ଦେଓଗାଁ : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନାଁ ନେଇ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ଡାଟାଏଣ୍ଟ୍ରି ଅପରେଟରଙ୍କୁ ଜଣେ ଶିକ୍ଷକ ଧମକ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗ ପାଇବା ପରେ ଦେଓଗାଁ ଥାନା ପୁଲିସ ପ୍ରାଥମିକ ତଦନ୍ତ କରି କେସ୍ ନଂ ୨୫୫ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଘଟଣା ପରେ ଶିକ୍ଷକ ଜଣକ ଫେରାର୍ ଅଛନ୍ତି ବୋଲି ଦେଓଗାଁ ଥାନା ଅଧିକାରୀ ବାମଦେବ ଶଙ୍ଖୁଆଳ ପ୍ରକାଶ କରିଛନ୍ତି। ସେହିପରି ଦେଓଗାଁ ବିଇଓ ଗୋବର୍ଦ୍ଧନ ଭୋଇଙ୍କ ନିର୍ଦେଶରେ ୨ ଜଣ ଏବିଇଓ ଶନିବାର ଦେଷଣ୍ଢ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି। କିନ୍ତୁ ସଂପୃକ୍ତ ଶିକ୍ଷକ ବିଜୟ ସାହୁ ବିନା ଛୁଟିରେ ଗତ ୫ ଦିନ ହେଲା ଅନୁପସ୍ଥିତ ଥିବା ଜଣାପଡ଼ିଛି। ବିଦ୍ୟାଳୟକୁ ତଦନ୍ତ ପାଇଁ ଆସିଥିବା ଅଧିକାରୀମାନଙ୍କୁ ଗ୍ରାମବାସୀ ଦେଖି ବିଦ୍ୟାଳୟରେ ରହି ଏଭଳି କାମ କରୁଥିବା ଶିକ୍ଷକ ବିଜୟ ସାହୁଙ୍କୁ ତୁରନ୍ତ ଏଠାରୁ ବଦଳି କରି ଅନ୍ୟଜଣେ ଶିକ୍ଷକଙ୍କୁ ଆଣିବାକୁ ଦାବି କରିଥିଲେ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦେଷଣ୍ଢ ସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷକ ବିଜୟ ସାହୁ ବିଭିନ୍ନ ସମୟରେ ସ୍କୁଲର ପ୍ରଧାନଶିକ୍ଷକଙ୍କ ସହ ଯୁକ୍ତିତର୍କ କରି ଗ୍ରାମବାସୀଙ୍କୁ ମଧ୍ୟ ଧମକଚମକ ଦେଇ ଆସୁଥିଲେ। କରୋନା କଟକଣା ପରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଖୋଲିଥିବା ସ୍କୁଲରେ ଶିକ୍ଷାଦାନ ନକରି ଏହି ଶିକ୍ଷକଜଣକ ଦଶପଲ୍ଲା ଅଞ୍ଚଳରେ ପ୍ରାୟ ସମୟରେ ରହୁଥିବା ନେଇ ଶିକ୍ଷକ ମହଲରେ ଚର୍ଚ୍ଚା ହେଉଛି। ସରକାର ସ୍କୁଲଗୁଡ଼ିକୁ ତଦାରଖ କରିବା ପାଇଁ ସିଆର୍ସିସି, ବିଆର୍ସିସି, ଏବିଇଓ ନିଯୁକ୍ତି ହୋଇଥିଲେ ମଧ୍ୟ ସ୍କୁଲରେ ଜଣେ ଶିକ୍ଷକ ବିନା ଦରଖାସ୍ତରେ ଲମ୍ବା ଛୁଟିରେ ରହୁଥିଲେ ମଧ୍ୟ ସେମାନେ କିଭଳି ଜାଣିପାରୁନାହାନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ବିଇଓ ଶ୍ରୀ ଭୋଇଙ୍କୁ ପଚାରିବାରୁ ୨ଜଣ ଅଧିକାରୀ ତଦନ୍ତ ପାଇଁ ଯାଇଛନ୍ତି, ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ।
ସୂଚନାଯୋଗ୍ୟ ଯେ ଗତ ୨ ତାରିଖ ଦିନ ମୋବାଇଲ ଫୋନ୍ରେ ଦେଓଗାଁ ବ୍ଲକ୍ ଦେଷଣ୍ଢ ଉଚ୍ଚପ୍ରାଥମିକ ସ୍କୁଲର ଶିକ୍ଷକ ବିଜୟ ସାହୁ ବିଇଓ କାର୍ଯ୍ୟାଳୟର ଡାଟାଏଣ୍ଟ୍ରି ଅପରେଟର ଦୁର୍ବାଦଳ ସାହୁଙ୍କୁ ଗାଳିଗୁଲଜ କରି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନାଁ ନେଇ ବୋମାରେ ବିଇଓ ଅଫିସକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଏ ସଂକ୍ରାନ୍ତରେ ବିଇଓଙ୍କୁ ଶ୍ରୀ ସାହୁ ଜଣାଇବା ପରେ ଦେଓଗାଁ ଥାନାରେ ଅଭିଯୋଗ ହୋଇଥିଲା।