଘଟଣାସ୍ଥଳରେ ବୁଧୁନିଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ସ୍କୁଟର ଚାଳକଙ୍କୁ କାବୁ କରି ଶୁଳିଆପଦା ପୁଲିସକୁ ଖବର ଦେଇଥିଲେ। ଶୁଳିଆପଦା ଥାନା ଏଏସ୍ଆଇ ସୂର୍ଯ୍ୟନାରାୟଣ ବାରିକ ଓ ହାବିଲଦାର ଦିପ୍ତେଶୁ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟର ଚାଳକଙ୍କୁ ସେଠାରୁ ଆଣିବା ସହ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସ୍ଥାନୀୟ କୋଷ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଦୁର୍ଘଟଣା ଘଟାଇଥିବା ସ୍କୁଟର ଚାଳକ ଜଣକ ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର ଦାନ୍ତୁନ ଥାନା ଅଧୀନ ମନୋହରପୁର ଗ୍ରାମର ଗୋପାଲ ଜେନାଙ୍କ ପୁଅ ସଞ୍ଜୀବ ବୋଲି ଜଣାପଡ଼ିଥିଲା। ତେବେ ସଞ୍ଜୀବ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ପୁଲିସକୁ ଚକ୍ମା ଦେଇ ପୁଲିସର ଏହି ଆପାଚି ପାଟ୍ରୋଲିଂ ବାଇକ୍ଟିକୁ ଧରି ଫେରାର୍ ହୋଇ ଯାଇଥିଲା। ପୁଲିସ ସଞ୍ଜୀବଙ୍କ ପିଛା କରିଥିଲେ ବି ତାକୁ ଧରିବାରେ ସଫଳ ହୋଇ ନଥିଲା।
ଉଦଳା ଜଙ୍ଗଲରୁ ବାଇକ୍ର ସନ୍ଧାନ ମିଳିବା ପରେ ସତକଥା ପଦାକୁ ଆସିଥିଲା। ଏହି ଘଟଣାରେ ଥାନା ଏଏସ୍ଆଇ ସତ୍ୟନାରାୟଣ ଏବଂ ହାବିଲଦାର ଦିପ୍ତେଶୁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/suliapada-police.jpg)