କୋରାପୁଟରେ ପୁଲିସ-ବିଏସଏଫ-ସିଆରପିଏଫ ସମନ୍ବୟ ବୈଠକ, ମାଓ ଦମନ ଓ ଆଇନଶୃଙ୍ଖଳା ଉପରେ ଗୁରୁତ୍ବ

କୋରାପୁଟ : ମାଓବାଦୀଙ୍କ ସ୍ଥିତି ଦୋହଲିଗଲାଣି। କିଛି କିଛି ସ୍ଥାନରେ ସେମାନଙ୍କ ଗତବିଧି ରହିଛି। ଏହାକୁ ମଉକା ଭାବି ମାଓ ଦମନ ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ପୁଲିସ ନିଷ୍ପତ୍ତି ନେଇଛି। ଆଜି କୋରାପୁଟରେ ରାଜ୍ୟ ପୁଲିସ ସହ ବିଏସଏଫ,ସିଆରପିଏଫ ଓ କୋବ୍ରାର ବରିଷ୍ଠ ଅଧିକାରୀମାନେ ଏକାଠି ବସି ମାଓ ଦମନ ରଣନୀତି ପ୍ରସ୍ତୁତ କରିଛନ୍ତି। ଦକ୍ଷିଣ-ପଶ୍ଚିମାଞ୍ଚଳ ରେଂଜର ସମସ୍ତ ବରିଷ୍ଠ ପୁଲିସ ଅଧିକାରୀ ବୈଠକରେ ଯୋଗ ଦେଇଥିଲାବେଳେ ମାଓବାଦୀଙ୍କ ବନ୍ଦ ପାଳନକୁ ନେଇ ସଜାଗ ରହିବାକୁ କୁହାଯାଇଛି। କୋରାପୁଟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆଜି ପୁଲିସ, ବିଏସଏଫ, ସିଆରପିଏଫ ଓ କୋବ୍ରା ବାହିନୀର ମିଳିତ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା ଦକ୍ଷିଣ-ପଶ୍ଚିମାଞ୍ଚଳ ରେଂଜ ଡିଆଇଜି ସଫିନ ଅହମ୍ମଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଏସଏଫ ଓ ସିଆରପିଏଫର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ରେଂଜର ସମସ୍ତ ଏସପି ଉପସ୍ଥିତ ଥିଲେ। ବୈଠକରେ ମାଓ ଗତିବିଧି ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା।

ଏହି ଅଂଚଳର ମାଓ କାର୍ଯ୍ୟକଳାପ ଏବେ ହ୍ରାସ ପାଇଛି। ଆଗଭଳି ଆଉ ସେମାନଙ୍କ ଉତ୍ପାତ ନାହିଁ। ସ୍ଥିତି ନିୟନ୍ତ୍ରଣରେ ରହିଥିଲାବେଳେ ମାଓବାଦୀଙ୍କ ଶକ୍ତି ବି କମିଛି। ତେଣୁ ଏହାର ଫାଇଦା ନେଇ ମାଓ ଦମନ ରଣନୀତିକୁ ଜୋରଦାର କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ଗୁଇନ୍ଦା ବିଭାଗକୁ ସୁଦୃଢ କରାଯିବ। ମାଓବାଦୀଙ୍କ ଗତିବିଧି ଉପରେ କଡା ନଜର ରଖି ଠିକଣା ସମୟରେ ଅପରେସନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପୁଲିସ ସହିତ ବିଏସଏଫ ଓ ସିଆରପିଏଫଙ୍କ ଉତ୍ତମ ସମନ୍ବୟ ରହିବା ଉପରେ ଗୁରୁତ୍ବ ଦିଆଯାଇଛି।

IBC

ସମସ୍ତେ ମିଳିମିଶି ମାଓ ଦମନ ଅଭିଯାନକୁ ଆଗକୁ ନେବେ। ଏଥିପାଇଁ ଗୁଇନ୍ଦା ସୂଚନାର ଆଦାନପ୍ରଦାନ ଓ ସମ୍ବେଦନଶୀଳ ଅଂଚଳରେ ନଜର ରଖିବାକୁ ପ୍ରାଥମିକତା ଦିଆଯାଇଛି। କୋରାପୁଟ ରେଂଜର ସମସ୍ତ ଏସପି ଆଜିର ବୈଠକରେ ଯୋଗ ଦେଇଥିଲାବେଳେ ଏହି ଅଂଚଳର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

ଆଜିର ବୈଠକ ପରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଂଜ ଡିଆଇଜି ସଫିନ ଅହମ୍ମଦ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ ପୁଲିସ ସହିତ ବିଏସଏଫ ଓ ସିଆରପିଏଫଙ୍କ ଉତ୍ତମ ସମନ୍ବୟ କିପରି ରହିପାରିବ ସେ ଦିଗରେ ଆଲୋଚନା ହୋଇଛି। ଆଗକୁ ସମସ୍ତେ ସମନ୍ବୟ ରଖି ମାଓ ଦମନ ଅଭିଯାନକୁ ତ୍ବରାନ୍ବିତ କରିବେ। ଏଥିପାଇଁ ଗୁଇନ୍ଦା ସୂଚନାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ସେହିପରି ଆଗକୁ ମାଓବାଦୀମାନେ ବନ୍ଦ ଡାକରା ଦେଇଥିବାରୁ ଏଥିପ୍ରତି ସଜାଗ ରହିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ମାଓବାଦୀମାନେ ଯେମିତି ସାଧାରଣ ଧନ ଜୀବନ ଉପରେ କୌଣସି ପ୍ରକାର କ୍ଷତି ନ ପହଞ୍ଚାଇବେ, ପୁଲିସ ତାକୁ ଗୁରୁତ୍ବ ଦେଉଛି। ଏହା ସହିତ ଆଇନଶୃଙ୍ଖଳା ନେଇ ଆଜି ବୈଠକରେ ଆଲୋଚନା ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର