ପୁଣି ବିବାଦରେ ପପୁ ପମ୍‌ପମ୍‌: ‘ମିଷ୍ଟର କହ୍ନେୟାଁ’ ପୋଷ୍ଟରକୁ ନେଇ ଆପତ୍ତି, ଥାନାରେ ମାମଲା ରୁଜୁ

ଭୁବନେଶ୍ବର :  ହାସ୍ୟ ଅଭି‌ନେତା ପପୁ ପମ୍‌ମପ୍‌ଙ୍କୁ ବିବାଦ ପିଛା ଛାଡ଼ୁନି। କେତେବେଳ କାଷ୍ଟିଂ କାଉଚ୍‌କୁ ନେଇ ତ କେତେବେଳେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦ ଘେରରେ ରହିଛନ୍ତି। ହେଲେ ଏବେ ଆଉ ଏକ ନୂଆ ବିବାଦ ତାଙ୍କ ନାମରେ ଯୋଡ଼ି ହୋଇଛି। ଗଣେଶ ପୂଜା ଦିନ ମୁକ୍ତିଲାଭ କରିବାକୁ ଥିବା ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ସେ ବିବାଦରେ ଫସିଛନ୍ତି। ଫିଲ୍ମ ପୋଷ୍ଟରରେ ୭ଜଣ ଝିଅ ଆଣ୍ଠେଇ ଥିବା ବେଳେ ପପୁ ସେମାନଙ୍କ ପଛରେ ଠିଆ ହୋଇ ହାତରେ ଲଗାମ ଧରିଛନ୍ତି। ଏଭଳି ଫଟୋରେ ମହିଳାଙ୍କୁ ଅସମ୍ମାନ କରାଯାଇଛି ବୋଲି ଅଭିଯୋଗ ହୋଇଛି। ସୋସିଆଲ୍‌ ମିଡିଆ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଏହାକୁ ତୀବ୍ର ବିରୋଧ କରାଯିବା ପରେ ସମାଜସେବୀ ଲିଙ୍କନ ସୁବୁଦ୍ଧି ମହିଳା ଥାନା ଓ ରାଜ୍ୟ ମହିଳା ଆୟୋଗରେ ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ପ୍ରଯୋଜକ ସୀତାରାମ ଅଗ୍ରୱାଲ, ନିର୍ଦେଶକ ରମେଶ ରାଉତ ଏବଂ ମୁଖ୍ୟ ଭୂମିକାରେ ଥିବା ପପୁଙ୍କୁ ପକ୍ଷଭୁକ୍ତ କରିଛନ୍ତି। ସେମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଅଭିଯୋଗ ପରେ ଏହାକୁ ଗୁରୁତର ସହ ନେଇଛି କମିସନରେଟ୍‌ ପୁଲିସ। ଏନେଇ ମହିଳା ଥାନା ପୁଲିସ କେସ୍‌ ନଂ.୮୯/୧୯ରେ ମହିଳାଙ୍କ ଫଟୋଚିତ୍ରରେ ଅଶ୍ଳୀଳ ପ୍ରଦର୍ଶନ(ନିବାରଣ) ଧାରା-୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କେବଳ ଲିଙ୍କନ ନୁହଁନ୍ତି ଧାବିକା ଦୂତି ଚାନ୍ଦ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଏହା ନାରୀଙ୍କୁ କିଭଳି ସମ୍ମାନ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ପୋଷ୍ଟରକୁ ତୁରନ୍ତ ହଟାଇବାକୁ ସେ ପ୍ରଯୋଜନା ସଂସ୍ଥାକୁ ଅନୁରୋଧ କରିଛନ୍ତି। ସେହିପରି ସୋସିଆଲ୍‌ ମିଡିଆ ଫେସ୍‌ବୁକ ଓ ଟ୍ବିଟର୍‌ରେ ମଧ୍ୟ ଅନେକ ଏହାକୁ ବିରୋଧ କରିବା ସହ ତୀବ୍ର ନିନ୍ଦା କରିଛନ୍ତି।

ପ୍ରକାଶ ଥାଉ କି, କିଛିଦିନ ତଳେ କାଷ୍ଟିଙ୍ଗ କାଉଚ୍‌ ଅଭିଯୋଗରେ ଛନ୍ଦି ହୋଇ ପପୁ ଜେଲ୍‌ ଯାଇଥିଲେ। ଜେଲ୍‌ରୁ ବାହାରିବାର କିଛିଦିନ ପରେ ଏକ ଷ୍ଟେଜ୍‌ ଶୋ’ରେ ଶ୍ରୀଜଗନ୍ନାଥଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦରେ ଫସିଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ତାଙ୍କୁ ବିରୋଧ କରାଯାଇଥିଲା। ଏପରିକି କିଛି ସଂଗଠନ ତାଙ୍କୁ ରାସ୍ତାରେ କାଳିମାଡ଼ କରିଥିଲେ।

ସମ୍ବନ୍ଧିତ ଖବର