ବଦଳିଲେ ପୁଲିସ କମିସନର : ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ କମିସନର

ସୁଧାଂଶୁ ଷଡ଼ଙ୍ଗୀ ହେଲେ ଓପିଏଚ୍‌ଡବ୍ଲୁସି ସିଏମ୍‌ଡି, ଏମ୍. ଅକ୍ଷୟ ଅଗ୍ନିଶମ ଡିଜି

ଭୁବନେଶ୍ବର : ରାଜ୍ୟ ପୁଲିସ ବିଭାଗରେ ଆଜି ଏକ ଛୋଟ ଧରଣର ଅଦଳବଦଳ ହୋଇଛି। କଟକ-ଭୁବନେଶ୍ବର ଦ୍ବୈତନଗରୀରର ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଓଡ଼ିଶା ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (ଓପିଏଚଡବ୍ଲୁସି)ର ସିଏମ୍‌ଡି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ପୁଲିସ କମିସନର ଭାବେ ନିଯୁକ୍ତି ମିଳିଛି। ସେହିପରି ଓପିଏଚ୍‌ଡବ୍ଲୁସି ସିଏମ୍‌ଡି ଏମ୍. ଅକ୍ଷୟଙ୍କୁ ଅଗ୍ନିଶମ ଡିଜି ଭାବେ ନିଯୁକ୍ତ କରାଯାଇଛି। ଆଜି ସନ୍ଧ୍ୟାରେ ଗୃହ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ କ୍ରାଇମବ୍ରାଞ୍ଚ ଦାୟିତ୍ବ କାହାକୁ ଦିଆଯାଇନାହିଁ।

ଅନ୍ୟପକ୍ଷରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବାର ଅଳ୍ପ କିଛି ମୁହୂର୍ତ୍ତ ମଧ୍ୟରେ ଶ୍ରୀ ଷଡ଼ଙ୍ଗୀ ନିଜ ଦାୟିତ୍ବରୁ ଅବ୍ୟାହତି ନେଇଛନ୍ତି। ସେ ଏକ ଟ୍ବିଟ୍ କରି ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କୋଭିଡ୍ ମହାମାରୀ ଭଳି ଏକ କଠିନ ପରିସ୍ଥିତି ମୁକାବିଲା ତାଙ୍କର ମନେରହିବ ବୋଲି କହିଛନ୍ତି। ତେବେ ମୁଖ୍ୟତଃ ତିନିଟି କାରଣ ପାଇଁ ଶ୍ରୀ ଷଡ଼ଙ୍ଗୀଙ୍କୁ ସରକାର ବଦଳାଇଲେ ବୋଲି ସୂଚନା ମିଳୁଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ଗତ କିଛିଦିନ ହେଲା ରାଜଧାନୀରେ ଅପରାଧ ଉପରମୁହାଁ ହେବା ସହ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ଥିଲେ। ଠିକ୍ ଏମିତି ସମୟରେ ନୂଆପଲ୍ଲୀ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ପୂର୍ବରୁ ଅଭିଯୁକ୍ତକୁ ସମର୍ଥନ କରିବା ଭଳି ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମ ସାମ୍ନାରେ ରଖିଥିବା ବିବୃତି (ଆତ୍ମରକ୍ଷା ପାଇଁ ହତ୍ୟା) ସାମ୍ନାକୁ ଆସିବା ପରେ ପରିସ୍ଥିତି ଅତି ଗମ୍ଭୀର ହୋଇଯାଇଥିଲା। ଏହାକୁ ସବୁ ମହଲରେ ନାପସନ୍ଦ କରାଯାଇଥିଲା। ଶେଷରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏହି କଠୋର ନିଷ୍ପତ୍ତି ନେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର