ଭୁବନେଶ୍ବର: କେତେବେଳେ ବେଳାଭୂମିରୁ ଯୁବତୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଗଲାଣି ତ କେତେବେଳେ ରାସ୍ତାରେ ଦୁର୍ବୃତ୍ତ ଟଣାଓଟରା କଲେଣି। ପୁଣି କେତେବେଳେ କଲେଜରେ ଅଧ୍ୟାପକଙ୍କ ନିର୍ଯାତନା ସହି ନପାରି ଛାତ୍ରୀ ଅତ୍ମାହୁତି ଦେଲେଣି। କର୍ମସ୍ଥଳୀରୁ ପର୍ଯ୍ୟଟନସ୍ଥଳୀ, ଶିକ୍ଷାନୁଷ୍ଠାନରୁ ଘର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଯୁବତୀ ଓ ମହିଳାଙ୍କୁ ନିର୍ଯାତନା ନେଇ ବିଗତ ଦିନରେ ଥାନାରେ ମାଳମାଳ ମାମଲା ହୋଇଛି। ନିର୍ଯାତନା ଓ ଅତ୍ୟାଚାର ସହି ନପାରି କିଏ ଆତ୍ମହତ୍ୟାକୁ ଶେଷବାଟ ଆପଣାଉଛି ତ କିଏ ଆତ୍ମହତ୍ୟା ଉଦ୍ୟମ କରି ପଙ୍ଗୁ ହୋଇଯାଇଛି। ଯଦି ପୁଲିସ ତଥ୍ୟକୁ ଦେଖାଯାଏ ରାଜ୍ୟରେ ଗତ ୨୦୨୩ ମସିହା ଅପେକ୍ଷା ୨୦୨୪ରେ ଦୁଷ୍କର୍ମ, ଅସଦାଚରଣ ଭଳି ସଂଗିନ ମାମଲା ବଢ଼ିଚାଲିଛି। ଗତ ୨୦୨୩ ମସିହାରେ ୩୦, ୦୭୮ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୦୨୪ରେ ୩୦, ୭୭୯ଟି ମାମଲା ରୁଜୁ ହୋଇଛି। ଯଦି ହିସାବକୁ ନିଆଯାଏ, ପ୍ରତିଦିନ ରାଜ୍ୟର ୮୫ଜଣ ମହିଳା ଓ ଯୁବତୀ ଏମିତି ଅପ୍ରୀତିକର ସ୍ଥିତିର ସାମନା କରୁଛନ୍ତି। ତେଣୁ ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରାଯାଇଛି। ଉଦ୍‌ବେଗର ବିଷୟ ଯେ ଏଭଳି ସଙ୍ଗିନ ମାମଲାରେ ପ୍ରମାଣ ଅଭାବରୁ ଅଭିଯୁକ୍ତ ଖସିଯିବାରେ ସକ୍ଷମ ହେଉଛନ୍ତି। ସେମିତି ଅନେକ ମାମଲାରେ ବହୁଦିନ ଧରି ଫେରାର ହେବା ପରେ ପରବର୍ତ୍ତୀ ସମୟରେ ଜାମିନ ପାଇ ଅଭିଯୁକ୍ତ ଖୁଲମଖୁଲା ବୁଲୁଛନ୍ତି।

Advertisment

ଖର୍ଚ୍ଚ ହେବ ୧୦୦୦ କୋଟି, ତଦନ୍ତ ପାଇଁ ୩୦୦ କୋଟିର ପାଣ୍ଠି
ପୁରୀ ଓ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଯୋଜନା
ତଦନ୍ତକାରୀ ଅଧିକାରୀ, ଏସ୍‌ଏଫ୍‌ଏସ୍‌ଏଲ୍‌ ହେବ ସଶକ୍ତ

 ଏଣୁ ମହିଳା ସୁରକ୍ଷା ନେଇ ରାଜ୍ୟ ପୁଲିସ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ଆଗାମୀ ଦିନରେ ମହିଳା ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାଜିବ ବୋଲି ରାଜ୍ୟ ପୁଲିସ ଅଣ୍ଟା ଭିଡ଼ିଛି। ରାଜ୍ୟର ବିଭିନ୍ନ ସହରାଞ୍ଚଳ, ରାଜ୍ୟ ରାଜପଥ, ଜାତୀୟ ରାଜପଥ, ବେଳାଭୂମି, ସମ୍ବେଦନଶୀଳ ସ୍ଥାନକୁ ନେଇ ଏକ ନକ୍ସା ପ୍ରସ୍ତୁତ କରାଯାଇଛି। ସେହିସବୁ ସ୍ଥାନରେ ସିସିଟିଭି ଖଞ୍ଜାଯିବ। ବିଶେଷକରି ପୁରୀ ଓ ରାଜଧାନୀ ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇଛି। ପୁରୀ, ପିପିଲି ଓ କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌କୁ ସମ୍ପୂର୍ଣ୍ଣ ଭାବେ ସିସିଟିଭି ନଜରରେ ରଖାଯାଇ ସେଠାରେ ଏକ କମାଣ୍ଡ କଣ୍ଟ୍ରୋଲ୍‌ ରୁମ୍‌ରୁ ନିୟନ୍ତ୍ରଣ କରାଯିବ। ରାଜଧାନୀକୁ ମଧ୍ୟ ପୂରା ସିସିଟିଭିରେ ଛାଉଣି କରାଯିବ। ଏଥିପାଇଁ ରାଜଧାନୀରେ ଆହୁରି ୨୦୦୦ ସିସିଟିଭି ଲଗାଯିବା ପାଇଁ ଯୋଜନା କରାଯାଇଛି। ପୁରୀ ଓ ରାଜଧାନୀକୁ ଏଆଇ ଦ୍ବାରା ସଂଯୋଗ କରିବାକୁ ଯୋଜନା କରାଯାଇଛି। ଫଳରେ ଏଆଇ ସ୍ବୟଂଚାଳିତ ଭାବେ ଅପରାଧୀଙ୍କୁ ଚିହ୍ନଟ କରି ପୁଲିସକୁ ତଥ୍ୟ ପ୍ରଦାନ କରିବ। ପରବର୍ତ୍ତୀ ସମୟରେ ସମସ୍ତ ଅଞ୍ଚଳକୁ ଏଆଇ ମାଧ୍ୟମରେ ଯୋଡ଼ାଯିବାର ଯୋଜନା ରହିଛି। ସିସିଟିଭି ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବ। କାରଣ ସିସିଟିଭି ଲାଗିବା ଦ୍ବାରା ଅନେକ କ୍ଷେତ୍ରରେ ପୁଲିସକୁ ସଫଳତା ମିଳିଛି। ଅପରାଧ କମିବା ସହ ଅପରାଧୀଙ୍କୁ ଧରିବାରେ ସହଜ ହେଉଥିବା ବରିଷ୍ଠ ଅଧିକାରୀମାନେ କହିଛନ୍ତି। ତେଣୁ ସିସିଟିଭି ଲଗାଇବା ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

କେବଳ ଅପରାଧୀଙ୍କୁ ଧରିବା ପରେ ପୁଲିସ ଚୁପ୍‌ ବସିବ ନାହିଁ। ଅପରାଧୀ ଯେମିତି ଦୋଷୀ ସାବ୍ୟସ୍ତ ହେବ, ସେଦିଗରେ ପୁଲିସ ଅଧିକ ଯତ୍ନଶୀଳ ହେବ। ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ପ୍ରମାଣ ଯୋଗାଡ଼ କରିବ। ତଦନ୍ତକାରୀ ଅଧିକାରୀ ଯେଭଳି କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନ ହେବେ, ସେମାନଙ୍କୁ ଯାତାୟାତ ପାଇଁ ଗାଡ଼ି ସହ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହାଛଡ଼ା ତଦନ୍ତରେ ସହଯୋଗ କରୁଥିବା ବିଶେଷଜ୍ଞ ଟିମ୍‌କୁ ସୁଦୃଢ଼ କରାଯିବା ପାଇଁ ଅଧିକ ମାନବସମ୍ବଳ ନିଯୁକ୍ତ କରାଯିବ। ଏଥିପାଇଁ ଅଧିକ ୩୦୦କୋଟି ଟଙ୍କାର ପାଣ୍ଠି ରହିବ। ଏହାଛଡ଼ା ଏସ୍‌ଏଫ୍‌ଏସ୍‌ଏଲ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ଏସ୍‌ଏଫ୍‌ଏସ୍‌ଏଲ୍‌କୁ ସଶକ୍ତ କରାଯିବ। ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର ଅତ୍ୟନ୍ତ ନୈରାଶ୍ୟଜନକ ଥିବା ବେଳେ ରାଜ୍ୟ ପୁଲିସର ଏଭଳି ପଦକ୍ଷେପ ପରେ ଏଥିରେ ସୁଧାର ଆସିବ ବୋଲି କୁହାଯାଉଛି।