୨୭ ଏକର ଗଂଜେଇ ଚାଷ ନଷ୍ଟ

ପଦ୍ମପୁର : ରାୟଗଡା ଜିଲ୍ଲାରେ ଗଂଜେଇ ଚାଷ ରୋକିବାକୁ ପୁଲିସ ପ୍ରଶାସନ ସ୍ତରରେ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଗୁଡାରି ଓ ପଦ୍ମପୁର ବନାଞ୍ଚଳରେ ହୋଇଥିବା ବେଆଇନ ଗଂଜେଇ ଚାଷକୁ ପୁଲିସ ପୋଡି ନଷ୍ଟ କରିଛି। ପଦ୍ମପୁର ଥାନା ଅନ୍ତର୍ଗତ ଶରଧାପୁର ଜଙ୍ଗଲର ନୂଆପଡ, ନାନ୍ଦ୍ରା, ପ୍ରାଣ୍ଟାଗୁଡା ଅଞ୍ଚଳରେ ପ୍ରାୟ ୨୭ ଏକର ଜମିରେ ଗଂଜେଇ ଚାଷ ହୋଇଥିବା ବେଳେ ଚଢାଉ କରାଯାଇ ୫୯ହଜାର ୪୦୦ ଗଛ ପୋଡି ନଷ୍ଟ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୫କୋଟି ୯୪ଲକ୍ଷ ହେବ ବୋଲି ଅବକାରୀ ବିଭାଗ ଓ ପୁଲିସ ସୂଚନା ଦେଇଛି। ଏହି ଚଢାଉରେ ପଦ୍ମପୁର ଥାନା ଅଧିକାରୀ ଜୟଶ୍ରୀ ପ୍ରଧାନ, ଗୁଣପୁର ରେଂଜର ଅଶୋକ କୁମାର ପ୍ରଧାନ, ମାଜିଷ୍ଟ୍ରେଟ ଭାବେ ତହସିଲଦାର ନୀଳମାଧବ ମାଝୀ, ଗୁଣପୁର ଅବକାରୀ ଏସ୍ଆଇ ଲଳିତ ମୋହନ ମିଶ୍ର, ପ୍ରଭାତ କୁମାର ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ।

ସେହିପରି ଗୁଡାରି ଥାନା କଦମା ଗ୍ରାମ ପଞ୍ଚାୟତର ମଜାଗୁଡା, ଲଦିଗୁଡା ଓ ଟଙ୍ଗରମା ଅଞ୍ଚଳରେ ଅନୁରୂପ ଚଢାଉ କରାଯାଇଛି। ଏଠାରେ ପ୍ରାୟ ୧୫ ଏକର ଜମିରେ ହୋଇଥିବା ୩୩ ହଜାର ଗଛକୁ ପୋଡି ଦେଇଛନ୍ତି। ଏହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଚଢାଉରେ ଗୁଣପୁର ଏସଡିପିଓ ଅଶ୍ବିନୀ କୁମାର ନାୟକ, କେନ୍ଦୁଗୁଡା ଆଇଆଇସି ଗିରିଶ ଚନ୍ଦ୍ର ମହାରାଜା, ରାୟଗଡା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରା, ଗୁଡାରି ଅବକାରୀ ଏସ୍ଆଇ ସରୋଜ କୁମାର ପରିଡା, ଏପିଆର ଫୋର୍ସ ଓ ମୋବାଇଲ ଟିମ୍ ସାମିଲ ହୋଇଥିଲେ। ମାଜିଷ୍ଟ୍ରେଟ ରୂପେ ଗୁଡାରି ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାୟକ ଉପସ୍ଥିତ ଥିଲେ। ରାୟଗଡା, ଗଜପତି ଜିଲ୍ଲା ସୀମାନ୍ତର ଦୁର୍ଗମ ଅଞ୍ଚଳରେ ଗଂଜେଇ ଚାଷ ହେଉଥିବାରୁ ଗଂଜେଇର ଗଡ ରୂପେ ପରିଚିତ।

ସମ୍ବନ୍ଧିତ ଖବର