ଭୁବନେଶ୍ୱର: କୋରାପୁଟର କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ରାଜଧାନୀରେ ଦିନ ତମାମ ବିଜେପି, କଂଗ୍ରେସ ଓ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ବିଜେପି କର୍ମୀଙ୍କ ସହିତ ପୁଲିସର ସଂଘର୍ଷ ହେବା ଫଳରେ କିଛି ସମୟ ଲାଗି ଶିଶୁଭବନ ଛକ ରଣକ୍ଷେତ୍ର ପାଲଟି ଯାଇଥିଲା। ପୁଲିସ ଲାଠିମାଡ଼ରେ ୧୨ରୁ ଅଧିକ ବିଜେପି କର୍ମୀ ଆହତ ହୋଇଥିବାବେଳେ ପଥର ଓ ଢେଲାମାଡ଼ରେ ପୁଲିସର ମଧ୍ୟ ୫ ଜଣ ଅଫିସର ଓ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ସକାଳ ପ୍ରାୟ ୧୧ଟାବେଳେ ବିଜେପି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ନବୀନ ନିବାସ ଆଡ଼େ ମୁହାଁଇଥିଲା। ବିକ୍ଷୋଭକାରୀମାନଙ୍କୁ ପ୍ରଥମେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ସେଠାରେ ସାମାନ୍ୟ ଠେଲାପେଲା ପରେ କର୍ମୀମାନେ ରାଜମହଲ ଛକ ଆଡ଼କୁ ମାଡ଼ି ଯାଇଥିଲେ। ରାଜମହଲ ଛକରେ ମଧ୍ୟ ପୁଲିସ କର୍ମୀମାନଙ୍କୁ ଅଟକାଇ ପାରି ନ ଥିଲା। କିଛି ସମୟ ମଧ୍ୟରେ ସେମାନେ ପହଞ୍ଚି ଯାଇଥିଲେ ଶିଶୁଭବନ ଛକ ନିକଟରେ। ତେବେ ପୁଲିସ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ବ୍ୟାରିକେଡ୍ କରିଥିଲା। ଫଳରେ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ସେଠାରେ ଜୋରଦାର ଠେଲାପେଲା ଓ ଧସ୍ତାଧସ୍ତି ଲାଗିଥିଲା। ଏପରିକି କିଛି ବିକ୍ଷୋଭକାରୀ ପୁଲିସ ଉପରକୁ ପଥର ଓ ଢେଲା ଫିଙ୍ଗିବା ଆରମ୍ଭ କରିଥିଲେ। ଫଳରେ ଡିସିପି ସତ୍ୟବ୍ରତ ଭୋଇଙ୍କ ପିଏସ୍ଓଙ୍କ ମୁଣ୍ଡ ଫାଟି ଯାଇଥିଲା। ଅନ୍ୟ କେତେକ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ଏହା ପରେ ପୁଲିସ ବାଧ୍ୟ ହୋଇ ଲାଠିଚାର୍ଜ କରିଥିଲା। ପୁଲିସର ଲାଠି ମାଡ଼ରେ ୧୨ରୁ ଅଧିକ ବିଜେପି କର୍ମୀ ଆହତ ହୋଇଥିଲେ। କାହାର ମୁଣ୍ଡ ଫାଟିଥିଲା ତ ଆଉ କାହାର ହାତ ଭାଙ୍ଗିଥିଲା। କିଛି ସମୟ ଲାଗି ଶିଶୁଭବନ ଛକ ରଣକ୍ଷେତ୍ର ପାଲଟି ଯାଇଥିଲା। ଲାଠିଚାର୍ଜ ପରେ ବିଜେପି କର୍ମୀମାନେ ଶିଶୁଭବନ ଛକରୁ ଛତ୍ରଭଙ୍ଗ ଦେଇଥିଲେ।
/sambad/media/post_attachments/wp-content/uploads/2018/01/m2-1-300x128.jpg)
ରଣକ୍ଷେତ୍ର ପାଲଟିଗଲା ଶିଶୁଭବନ ଛକ
ଲାଠିମାଡ଼ରେ ୧୨ ବିଜେପି କର୍ମୀ, ଢେଲାମାଡ଼ରେ ୫ ପୁଲିସ ଆହତ
ନବୀନ ନିବାସ ନିକଟରେ ମହିଳା କଂଗ୍ରେସର ବିକ୍ଷୋଭ
ଠିକ୍ ଏତିକିବେଳେ ନବୀନ ନିବାସ ଘେରାଉ ପାଇଁ ମହିଳା କଂଗ୍ରେସ ପକ୍ଷରୁ କିଛି ମହିଳା ପଳାସପଲ୍ଲୀ ପଟୁ ଏକ ଶୋଭାଯାତ୍ରାରେ ଆସି ନବୀନ ନିବାସ ନିକଟରେ ପହଞ୍ଚିଥିଲେ। ଶିଶୁଭବନ ଛକରେ ବିଜେପି ସହିତ ଲଢ଼ୁଥିବା ପୁଲିସ ହଡ଼ବଡ଼େଇ ଯାଇଥିଲା। ମହିଳା ବିକ୍ଷୋଭକାରୀଙ୍କୁ ରୋକିବାକୁ ତୁରନ୍ତ ପୁଲିସ ଫୋର୍ସ ନବୀନ ନିବାସ ଆଡ଼େ ମୁହାଁଇଥିଲା। ସେମାନଙ୍କୁ ଅଟକାଇବାକୁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ସେଠାରେ ମଧ୍ୟ ମହିଳା କଂଗ୍ରେସ ସଦସ୍ୟା ଓ ପୁଲିସ ମଧ୍ୟରେ ଠେଲାପେଲା ଯୋଗୁଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସାଙ୍ଗରେ ମହିଳା ପୁଲିସ ନ ଥିବାରୁ ହଠାତ୍ ସେମାନଙ୍କୁ ପୁଲିସ ଗିରଫ କରିବାକୁ ସକ୍ଷମ ହୋଇ ନ ଥିଲା। ସେହିପରି ଅପରାହ୍ଣରେ ଛାତ୍ର କଂଗ୍ରେସ ଓ ଏବିଭିପି ମଧ୍ୟ ଉତ୍କଳବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ସିଭିଲ ସୋସାଇଟି, ସୂଚନା ଅଧିକାରୀ କର୍ମୀ ଓ ଦଳିତ ସଂଘ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/m16-2.jpg)