ଟ୍ରକରେ ଲୁଚି ବିହାର ଯାଉଥିଲେ ୭୦ ଡ୍ରାଇଭର, ପୁଲିସ ଧରିଲା

ଝାରସୁଗୁଡ଼ା: ବ୍ରଜରାଜନଗର ଥାନା ଗାନ୍ଧିଛକ ନିକଟରେ ଆଜି ଏକ ଟ୍ରକକୁ ପୁଲିସ ଅଟକ ରଖିଛି। ଏହି ଟ୍ରକ ଡାଲାରୁ ୭୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଲକ୍‌ଡାଉନ ସମୟରେ ଯାନବାହନ ବନ୍ଦ ରହିଥିବା ବେଳେ ମାଲବାହୀ ଗାଡ଼ି ଚାଲୁଥିବାରୁ ଏହି ଲୋକମାନେ ଏହି ଟ୍ରକରେ ବିହାର ଯାଉଥିବା ଜଣାଯାଇଛି। ବ୍ରଜରାଜନଗର ଏସ୍‌ଡିପିଓ ଦିଲୀପ ଦାଶ ଖବର ପାଇ ଚଢ଼ାଉ କରିଥିଲେ। ଟ୍ରକ ଭିତରେ ଲଦାଲଦି ହୋଇ ଏହି ଲୋକ ମାନେ ବସିଥିବା ଦେଖାଯାଇଥିଲା। ତେବେ ଏହି ଲୋକ ମାନେ ସମସ୍ତେ ଏହି ଅଞ୍ଚଳରେ ଟ୍ରକ ଟ୍ରାଇଭର ଓ ହେଲପର ଭାବରେ କାମ କରୁଥିବା କୁହାଯାଉଛି।

ଲକ୍‌ଡାଉନ ସମୟରେ କାମ ନପାଇ ଭୋକ ଉପବାସରେ ରହୁଥିଲେ ଓ ଆଜି ଏହି ଟ୍ରକ୍ ବିହାର ଯାଉଥିବା ବେଳେ ସେମାନେ ଏଥିରେ ପଳାଉଥିବା କହିଛନ୍ତି। ତେବେ ଏମାନେ ପ୍ରକୃତରେ ଡ୍ରାଇଭର ନା ଆଉ କେଉଁ ଉଦ୍ଦେଶ୍ୟରେ ଯାଉଥିଲେ ସେ ନେଇ ପୁଲିସ ଜଣ ଜଣ କରି ପଚରା ଉଚୁରା କରୁଛି। ଟ୍ରକ ନମ୍ବର ବିଆର୍ ୨୪ଜିଏ ୯୪୪୯କୁ ଜବତ କରାଯାଇଛି। ଏହି ଚଢ଼ାଉରେ ବ୍ରଜରାଜନଗର ଆଇଆଇସି ନଳିତା ମୋଦି, ଏସ୍ଆଇ ପ୍ରଦ୍ୟୁମ୍ନ ସ୍ବାଇଁ ପ୍ରମୁଖ ସାମିଲ ଥିଲେ। ଏହି ଟ୍ରକଟି ବିହାରରୁ ମାଲ ଧରି ରାୟଗଡ ଯାଇଥିଲା। ଫେରିବା ସମୟରେ ବେଲପାହାଡ଼ ଓ ବ୍ରଜରାଜନଗର ୯ ନମ୍ବର ଢ଼ାବା ନିକଟରେ ଏମାନେ ଚଢ଼ିଥିଲେ। ପୁଲିସ ସମସ୍ତଙ୍କୁ ଗାଡିରୁ ବାହାର କରି ଏକ ମାମଲା ରୁଜୁ କରିଛି। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବ୍ରଜରାଜନଗର ଏସ୍‌ଡିପିଓ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର