ବାଲେଶ୍ବରରେ ନକଲି ମୋବିଲ୍‌ କାରଖାନା ଠାବ : ୨ ଭାଇ ଗିରଫ, ୧୨ ଶହ ଲିଟର ମୋବିଲ୍‌ ଜବତ

୨୦ ବର୍ଷ ଧରି ଝୁମ୍ପୁଡ଼ି ଘରେ ଚାଲିଥିଲା କାରବାର

ବାଲେଶ୍ବର : ସହରର ସହଦେବଖୁଣ୍ଟା ମଡେଲ ଥାନା ଅଧୀନ ଅରଡ଼ବଜାରରେ ପୁଣି ଏକ କଳା କାରବାରର ପର୍ଦାଫାସ ହୋଇଛି। ମସଜିଦ୍‌ ଗଳି ଅଞ୍ଚଳରେ ଏକ ନକଲି ମୋବିଲ୍‌ କାରଖାନାକୁ ଆଜି ଠାବ କରାଯିବା ସହ ଏଥିରେ ସମ୍ପୃକ୍ତ ୨ ଭାଇଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇଭାଇ ହେଲେ ଅରଡ଼ବଜାର ଗଳାପୋଲ ଅଞ୍ଚଳର ସେକ୍‌ ଇଦ୍ରିସ ଖାଁଙ୍କ ପୁଅ ସାହିଲ ଓରଫ୍‌ ୟୁସୁଫ ଖାଁ(୩୦) ଓ ଇର୍ସ‌ାଦ ଖାଁ(୧୮)। ଅରଡ଼ବଜାର‌‌େର ସେକ୍ ଅବଦୁଲ ମଜିଦ୍‌ ନାମକ ବ୍ୟକ୍ତିଙ୍କର ଏକ ଝୁମ୍ପୁଡ଼ି ଘରେ ଏହି କାରବାର ଚାଲିଥିଲା। ସେମାନଙ୍କୁ ଧରିବା ବେଳେ ପ୍ରାୟ ୧୨୦୦ ଲିଟର ନକଲି ମୋବିଲ୍‌ ସହ ଏକାଧିକ ବ୍ରା‌ଣ୍ଡେଡ୍‌ ମୋବିଲ କମ୍ପାନିର ହଜାର ହଜାର ବୋତଲ ଜବତ କରାଯାଇଛି।

ସୂଚନାଯୋଗ୍ୟ, ବାଲେଶ୍ବର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏକ ବ୍ରାଣ୍ଡେଡ୍‌ କମ୍ପାନିର ମୋବିଲ୍‌ ଚ‌ାହିଦା ରହିଥିବାବେଳେ କମ୍ପାନିକୁ ସେହି ଅନୁସାରେ ବିକ୍ରିର ଅର୍ଥ ଯାଉ ନ ଥିଲା। ଏହାର କାରଣ ଖୋଜିବାକୁ କମ୍ପାନି ପକ୍ଷରୁ ଏକ ତଦନ୍ତକାରୀ ଟିମ୍‌ ଓଡ଼ିଶାକୁ ଆସିଥିଲେ। ତେବେ ବିଭିନ୍ନ ଜିଲ୍ଲାରେ ଏହି ଟିମ୍‌ ପାଇଥିବା ସୁରାକ ଅନୁସାରେ ମାର୍କେଟ୍‌ରେ ସମ୍ପୃକ୍ତ କମ୍ପାନି ନାଁରେ ବିକ୍ରି ହେଉଥିବା ମୋବିଲ୍‌ ବାଲେଶ୍ବର ସହରରୁ ଆସୁଛି। ତେବେ ସମ୍ପୃକ୍ତ ଟିମ୍ ବାଲେଶ୍ବର ସହର ଆସି କମ୍ପାନିର ନକଲି ମୋବିଲ ତିଆରି ହେଉଥିବା ସ୍ଥାନ ଖୋଜି ବୁଲିଥିଲେ। ତିନିମାସ ଧରି ଏହି ଟିମ୍‌ ସହରର ବିଭିନ୍ନ ସ୍ଥାନରେ ଖୋଜିବା ପରେ ଶେଷରେ ଅରଡ଼ବଜାରର ମସଜିଦ୍‌ ଗଳି ନିକଟରେ ଉକ୍ତ ଝୁମ୍ପୁଡ଼ିଘରକୁ ଠାବ କରିଥିଲେ। ଏହାପରେ ସେମାନେ ସହଦେବଖୁଣ୍ଟା ପୁଲିସକୁ ଖବର ଦେଇଥିଲେ। ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ସଦଳବଳେ ସେଠାରେ ଚଢ଼ଉ କରିବା ସହ ଦୁଇଭାଇ ୟୁସୁଫ୍‌ ଓ ଇର୍ସ‌ାଦ୍‌ଙ୍କୁ ଗିରଫ କରିଥିଲେ। ପରେ ସେଠାରେ ନକଲି ମୋବିଲ୍‌ ପ୍ରସ୍ତୁତ ପାଇଁ ରହିଥିବା ରଂଗ, ବିଭିନ୍ନ କମ୍ପାନିର ବୋତଲ, ଷ୍ଟିକର ଓ ୧୨ଶହ ଲିଟରର ଭର୍ତ୍ତି ହୋଇ ରହିଥିବା ମୋବିଲ୍‌ ଜବତ କରି ଉକ୍ତଘରକୁ ସିଲ୍‌ କରାଯାଇଥିଲା। ଦୀର୍ଘ ୨୦ ବର୍ଷ ହେଲା ସେଠାରେ ଏହି କଳା କାରବାରର କିଙ୍ଗ୍‌ପିନ୍‌ ଗିରଫ ଦୁଇଭାଇଙ୍କ ବାପା ଇଦ୍ରିସ୍‌ ଖାଁ ବୋଲି ପୁଲିସ ଜାଣିବାକୁ ପାଇଛି। ଏବେ ସେ ଫେରାର ରହିଥିବା ବେଳେ ଏହି ରାକେଟ୍‌ରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ଏନେଇ ୧୯୮/୧୯ରେ ମାମଲା ରୁଜୁ ହୋଇଥିବା ଆଇଆଇସି ଶ୍ରୀ ନାୟକ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ନକଲି ମୋବିଲ୍‌ ତିଆରି ଓ କାରବାର ପାଇଁ ଏମାନେ ବଜାରରୁ ପୋଡ଼ା ମୋବିଲ୍‌ ସଂଗ୍ରହ କରୁଥିଲେ। ସେ ସବୁକୁ ଏହି ସ୍ଥାନକୁ ଆଣି ସେଥିରେ ବିଭିନ୍ନ ପ୍ରକାର ରଙ୍ଗ ଓ କେମିକାଲ ମିଶାଇ ମୋବିଲ୍‌ର ବିଭିନ୍ନ ବ୍ରାଣ୍ଡେଡ୍‌ କମ୍ପାନି ନାଁରେ ଷ୍ଟିକର ମାରି ବିକ୍ରି କରୁଥି‌େଲ। ତେବେ ଏମିତି ଏକ କଳା କାରବାର ଦୀର୍ଘ ୨୦ ବର୍ଷ ଧରି ଚାଲିଥିବା ବେଳେ ସମ୍ପୃକ୍ତ କମ୍ପାନିର କର୍ମଚାରୀମାନେ ଯଦି ଠାବ କରିପାରିଲେ ସ୍ଥାନୀୟ ପୁଲିସ୍‌ କିମ୍ବା ସରକାରୀ ଗୁଇନ୍ଦା ସଂସ୍ଥା କିପରି ଜାଣିବାରେ ଫେଲ୍‌ ମାରିଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର