୨୦୦ ଜଣଙ୍କ ନାଁରେ ମାମଲା ରୁଜୁ
କଟକ-ନରସିଂହପୁର ରାସ୍ତା ଅବରୋଧ

Advertisment

ନରସିଂହପୁର : ନରସିଂହପୁର ଥାନା ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସମୟରେ ତୁମୁଳକାଣ୍ଡ ଘଟିଛି। ପୁଲିସ ଓ ବିଜେପି କର୍ମୀଙ୍କ ଖଣ୍ଡଯୁଦ୍ଧରେ ୩ ପୁଲିସ କର୍ମଚାରୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ବିଜେପି କର୍ମୀମାନେ ଥାନାରେ ତାଲା ପକାଇ ଦେବା ସହ ପୁଲିସ ଉପରକୁ ଢେଲା ପଥର ମାଡ଼ କରିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠି ଚାଳନା କରିବାକୁ ପଡ଼ିଛି। ଆହତମାନଙ୍କ ମଧ୍ୟରେ ଗୁରୁତର ହୋଇ ପଡିଥିବା ମହିଳା ହୋମ୍‌ଗାର୍ଡ ରୀନା ମଲ୍ଲିକଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ବିଜେପି ନେତା ବିଜୟ ଦଳବେହେରାଙ୍କ ସମେତ ୩ ଜଣଙ୍କୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହିତ, ୨୦୦ ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

publive-image

ସୂଚନା ଅନୁଯାୟୀ, ଗତ ୪ ତାରିଖରେ ନରସିଂହପୁର ବିଚାର ବିଭାଗୀୟ ଅଦାଲତ ସମ୍ମୁଖରେ ପୂର୍ବ ଶତ୍ରୁତାରୁ କାନପୁର ଥାନା ଅନ୍ତର୍ଗତ ହରିପୁର ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କୋର୍ଟ ପରିସରରେ ହୋହଲ୍ଲା ଯୋଗୁଁ ପରିବେଶ ଅଶାନ୍ତ ହୋଇଥିଲା। ଖବର ପାଇ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ୩ ଜଣଙ୍କୁ ଅଟକ ରଖିଥିଲେ। ଏ ନେଇ ଉଭୟ ପକ୍ଷରୁ ଦୁଇଟି ପୃଥକ୍‌ ଅଭିଯୋଗ କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ଜଣଙ୍କୁ ଓ ଗତକାଲି ୩ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ନରସିଂହପୁର ପୁଲିସ୍‌ ଉକ୍ତ ଘଟଣାରେ ପକ୍ଷପାତ କରିଥିବା ଅଭିଯୋଗ କରି ଆଜି ବିଜେପି ପକ୍ଷରୁ ନରସିଂହପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସ୍ଥାନୀୟ ତହସିଲଦାର ଆଲୋକ କୁମାର ଦେହୁରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ସେହି ଅନୁସାରେ ଆଜି ପୂର୍ବାହ୍ନ ୧୧ଟାରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ନରସିଂହପୁର ଥାନା ସମ୍ମୁଖରେ ପହଞ୍ଚି ଥିଲେ। କର୍ମୀମାନେ ନାରାବାଜି କରିଥିବା ବେଳେ ମହିଳା କର୍ମୀମାନେ ଥାନା ଫାଟକରେ ତାଲା ପକାଇ ଦେଇଥିଲେ। ପୁଲିସ ପକ୍ଷରୁ ଏହାର ବିରୋଧ କରାଯିବାରୁ ଉତ୍‌କ୍ଷିପ୍ତ ହୋଇ କର୍ମୀମାନେ ଢେଲାପଥର ମାଡ଼ ଆରମ୍ଭ କରିଥିଲେ। ଏଥିରେ ତିନି ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠି ମାଡ଼ କରି ଥିଲା। ଏଥିରେ ଜଣେ ବିଜେପି କର୍ମୀ ଆହତ ହୋଇଥିଲେ।

publive-image

ଅପରପକ୍ଷରେ ବିଜେପି ନେତାଙ୍କ ଗିରଫଦାରି ପ୍ରତିବାଦରେ ବିଭୁଦତ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ବଡ଼ମ୍ବା ଥାନା ରତାପାଟ ହାଡ଼ୁଆ ନିକଟରେ ଚାଲିଥିବା ରାସ୍ତାରୋକକୁ ବିଜେପି କର୍ମୀମାନେ ସାମୟିକ ଭାବେ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଫଳରେ ରାତି ୧୦ଟା ପରେ କଟକ-ନରସିଂହପୁର ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି।

ଖବର ପାଇ ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଆଠଗଡ଼ ଏସ୍‌ଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ, ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡ଼ିଆ, ତିଗିରିଆ ଥାନା ଆଇଆଇସି ବନବିହାରୀ ପ୍ରଧାନ, ବଡ଼ମ୍ବା ଥାନା ଆଇଆଇସି ନିରଞ୍ଜନ ଦାଶ, କାନପୁର ଥାନା ଏସ୍‌ଆଇ କର୍ମା ଲାକ୍ରାଙ୍କ ସମେତ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ରାସ୍ତାରୋକ ସ୍ଥଳରେ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଚୌଦ୍ବାର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା ଓ ବଡ଼ମ୍ବା ଥାନା ଆଇଆଇସିଙ୍କ ସମେତ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ଅନ୍ୟପଟେ ଏହି ଘଟଣାରେ ବିଜେପି ଜିଲ୍ଲାସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ବଡମ୍ବା - ନରସିଂହପୁର ନିର୍ବାଚନ ମଣ୍ଡଳୀରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ଆକ୍ରୋଶମୂଳକ ମନୋଭାବ ପ୍ରତିବାଦରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ସେ ଘଟଣାର ଦୃଢ ନିନ୍ଦା କରିବା ସହ ପୁଲିସ ସରକାରୀ ଦଳର ହାତ ବାରିସ ସାଜିଛି ବୋଲି ଅଭିଯୋଗ କରିଛନ୍ତି।