ସଟଡାଉନ୍ ସମୟରେ ଭୁବନେଶ୍ବର ଓ କଟକବାସୀ ଘରୁ ବାହାରନ୍ତୁ ନାହିଁ; ବାହାରିଲେ ମାମଲା ରୁଜୁ ହେବ, ୧୪ ଦିନିଆ ସରକାରୀ ସଙ୍ଗରୋଧରେ ରହିବେ

ଭୁବନେଶ୍ବର: ଭୁବନେଶ୍ୱର, ଭଦ୍ରକ ଏବଂ କଟକ ସହରରେ ରାଜ୍ୟ ସରକାର ଘୋଷଣା କରିଥିବା ସମ୍ପୂର୍ଣ୍ଣ ‘ସଟଡାଉନ୍’କୁ ନ ମାନି ଘରୁ ନ ବାହାରିବାକୁ ଭୁବନେଶ୍ବର-କଟକର ଜନସାଧାରଣଙ୍କୁ  ଅପିଲ୍ କରିଛନ୍ତି  ପୁଲିସ କମିସନର ସୁଧାଂଶୁ ଷଢ଼ଙ୍ଗୀ। ଏଥସହ ସେ କହିଛନ୍ତି, ଏହି ସଟଡାଉନ୍ ସମୟରେ ଯେଉଁ ସଂକ୍ରମିତମାନେ ଏଯାବତ୍ ସାମ୍ନାକୁ ଆସିନାହାନ୍ତି  କିମ୍ବା ଯେଉଁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏପର୍ଯ୍ୟନ୍ତ ଖୋଜା ଯାଇପାରିନାହିଁ, ସେମାନଙ୍କୁ ଖୋଜାଯିବ।  ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ଅର୍ଥାତ୍ ୪୮ ଘଣ୍ଟାଯାଏଁ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଅତ୍ୟାବ୍ୟଶକୀୟ ସେବା ‌ସହ ଜଡ଼ିତ ଗାଡ଼ି  ବ୍ୟତୀତ  କୌଣସି ଗାଡ଼ି ଚାଲିବା ନାହିଁ। ଲୋକମାନେ ସାଇକେଲ୍ କିମ୍ବା ଚାଲିଚାଲି ଯାଇପାରିବେ ନାହିଁ। ଭୁବନେଶ୍ବର ଓ କଟକବାସୀ ସଂପୂର୍ଣ୍ଣ ଭାବେ ୪୮ ଘଣ୍ଟା ଘରେ ରହିବାକୁ ଆହ୍ବାନ କରିଛନ୍ତି ପୁଲିସ କମିସନର ଷଢ଼ଙ୍ଗୀ। ଏହି ଆଦେଶ ଅମାନ୍ୟ କରି କୌଣସି ବ୍ୟକ୍ତିବିଶେଷ ବାହାରେ ବୁଲାବୁଲି କରୁଥିବା ଦେଖିଲେ ତାଙ୍କୁ ଧରି ନେଇ ୧୪ ଦିନ ପାଇଁ ସରକାରୀ କ୍ୱାରେଣ୍ଟିନରେ ରଖାଯିବ ଏବଂ ତାଙ୍କ ନାମରେ ପୁଲିସ ମାମଲା ରୁଜୁ କରିବ।

ସଟଡାଉନ୍ ସମୟରେ ମାତ୍ର ଅଳ୍ପ କେତୋଟି ଔଷଧ ଦୋକାନ ଖୋଲା ରହିବା ସହ ତେଜରାତି, ପନିପରିବା, କ୍ଷୀର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ । ଭୁବନେଶ୍ୱରରେ କେତୋଟି ଔଷଧ ଦୋକାନ ଖୋଲା ରହିବ ତାହାର ତାଲିକା ଭୁବନେଶ୍ୱର ମହାନଗର ନିଗମ ଜାରି କରିବ। ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାର ଓପିଡି ସେବା ବନ୍ଦ ରହିବ।  କେବଳ ଏମର୍ଜେନ୍ସି ସେବା ଜାରି ରହିବ।  ସେ କହିଛନ୍ତି ଯେ ବହୁସଂଖ୍ୟକ ସରକାରୀ ଓ ଘରୋଇ ଆମ୍ବୁଲାନସ୍ ସେବା ବ୍ୟବସ୍ଥା କରାଯାଉଛି । ତେଣୁ କେହି ଅଧିକ ଅସୁସ୍ଥ ଅନୁଭବ କଲେ ଆମ୍ବୁଲନସ୍ ଡକାଇ ଡାକ୍ତରଖାନା ଯାଇ ପାରିବେ ଏବଂ ଡାକ୍ତରଖାନାରୁ ଆସିପାରେିବେ। ଆବଶ୍ୟକସ୍ଥଳେ ଲୋକେ ପୁଲିସକୁ ୧୦୦ ନମ୍ବରରେ କଲ୍ କରି ସାହାଯ୍ୟ ମାଗି ପା‌ରିବେ।

ସେ ସ୍ପଷ୍ଟ କରାଇ କହିଛନ୍ତି ଯେ ଜାତୀୟ ରାଜପଥରେ ମାଲ ପରିବହନ କରୁଥିବା ଯାନବାହନ ଉପରେ ଏହି ୪୮ଘଣ୍ଟାରେ କୌଣସି କଟକଣା ରହିବ ନାହିଁ । ତେବେ ଜାତୀୟ ରାଜପଥ ସହ ସହରର ସବୁ ସଂଯୋଗ ବନ୍ଦ ରହିବ। ସହର ବାହାରୁ କେହି ଭିତରକୁ ଆସିପାରିବେ ନାହିଁ କି କେହି ସହର ବାହାରକୁ ଯାଇପାରିବେ ନାହିଁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଢ଼ଙ୍ଗୀ।

ସମ୍ବନ୍ଧିତ ଖବର