ଭୁବନେଶ୍ବର: ଜଙ୍ଗଲରେ ନିଆଁ ଲାଗିଲା ଭଳି ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି। ଗଣଦୁଷ୍କର୍ମ ଓ ନାରୀ ହତ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି। ଏସବୁ ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ। ପୁଲିସ ବାହିନୀର ମହିଳାଙ୍କୁ ମଧ୍ୟ ପୁଲିସ ନ୍ୟାୟ ଦେଉପାରୁନି। ମାତ୍ର କଂଗ୍ରେସ ମହିଳାଙ୍କ ପାଇଁ ଲଢ଼େଇ ଜାରି ରଖିଛି ବୋଲି କହିଛନ୍ତି ପିସିସିର ତଥ୍ୟ ଅନୁଧ୍ୟାନ କମିଟିର ଅଧ୍ୟକ୍ଷ ଜୟଶ୍ରୀ ପଟ୍ଟନାୟକ।
ବାଲିହରଚଣ୍ଡୀ ଗଣଦୁଷ୍କର୍ମ ସହ ଭୁବନେଶ୍ୱରରୁ ମହିଳା ଟ୍ରାଫିକ୍‌ କନେଷ୍ଟବଳ ଶୁଭମିତ୍ରା ନିଖୋଜ ଘଟଣାକୁ ନେଇ କଂଗ୍ରେସର ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ ହୋଇଥିଲା। ଏହି ଅନୁଧ୍ୟାନ କମିଟି ପକ୍ଷରୁ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଲେ, ରାଜ୍ୟରେ ଯେପରି ନାରୀ ନିର୍ଯାତନା ଘଟୁଛି ତାହା ବର୍ଣ୍ଣନା କରିବାକୁ ମୁହଁରେ ଭାଷା ନାହିଁ। ମୃତ କନେଷ୍ଟବଳ ଶୁଭମିତ୍ରାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଓ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ପାଇଁ ମହିଳା କଂଗ୍ରେସ ସରକାରଙ୍କଠାରେ ଦାବି ରଖୁଛି।

Advertisment

ନିରୁପମା ପାତ୍ର କହିଥିଲେ, ଏଫ୍‌ଏମ୍‌ କଲେଜ ଛାତ୍ରୀ, ବଳଙ୍ଗା ପୀଡ଼ିତା ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇଲେ ନାହିଁ। ଅପୁତ୍ରିକର ପୁତ୍ର ଲାଭ ହେଲେ ଯେଭଳି ପୁତ୍ର ସ୍ନେହରେ ପାଗଳ ହୁଅନ୍ତି, ଶାସନରେ ଥିବା ଦଳ କ୍ଷମତାକୁ ଆସିବା ପରେ ସେଭଳି ବ୍ୟବହାର କରୁଛି। ପର୍ଯ୍ୟଟନସ୍ଥଳୀରେ ଗଣଦୁଷ୍କର୍ମ ଘଟୁଛି ଓ ଖୋଦ୍‌ ପୁଲିସ ବିଭାଗର ମହିଳା ଟ୍ରାଫିକ କନେଷ୍ଟବଳ ୧୧ ଦିନ ଧରି ନିଖୋଜ ରହୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ମାଟି ତଳେ ତାଙ୍କ ଶବ ମିଳୁଛି। ପୁଲିସରେ ନିଜ ମହିଳା କର୍ମଚାରୀ ସୁରକ୍ଷିତ ନୁହନ୍ତି, ସେମାନେ କ’ଣ ସାଧାରଣ ମହିଳାଙ୍କୁ ସୁରକ୍ଷା ଦେବେ? ଅଞ୍ଜନା ମିଶ୍ର ଘଟଣାରେ ବିଜେପି-ବିଜେଡି କୋଳାକୋଳି ହୋଇ ସାରା ରାଜ୍ୟ କମ୍ପାଇ ଦେଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ବିଜେପି ସରକାରଙ୍କ ନୈତିକତା ଗଲା କୁଆଡ଼େ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଣତି ମିଶ୍ର କହିଥିଲେ, ବିଜେପି ସରକାର ଲୋକଙ୍କ ଆସ୍ଥା ଓ ବିଶ୍ୱାସ ସମ୍ପୂର୍ଣ ହରାଇ ସାରିଲାଣି। ତେଣୁ ସରକାର ତୁରନ୍ତ ଇସ୍ତଫା ଦେବା ଉଚିତ। ଅନ୍ୟମାନଙ୍କ ମଧ୍ୟରେ ସୁନୀତା ବିଶ୍ୱାଳ, କୁସୁମ ପ୍ରଧାନ, ଅମିତା ବିଶ୍ୱାଳ, ନିରୁପମା ପାତ୍ର, ଗୀତାଞ୍ଜଳି ମହାନ୍ତି, ସିଲି ସେଠୀ ଓ ଶ୍ରୀୟାସ୍ମିତା ପଣ୍ଡା ଉପସ୍ଥିତ ଥିଲେ।