ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ୍ ପରେ ପୁରୀ ଜିଲ୍ଲା ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଶ୍ରୀମନ୍ଦିର ଡ୍ୟୁଟିରେ ରହୁଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ମାର୍ଟଫୋନ୍ ନେବାରେ କଟକଣା ଜାରି କରିଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଲ ସିଂହ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେବଳ ଜରୁରୀକାଳୀନ ଦାୟିତ୍ବରେ ଥିବା କିଛି ପଦସ୍ଥ ପୁଲିସ ଅଧିକାରୀଙ୍କୁ ସ୍ମାର୍ଟଫୋନ୍ ନେବାକୁ ଅନୁମତି ମିଳିପାରିବ ବୋଲି ଡ. ସିଂହ କହିଛନ୍ତି। ଜିଲ୍ଲା ପୁଲିସ ପକ୍ଷରୁ ପ୍ରଥମଥର ପାଇଁ ଶ୍ରୀମନ୍ଦିର ଦାୟିତ୍ବରେ ଥିବା ପୁଲିସଙ୍କ କ୍ଷେତ୍ରରେ ଏଭଳି କଡ଼ା ଆଭିମୁଖ୍ୟକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି।
ଶ୍ରୀମନ୍ଦିର ଆଇନକୁ ଭାଙ୍ଗି ବିଭିନ୍ନ ସମୟରେ ଭକ୍ତ, ସେବାୟତ, ପୁଲିସ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା। କେତେବେଳେ ବାଇଶିପାହାଚରେ ପିଣ୍ଡଦାନର ଫଟୋ ତ କେତେବେଳେ ଆନନ୍ଦବଜାର, ମହାଲକ୍ଷ୍ମୀ ମନ୍ଦିର, ଭିତର ବେଢ଼ା ଫଟୋ ଭାଇରାଲ୍ ହେଉଛି। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରକୁ ମୋବାଇଲ୍ ନେବାରେ କଟକଣା ଜାରି କରିଛି। ସେବାୟତଙ୍କୁ କେବଳ ବିନା କ୍ୟାମେରା ମୋବାଇଲ୍ ନେବାକୁ ଅନୁମତି ଦିଆଯାଇଛି। ସ୍ମାର୍ଟଫୋନ୍ ନେବାରେ କଟକଣା ଲାଗିଛି। କିନ୍ତୁ, ଏହି ନିୟମକୁ କେହି ମାନୁନାହାନ୍ତି। ଏହାଭିତରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ର ଅନେକ ଅଭିଯୋଗ ବି ଥାନାରେ ପହଞ୍ଚିଛି।
ଏ ସମ୍ପର୍କରେ ଏସ୍ପି ଡ. ସିଂହ କହିଛନ୍ତି, ବହୁଦିନରୁ ମୋବାଇଲ୍ କଟକଣାକୁ କଡ଼ାକଡ଼ି କରିବାକୁ ଦାବି ହୋଇ ଆସୁଥିଲା। ଏହି ଦାବି ପୂରଣ କରିବାକୁ ଯାଇ ପ୍ରଥମ ପଦକ୍ଷେପସ୍ବରୂପ ପୁଲିସଙ୍କ କ୍ଷେତ୍ରରେ ମୋବାଇଲ୍ କଟକଣା ଲଗାଯାଇଛି। ଯଦି କେହି ନିର୍ଦ୍ଦେଶନାମା ଉଲ୍ଲଂଘନ କରିବାର ଜଣାପଡ଼େ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ. ସିଂହ କହିଛନ୍ତି। ଅନ୍ୟପଟେ ପୁଲିସ ପକ୍ଷରୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାଷାରେ ମୋବାଇଲ୍ କଟକଣା ଉପରେ ସୂଚନା ଫଳକ ଲଗାଯାଇଛି। ଏହାର ଦଣ୍ଡବିଧାନ ସଂପର୍କରେ ବି ଏଥିରେ ସୂଚନା ପ୍ରଦାନ କରାଯାଇଛି ବୋଲି ଡ. ସିଂହ କହିଛନ୍ତି।