ଫୁଲବାଣୀ(ରଞ୍ଜନ ପ୍ରଧାନ): ବିଗତ କିଛି ବର୍ଷ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ମାଫିଆମାନେ ସେମାନଙ୍କ ଗତିବିଧିକୁ ଅଧିକ ସକ୍ରିୟ କରିଛନ୍ତି। ଯାହାକି ଜିଲ୍ଲାରେ ବିଭିନ୍ନ ପ୍ରକାର ହିଂସାକୁ ପ୍ରୋତ୍ସାହିତ କରୁଥିବା ବେଳ‌େ ନିରୀହ ଆଦିବାସୀଙ୍କୁ ଏଥିପାଇଁ ମୋହରା ବନାଯାଉଛି। ଶାନ୍ତିପ୍ରିୟ ଏହି ଜିଲ୍ଲାରେ ବର୍ତ୍ତମାନ ଲୋକଙ୍କ ହାତରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସମେତ ବାରୁଦ, ବୋମା ଓ ବନ୍ଧୁକ ଠୁଳ ହୋଇସାରିଛି। କଥା କଥାକେ ଗୁଳି ଫୁଟୁଛି। ଗତକାଲି ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରୁ ଏହା ପ୍ରମାଣିତ ହୋଇଛି। ଆଉ ଏହି ସମ୍ବେଦନଶୀଳ ଘଟଣା ପଛରେ ଗଞ୍ଜେଇ ମାଫିଆଙ୍କ ହିଁ ପ୍ରତ୍ୟକ୍ଷ ହାତ ରହିଛି ବୋଲି ଖୋଦ୍ ଜିଲ୍ଲାର ଏସ୍‌.ପି. ଓ ଦକ୍ଷିଣାଞ୍ଚଳ ଡିଆଇଜି ସ୍ପଷ୍ଟ କରିଛନ୍ତି। ଫଳରେ ଆଗାମୀ ଦିନରେ ଜିଲ୍ଲାରୁ ଗଞ୍ଜେଇ ଚାଷ ଓ କାରବାର ମୂ‌ଳୋତ୍ପାଟନ ପୁଲିସ ପାଇଁ ବଡ଼ଧରଣର ଚ୍ୟାଲେଞ୍ଜ୍ ସୃଷ୍ଟି କରିପାରେ ବୋଲି ଏଥିରୁ ଆଭାସ ମିଳୁଛି।

Advertisment

ଗତ ଦୁଇ ଦଶନ୍ଧି ତଳେ କନ୍ଧମାଳରେ ଏଭଳି ସ୍ଥିତି ନଥିଲା। କିନ୍ତୁ ବର୍ତ୍ତମାନ ମାଫିଆମାନେ ଗଞ୍ଜେଇ ଚାଷ ଏବଂ ଏହାର କାରବାର ନେଟୱର୍କକୁ ବିଭିନ୍ନ ମାଧ୍ୟମରେ ସକ୍ରିୟ କରିଛନ୍ତି। ବିଶେଷକରି ଫିରିଙ୍ଗିଆ ଏବଂ ବାଲିଗୁଡ଼ା ବ୍ଲକ୍‌ର ସଂରକ୍ଷିତ ଜଙ୍ଗଲଜମି‌ରେ ଅତ୍ୟାଧୁନିକ ପ୍ରଣାଳୀରେ ଗଞ୍ଜେଇ ଚାଷ ହେଉଛି। କିନ୍ତୁ ଏହାର ମୂଳୋତ୍ପାଟନ ଲାଗି ପୁଲିସ ବିଭାଗ, ରାଜ୍ୟ ସରକାର ଓ ପ୍ରଶାସନ ସମସ୍ତ ରଣକୌଶଳ ପ୍ରସ୍ତୁତ କରୁଥିଲେ ହେଁ, ପରବର୍ତ୍ତୀ ସମୟରେ ସେମାନଙ୍କ ଆଭିମୁଖ୍ୟ ନରମ ପଡ଼ୁଥିବାର ଅନେକ ନଜିର୍ ରହିଛି।

ତତ୍କାଳୀନ ପୁଲିସ ଡିଜି ଅଭୟ କନ୍ଧମାଳ ଜିଲ୍ଲା ଗସ୍ତରେ ଥରେ ଆସିଥିବା ବେଳେ ପୁଲିସ ବିଭାଗୀୟ ଅଧିକାରୀଙ୍କ ସହ ରୁଦ୍ଧଦ୍ବାର ବୈଠକ କରି ଗଞ୍ଜେଇର ମୂଳୋତ୍ପାଟନ ପାଇଁ ବ୍ଳୁପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ। ଫଳ‌ରେ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଭାସ ମିଳିଥିଲା। ତେବେ ମାତ୍ର କିଛିଦିନ ପରେ ପୁଲିସର ଉତ୍ସାହ ପାଣିଫୋଟକା ଭଳି ଉଭେଇଗଲା। ବର୍ତ୍ତମାନ ଗଞ୍ଜେଇ ଧରପଗଡ଼ ପାଇଁ ପୁଲିସ ସାମାନ୍ୟ ତତ୍ପରତା ଦେଖାଇଲେ, ମାଫିଆମାନେ କିଛି ନା କିଛି ହିଂସା ଘଟାଉଛନ୍ତି। ପୁଲିସ ଟିମ୍ ଉପରକୁ ଆକ୍ରମଣ ସହ ଗାଡ଼ି ଜାଳିଦେଉଛନ୍ତି। ଗତମାସ ୨୨ ତାରିଖରେ ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ପଞ୍ଚାୟତର ଏକ କମ୍ୟୁନିଟି ସେଣ୍ଟରରେ ବ୍ୟାପକ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ଜାଣି ପୁଲିସ ଚଢ଼ଉ କରିବା ବେଳେ ମାଫିଆମାନେ ପୁଲିସ ଗାଡ଼ି ଭଙ୍ଗାରୁଜା ସହ ବୋମା ଓ ପଥରମାଡ଼ କରିଥିଲେ। ଗତବର୍ଷ ଫିରିଙ୍ଗିଆ ପୁଲିସ ମାଫିଆଙ୍କ ଠାରୁ ବିପୁଳ ପରିମାଣର ଗଞ୍ଜେଇ ସମେତ ୨ଟି ପିସ୍ତଲ ଓ ଅସ୍ତ୍ରଶସ୍ତ୍ର ଜବତ କରିଥିଲା। ୨୦୧୯ରେ ଫୁଲବାଣୀ ସହରରେ ଗଞ୍ଜେଇ ମାଫିଆମାନେ ଜଣେ ପୁଲିସ ଏସ୍‌ଆଇଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

