ତେଜରାତି, କ୍ଷୀର, ପରିବା ଓ ଫଳ ଆଦି ଦୋକାନ ଖୋଲା ରହିବ : ପୁଲିସ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ବର: ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆଇଟି ଫାର୍ମଗୁଡ଼ିକ ଲାଗି ଗାଇଡଲାଇନ ଜାରି କରିଛନ୍ତି ପୁଲିସ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ଏନେଇ ଭୁବନେଶ୍ୱର ଓ କଟକରେ ଥିବା ଫାର୍ମଗୁଡିକୁ ନୋଟିସ କରାଯାଇଛି ବୋଲି ସେ କହିଛନ୍ତି। ଏଥିରେ ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ନ ଯିବାକୁ ପରାମର୍ଶ ଦିଆଯାଇଛି । ୧୪ ଦିନ ପାଇଁ ଘରେ ରହି କାମ କରିବାକୁ ନିର୍ଦେଶ ଦିଆଯାଇଛି ।
କାମ କରିନପାରିଲେ କମ୍ପାନି ନିୟମ ଅନୁସାରେ ଛୁଟିରେ ରହିବେ । କୌଣସି କର୍ମଚାରୀଙ୍କୁ ଥଣ୍ଡା କାଶ ହେଉଥିଲେ ଅଫିସ ନ ଯିବାକୁ ବି ସେ ପରାମର୍ଶ ଦେଇଛନ୍ତି । ଅତି ଆବଶ୍ୟକ ନ ହେଲେ କର୍ମଚାରୀଙ୍କୁ ବିଦେଶ ନ ଯିବାକୁ ପରାମର୍ଶ ଦିଆଯିବା ସହ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି ।
ସାମାଜିକ ଦାୟିତ୍ୱବୋଧ ଆମ ସମସ୍ତଙ୍କ ଉପରେ ନିର୍ଭର କରେ । ନିଜର ଓ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଏପରି କରିବା ଜରୁରୀ । ସତର୍କ ରହିଲେ ହିଁ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିପାରିବା ବୋଲି ସେ କହିଛନ୍ତି ।
ପୁଲିସ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି, ତେଜରାତି ଦୋକାନ ସବୁ ଖୋଲା ରହିବ । କ୍ଷୀର, ପରିବା ଫଳ ଆଦି ଦୋକାନ ସବୁ ଖୋଲା ରହିବ । ଭୟଭୀତ ହୋଇ ଅଧିକ ସାମଗ୍ରୀ କିଣିବାର କୌଣସି ଆବଶ୍ୟକତା ନାହିଁ । ସତର୍କତା ଅବଲମ୍ବନ କଲେ ହିଁ ଭୂତାଣୁଠାରୁ ରକ୍ଷା ପାଇପାରିବା ବୋଲି ପୁଲିସ କମିସନର୍ କହିଛନ୍ତି ।

ସମ୍ବନ୍ଧିତ ଖବର