ହିଂଜିଳିରେ ପୁଲିସ୍‌ର ଲାଠି ଚାର୍ଜ ପ୍ରସଙ୍ଗ : ବାଲି ମାଫିଆଙ୍କୁ ସୁରକ୍ଷା,ନିରୀହ ଲୋକଙ୍କୁ ଲାଠିମାଡ଼ : ଭୃଗୁ ବକ୍ସିପାତ୍ର

ମଦ ଓ ବାଲିଆ ମାଫିଆ ଗଞ୍ଜାମକୁ ନିୟନ୍ତ୍ରଣ କରୁଛନ୍ତି : ରାମକୃଷ୍ଣ

ଭୁବନେଶ୍ୱର : ହିଞ୍ଜିଳିରେ ପୁଲିସ୍‌ର ଲାଠିଚାର୍ଜ ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେପି। ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର ଆରୋପ ଲଗାଇଛନ୍ତି ଯେ ପୁରୁଷେ‌ାତ୍ତମପୁର ତହସିଲ୍‌ର କୋଳିଦାସପୁର ଗାଁର କିଛି ଲୋକଙ୍କୁ ବେଆଇନ ଭାବେ ହିଂଜିଳି ଥାନା ଅଧିକାରୀ ଗିରଫ କରିଥିଲେ। ସେହି ଗ୍ରାମର ଲୋକ ହିଂଜିଳି ଥାନା ଆଗରେ ପ୍ରତିବାଦ କରି ଗିରଫ ହୋଇଥିବା ଲୋକ ନିର୍ଦ୍ଦୋଷ ବୋଲି ଥାନା ଅଧିକାରୀଙ୍କୁ ଜଣାଇବାକୁ ଆସିଥିଲେ। କିନ୍ତୁ ପୁଲିସ ସେମାନଙ୍କ କଥା ନ ବୁଝି ଅମାନୁଷିକ ଭାବେ ତାଙ୍କ ଉପରେ ଲାଠି ଚାର୍ଜ କରି ଲହୁଲୁହାଣ କରିଛି। ଏହି ଘଟଣାରେ ଛୋଟ ପିଲା ଏବଂ ବୟସ୍କ ଲୋକଙ୍କ ଉପରେ ଲାଠି ମାଡ଼ ହେବା ଯୋଗୁ ସେମାନେ ଅନେକ ସଂଖ୍ୟାରେ ଆହତ ହୋଇଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ପୁଲିସ ଗୁଣ୍ଡାରାଜ ଚଲାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ବିଗତ କିଛି ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ଥିବା ଋଷିକୂଲ୍ୟା ଏବଂ ତା’ର ଶାଖା ନଦୀରେ ବାଲି ମାଫିଆମାନେ ବାଲି ଚୋରା ଚାଲାଣ କରି ଅନ୍ୟ ରାଜ୍ୟ ସମେତ ବିଦେଶକୁ ପଠାଉଛନ୍ତି । ଏହା ଦ୍ୱାରା ରାଜ୍ୟସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ହେଉଥିବା ସମୟରେ ବାଲି ଚୋରା ଚାଲାଣ ହେଉଥିବା ଅଂଚଳରେ ସ୍ଥାନୀୟ ତହସିଲଦାର, ବିଡିଓ, ଗଂଜାମ ଜିଲ୍ଲାର ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ, ପୋଲିସ, ସରକାରୀ ଦଳର ଦଲାଲ ଏବଂ ଗୁଣ୍ଡାମାନେ ଚୋରା ଚାଲାଣର ନେତୃତ୍ୱ ନେଉଛନ୍ତି। ଯେଉଁ ସାଧାରଣ ଲୋକମାନେ ଏହାର ପ୍ରତିବାଦ କରୁଛନ୍ତି ସେମାନଙ୍କୁ ଉପରେ ପ୍ରଶାସନିକ ଅଧିକାରୀ ଓ ପୁଲିସ ନାଲି ଆଖି ଦେଖାଇ ମିଥ୍ୟା କେସ ଲଗାଇ ଗିରଫ କରୁଛନ୍ତି ନ ହେଲେ ଲାଠି ଚାର୍ଜ କରୁଛନ୍ତି। ସାଧାରଣ ଲୋକଙ୍କ ଉପରେ ପୁଲିସର ଏଭଳି ଅମାନବୀୟ ଅତ୍ୟାଚାର ବିରୋଧରେ ରାଜ୍ୟ ପ୍ରଶାସନିକ ଅଧିକାରୀ, ରାଜସ୍ୱ ମନ୍ତ୍ରୀ, ସଚିବ, ପୁଲିସ ମହାନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ ଏବଂ ଖୋଦ୍‌ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କଲେ ନାହିଁ କି ଏ ନେଇ କୌଣସି ମନ୍ତବ୍ୟ ଦେଲେ ନାହିଁ । ହିଂଜିଳି ବ୍ଲକର ନିର୍ଦ୍ଦିଷ୍ଟ ମାଫିଆମାନେ କୋଳିଦାସପୁର ଅଞ୍ଚଳରେ ଥିବା ନନ୍ ଲିଜ ଜମିରୁ ବାଲି ଚୋରା ଚାଲାଣ କରୁଥିଲେ । ତହସିଲଦାର, ଥାନା ଅଧିକାରୀ, ବ୍ଲକ ଅଫିସ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ତୃତୀୟ ମହଲା ପର୍ଯ୍ୟନ୍ତ ସମସ୍ତେ ଏହି ବାଲି ଚୋରା ଚାଲାଣ ସଂପର୍କରେ ଅବଗତ ଅଛନ୍ତି ଏବଂ ସମସ୍ତଙ୍କ ଜାଣତରେ ଏହି ଚୋରା ଚାଲାଣ କରାଯାଉଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ବାଲି ଚୋରା ଚାଲାଣକୁ ବନ୍ଦ କରିବା ପାଇଁ ଆଇନଗତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶିନୀ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଓ ଘଗୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ଥିଲେ ।