ଆଉ ଏଭଳି ପରିସ୍ଥିତିରେଶନିବାର ମାଫିଆମାନେ କିଛି ଜନସାଧାରଣଙ୍କୁ ମୋହରା କରି ଫିରିଙ୍ଗିଆ ଥାନା ଜାଳି ଦେଇଛନ୍ତି। ପୁଲିସ ବିଭାଗ ଖୋଦ୍ ଏହାକୁ ସ୍ବୀକାର କରିଛି। ମାଫିଆଙ୍କ ହାତରେ ଦେଶୀବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ରହୁଥିବାରୁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଫିରିଙ୍ଗିଆ, ଗୋଛାପଡ଼ା, ବାଲନ୍ଦାପଡ଼ା, ପକାରି, ଲୁଇସିଂ, ପାଇରାଜୁ ଏବଂ ବାଲିଗୁଡ଼ା ଅଞ୍ଚଳରେ ଥିବା ସଂରକ୍ଷିତ ଜଙ୍ଗଲମାନଙ୍କରେ ସୁରକ୍ଷିତ ଭାବେ ଗଞ୍ଜେଇ ଚାଷ ହେଉଥିବା କଥା ଜାଣି ମଧ୍ୟ ପୁଲିସ ଓ ବନ ବିଭାଗ କିଛି କରିପାରୁନାହାନ୍ତି। ସୀମାନ୍ତ ଜିଲ୍ଲା ବୌଦ୍ଧରୁ ମାଫିଆମାନେ ଆସି ଏଠାରେ ଆସ୍ଥାନ ଜମାଇ ୩ଟି ପ୍ରମୁଖ ରୁଟ୍‌ରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଛନ୍ତି। ତେବେ ଫିରିଙ୍ଗିଆ ବ୍ଲକ୍ ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଜିଲ୍ଲାରେ ବ୍ୟବହୃତ ହେଉଥିବା ରାସାୟନିକ ସାରର ୮୦ ପ୍ରତିଶତ ଫିରିଙ୍ଗିଆ ଏବଂ ବାଲିଗୁଡ଼ା ବ୍ଲକରେ ଗଞ୍ଜେଇ ଚାଷ ପାଇଁ ବ୍ୟବହାର ହେଉଛି। କେବଳ ଏତିକି ନୁହେଁ, ମାଓବାଦୀମାନେ ଗଞ୍ଜେଇ ଚାଷକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛନ୍ତି। ଆଉ ବନ ବିଭାଗ ଏବଂ ପୁଲିସ ବିଭାଗର କିଛି କର୍ମଚାରୀଙ୍କ ସମେତ କିଛି ବଡ଼ ମୁଣ୍ଡଙ୍କ ସମର୍ଥନ ରହୁଛି।

ବର୍ତ୍ତମାନ ଚଳିତବର୍ଷ ବ୍ୟାପକ ମାତ୍ରାରେ ଧରପଗଡ଼ ହେବାରୁ ଗ‌ଞ୍ଜେଇ ମାଫିଆଙ୍କ ମୁଣ୍ଡବିନ୍ଧା ବଢ଼ିଯାଇଛି। ଚଳିତବର୍ଷ ଆଜିସୁଦ୍ଧା ୩୦ ଟନ୍ ଗଞ୍ଜେଇ ଜବତ ହୋଇସାରିଛି। ତନ୍ମଧ୍ୟରୁ ଫିରିଙ୍ଗିଆ ପୁଲିସ ୧୦ ଟନ୍‌ ଗଞ୍ଜେଇ ଜବତ କରିଥିବାରୁ ମାଫିଆମାନେ ରକ୍ତମୁଖା ହୋଇଉଠିଛନ୍ତି। ସେମାନଙ୍କ କ୍ରୋଧର ପରିଣାମ ସ୍ବରୂପ ଫିରିଙ୍ଗିଆ ଥାନାକୁ ଜାଳି ଦିଆଗଲା। ତେବେ ପୁଲିସ କ’ଣ ଏଥିରୁ କିଛି ଶିକ୍ଷାଲାଭ କରିବ କି? ଅଭିଯାନକୁ ଜାରି ରଖିବ କି? ଏନେଇ ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି ହୋଇଛି।