ଭୁବନେଶ୍ବର: ବିଜେଡି-ବିଜେପିର ବିଫଳତା ଓ ଦୁର୍ନୀତି ବିରୋଧରେ ଆଜି ଗର୍ଜନ କରିଛି ରାଜ୍ୟ କଂଗ୍ରେସ। ରାଜ୍ୟ କଂଗ୍ରେସର ଲୋକସେବା ଭବନ(ସଚିବାଳୟ) ଘେରାଉ ଡାକରାରେ ଆଜି ଶତାଧିକ କଂଗ୍ରେସ ଲୋୟର ପିଏମଜିରେ ଏକାଠି ହୋଇ ସରକାରଙ୍କ ବିରୋଧରେ ବିଷୋଦ୍ଗାର କରିଛନ୍ତି। ପୁଲିସ ବ୍ୟାରିକେଡ୍ ଭାଙ୍ଗି ଆଗକୁ ମାଡ଼ି ଯିବାକୁ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କିଛି ସମୟ ଲୋୟର ପିଏମ୍ଜି ଏକପ୍ରକାର ରଣକ୍ଷେତ୍ର ପାଲଟିଯାଇଥିଲା। ଶେଷରେ ପୁଲିସ ଶତାଧିକ ପୁଲିସ କର୍ମୀଙ୍କୁ ଗିରଫ କରିଛି।
ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସମେତ ବରିଷ୍ଠ ନେତୃବୃନ୍ଦଙ୍କ ନେତୃତ୍ବରେ ଦିନ ସାଢ଼େ ୧୨ଟା ସମୟରେ ଏକ ବିଶାଳ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହରିଥିଲା। ଦିନ ୧ଟା ବେଳକୁ ଶତାଧିକ କଂଗ୍ରେସ କର୍ମୀ ପୁଲିସ ଦ୍ବାରା ପ୍ରସ୍ତୁତ ହୋଇଥିବା ବ୍ୟାରିକେଡ୍ ନିକଟରେ ପହଞ୍ଚିଥିଲେ। ଏଠାରେ ପୁଲିସ ସହ କିଛି ସମୟ ଧସ୍ତାଧସ୍ତି ହେବା ପରେ ଅନେକ ବ୍ୟାରିକେଡ୍ ଡେଇଁ ଆଗକୁ ମାଡ଼ି ଚାଲିଥିଲେ। ହେଲେ ଦ୍ବିତୀୟ ବ୍ୟାରିକେଡ୍ ନିକଟରେ ପୁଲିସ ପକ୍ଷରୁ ଜୋରଦାର ପ୍ରତିରୋଧ କରାଯାଇଥିଲା। ଏହାର କିଛି ସମୟ ପରେ ମହିଳା କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପ୍ରଥମେ ପ୍ରଭାରୀଙ୍କୁ ଉଠାଇ ନେଇଥିଲା ପୁଲିସ୍। ପରେ ଅନ୍ୟ ନେତା ଓ କର୍ମୀମାନଙ୍କୁ ଗିରଫ କରିବା ଆରମ୍ଭ କରିଥିଲା।
ଲୋୟର ପିଏମ୍ଜିରେ ହୋଇଥିବା ସମାବେଶରେ ପ୍ରଭାରୀ ଅଜୟ କୁମାର କହିଥିଲେ, ମୋଦୀ-ନବୀନଙ୍କ ଭିତରେ ସେଟିଂ ପାଇଁ ୨୪ବର୍ଷ ଧରି ଓଡ଼ିଶାରେ ଲୁଟ୍ ଚାଲିଛି। ଓଡ଼ିଶା ବାହାରର ଲୋକ ଏଠାକୁ ଆସି ସବୁକିଛି ଲୁଟି ନେଉଛନ୍ତି। ଦୁର୍ନୀତି ଓ ବେରୋଜଗାରୀ ଆଜି ରାଜ୍ୟ ସରକାରଙ୍କ ସଫଳତା ପାଲଟିଛି। ଓଡ଼ିଶାବାସୀ ଏହାକୁ ବୁଝିବା ଦରକାର। ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ବିଜେପି-ବିଜେଡି ହେଉଛନ୍ତି ଏକ। ତେଣୁ ବିଜେଡିକୁ ଭୋଟ୍ ଦେଲେ ଯାହା, ବିଜେପିକୁ ଭୋଟ୍ ଦେଲେ ମଧ୍ୟ ସେୟା। ରାଜ୍ୟର ସାଧାରଣ ଜନତାଙ୍କ ପାଇଁ କଂଗ୍ରେସ ଲଢ଼େଇ କରୁଛି।
ଆଜିର ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ସହ ପ୍ରଭାରୀ ଖ୍ରୀଷ୍ଟଫର ତିଲକ, ସାହନାୱାଜ ଚୌଧୁରୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ, ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ, ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ଦାଶରଥି ଗମାଙ୍ଗୋ, ରମେଶ ଜେନା, ବିଶ୍ବରଂଜନ ମହାନ୍ତି, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ମିନାକ୍ଷୀ ବାହିନୀପତି, ରଣଜିତ ପାତ୍ର, ୟାସିର ନୱାଜ, ବିଶ୍ବଜିତ ଦାସ, ସୁରେଶ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ରଜନୀ ମହାନ୍ତି, କିଶୋର ଜେନା, ନକୁଳ ନାୟକ ଓ ରବୀନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇଥିଲେ।