ମାହାଙ୍ଗା ଆବାସ କେଳେଙ୍କାରୀ : ବିଜେଡି ନେତାଙ୍କ ବିରୋଧରେ ମାମଲା

କଟକ : ‌ମାହାଙ୍ଗ‌ା ଆବାସ ଯୋଜନା କେଳେଙ୍କାରୀ ଘଟଣାରେ ଶେଷରେ ବିଜେଡି ନେତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ମାମଲା ରୁଜୁ ପାଇଁ ପାଖାପାଖି ୧୬ ଦିନ ଲାଗି ଯାଇଥିଲେ ବି ପୁଲିସ ଶେଷରେ ବିଧିବଦ୍ଧ ଭାବେ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଛି। ମାହାଙ୍ଗା ଥାନାରେ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା କଟକ ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ଭିକାରି ଚରଣ ସ୍ବାଇଁଙ୍କ ବିରୋଧରେ ଦଫା ୪୨୦, ୪୬୭, ୪୬୮, ୧୬୭, ୧୨୦ବିରେ ମାମଲା ରୁଜୁ କରାଯାଇଥିବା ମାହାଙ୍ଗା ଥାନା ଅଧିକାରୀ ରଂଜନ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

୧୩ ଦିନ ପରେ ବି ଶହେ ମିଟର ଦୂରରେ ଥିବା ଗୋଟିଏ ଅଫିସରୁ ଅନ୍ୟ ଅଫିସକୁ ଚିଠି ପହଞ୍ଚି ନ ପାରିବା ଘଟଣାକୁ ନେଇ ଗତ ୬ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଶାସକ ଦଳର ନେତାଙ୍କୁ ସୁରକ୍ଷା ଦେବା ପାଇଁ ଚିଠି ଗାଏବ ହୋଇଯିବା ଭଳି ଅଭିଯୋଗ ମଧ୍ୟ ହୋଇଥିଲା। ଖବର ପ୍ରକାଶନ ପରେ କଟକ ଜିଲ୍ଲା ଏସ୍‌ପି ଡିଆରଡିଏରୁ ଚିଠି ମଗାଇବା ସହିତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମାହାଙ୍ଗା ଥାନାକୁ ପଠାଇଥିଲେ। ମାହାଙ୍ଗା ଥାନା ନିର୍ଦ୍ଦେଶ ପାଇବା ପରେ ଶ୍ରୀ ସ୍ବାଇଁଙ୍କ ବିରୋଧରେ ମାମଲା ରୁଜୁ କରିଛି। କିନ୍ତୁ ମାମଲା ରୁଜୁ ପରେ ଏ ଦିଗରେ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସୂଚନାଯୋଗ୍ୟ ଯେ ମାହାଙ୍ଗା ବ୍ଲକ୍‌ ନୃତ୍ତାଙ୍ଗ ପଞ୍ଚାୟତରେ ହୋଇଥିବା ଆବାସ ଦୁର୍ନୀତିରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ତଥା ବିଜେଡି କଟକ ଜିଲ୍ଲା ସାଧାରଣ ସଂପାଦକ ଭିକାରି ଚରଣ ସ୍ବାଇଁଙ୍କ ଭାଇ ତ୍ରିଲୋଚନ ସ୍ବାଇଁଙ୍କ ସଂପୃକ୍ତିକୁ ନେଇ ଅଭିଯୋଗ ଆସିଥିଲା। କିନ୍ତୁ ସରକାରୀ ଅଧିକାରୀଙ୍କ ବୟାନ ରେକର୍ଡ ପରେ ଭିକାରି ସ୍ବାଇଁ ସେମାନଙ୍କ ଉପରେ ଚାପ ପକାଇଥିବା ଅଭିଯୋଗ ସାମନାକୁ ଆସିଥି‌ଲା। ଫଳରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଭିକାରି ସ୍ବାଇଁଙ୍କ ନାମରେ ଅପରାଧୀକ ମାମଲା ରୁଜୁ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ଏସପିଙ୍କୁ ଚିଠି ଲେଖି‌ଥିଲେ। କିନ୍ତୁ ପ୍ରକଳ୍ପ ଅଧିକାରୀ ଡିସେମ୍ବର ୨୫ ତାରିଖରେ ଏହି ଚିଠି ଲେଖିଥିବା ବେଳେ ପଦକ୍ଷେପ ନେବାକୁ ପାଖାପାଖି ୧୬ ଦିନ ଲାଗି ଯିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧିତ ଖବର