ମଦ ଓ ବାଲିଆ ମାଫିଆ ଗଞ୍ଜାମକୁ ନିୟନ୍ତ୍ରଣ କରୁଛନ୍ତି : ରାମକୃଷ୍ଣ
ଭୁବନେଶ୍ବର : ପୁରୁଷୋତ୍ତମପୁର ତହସିଲ ଅଧୀନସ୍ଥ କୋଳିଦାସପୁର ଗ୍ରାମବାସୀଙ୍କ ଉପରେ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ଓ ଲାଠିଚାଳନାକୁ ତୀବ୍ର ଭର୍ତ୍ସନା କରିଛନ୍ତି ସିପିଆଇ ଜାତୀୟ କାର୍ଯ୍ୟକାରୀ କମିଟିର ସଭ୍ୟ ରାମକୃଷ୍ଣ ପଣ୍ଡା। ସେ କହିଛନ୍ତି ଯେ ବାଲି ଚାଲାଣକୁ ନେଇ ହୋଇଥିବା ସଂଘର୍ଷ ଓ ପୋଡ଼ାଜଳା ଘଟଣାର ନିରପେକ୍ଷ ତଦନ୍ତ ବଦଳରେ ପୁଲିସ୍‌ ଏକତରଫା ଭାବେ ଗ୍ରାମବାସୀଙ୍କ ଉପ‌େର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେମାନଙ୍କ କଥା ନ ଶୁଣି ପୁଲିସ୍‌ ଲାଠିଚାଳନା କରିଛି। ଗତ କିଛି ବର୍ଷ ହେଲା ଲକ୍ଷ୍ୟ କରାଯାଉଛି ଯେ ଗଞ୍ଜାମ ଜିଲ୍ଲାକୁ କ୍ରମଶଃ ମଦ ଓ ବାଲିଆ ମାଫିଆମାନେ ନିୟନ୍ତ୍ରଣ କରୁଛନ୍ତି। ‌ଲୋକ ପ୍ରତିବାଦ କଲେ ସେମାନଙ୍କୁ ଖୋଦ୍‌ ପ୍ରଶାସନ ନାଲି ଆଖି ଦେଖାଉଛି। ଜିଲ୍ଲା ପ୍ରଶାସନ ଆତଙ୍କ ସୃଷ୍ଟି ନ କରି କୋଳିଦାସପୁର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପଣ୍ଡା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର